Connect with us

ଭୁବନେଶ୍ୱର: ଓଡିଶା ସରକାର କେନ୍ଦ୍ର ବିରୋଧରେ ପ୍ରସଙ୍ଗ ସୃଷ୍ଟି କରି ସ୍ୱାମୀନାଥନ କମିଟିର ସୁପାରିଶ ଅନୁଯାୟୀ କୃଷିଜାତ ଦ୍ରବ୍ୟର ସର୍ଵନିମ୍ନ ସହାୟକ ମୂଲ୍ୟ ଵୃଦ୍ଧି ଦାବି କରିଛି।

ସ୍ୱାମୀନାଥନ କମିଟି ରିପୋର୍ଟ ଲାଗୁହେବା ପର୍ଯ୍ୟନ୍ତ ଲଢେ଼ଇ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୃଢୋକ୍ତି କରିଛନ୍ତି।

“ଚାଷୀର ସ୍ଵାର୍ଥର ସୁରକ୍ଷା ପାଇଁ ଆମର ଲଢେଇ ଜାରି ରହିଛି” ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ “ଏମ.ଏସ.ସ୍ୱାମୀନାଥନ କମିଟିର ସୁପାରିଶ କୁ କାର୍ଯ୍ୟକାରୀ କରିବା ପାଇଁ ମୁଁ ସବୁବେଳେ ଦାବି କରି ଆସିଛି ଏବଂ ଏହା ପୂରଣ ହେଲା ପର୍ଯ୍ୟନ୍ତ ଆମର ଲଢେଇ ଜାରି ରହିବ” ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ।

ସେ ରାଜ୍ୟର ୧୮ ଲକ୍ଷ୍ୟ ଭୂମିହୀନ ଚାଷୀଙ୍କୁ କଳିଆ ଯୋଜନାରେ ୩୮୬ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରାଯିବା ଅବସରରେ ବୁଧବାର ଦିନ ଏହି ମନ୍ତବ୍ୟ ଦେଇଛନ୍ତି।

ଦେଶରେ ଏକ ବିଶାଳ ଚାଷୀ ଆନ୍ଦୋଳନ ଚାଲିଥିବା ବେଳେ ଓଡିଶା ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ଦାବି କରିଛି। ସ୍ୱାମୀନାଥନ କମିଟି ଶସ୍ୟ ଉତ୍ପାଦନର ମୋଟ ଖର୍ଚ୍ଚ ସର୍ବନିମ୍ନ ସହାୟକ ମୂଲ୍ୟ ହେବା ସପକ୍ଷରେ ସୁପାରିଶ କରିଛନ୍ତି। ଏହି ଆଧାରରେ ରାଜ୍ୟ ସରକାର ଧନର ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨୯୩୦ ଟଙ୍କା ଦାବି କରିଛନ୍ତି। କେବଳ ସେତିକି ନୁହେଁ ସରକାର ଏ ସଂକ୍ରାନ୍ତରେ ଏକ ପ୍ରସ୍ତାଵ ବିଧାନସଭାରେ ସର୍ବସମତି କ୍ରମେ ଗୃହୀତ କରାଇ କେନ୍ଦ୍ର ସରକାରଙ୍କୁ ପଠାଇଛନ୍ତି।

କାଳିଆ ଯୋଜନା ଅନ୍ତର୍ଗତ ଭୂମିହୀନ କୃଷକ ପରିବାର ମାନଙ୍କୁ ୩୮୬ କୋଟି ଟଙ୍କାର ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ପ୍ରଦାନ କରିଛନ୍ତି । ଏହାଦ୍ବାରା ୧୮ ଲକ୍ଷ ଭୂମିହୀନ କୃଷକ ପରିବାର ଉପକାର ପାଇବେ। ଏଥିରେ ପ୍ରତ୍ଯେକ ଭୂମିହୀନ ଚାଷୀ କାଳିଆ ଯୋଜନାର କିସ୍ତି ସହିତ ଅତିରିକ୍ତ ଭାବେ ୧୦୦୦ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ଅନ୍ତର୍ଭୁକ୍ତ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଉଦବୋଧନ ଦେଇ କହିଛନ୍ତି ଯେ ରାଜ୍ୟର ୧୮ ଲକ୍ଷ ଭୂମିହୀନ ଚାଷୀ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ପ୍ରଦାନ କରି ସେ ବହୁତ ଖୁସି। ଚାଷୀ, ଶ୍ରମିକ ଓ ମଜଦୁର ମାନଙ୍କ ପରି ଖଟିଖିଆ ବର୍ଗ ହେଉଛନ୍ତି ଆମ ଅର୍ଥନୀତି ନାଭିକେନ୍ଦ୍ର (Nucleus)। ଏ ସମସ୍ତଙ୍କ ତ୍ୟାଗ ହିଁ ଆମ ଅର୍ଥନୀତି କୁ ସମୃଦ୍ଧ କରିଥାଏ । କୃଷି କ୍ଷେତ୍ରର ସବୁ ସଫଳତା ପଛରେ ଭୂମିହୀନ ଚାଷୀ ର ତ୍ୟାଗ ଓ ପରିଶ୍ରମ ରହିଛି ବୋଲି ମତ ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେ ତା’ର ତ୍ୟାଗକୁ ସମ୍ମାନ କରୁ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀ ହେଉଛନ୍ତି ଆମର ଗର୍ବ ଓ ଗୌରବ । ତେଣୁ ଚାଷୀର ସ୍ଵାର୍ଥର ସୁରକ୍ଷା ସବୁବେଳେ ତାଙ୍କର ପ୍ରାଥମିକତା ହୋଇ ରହି ଆସିଛି ବୋଲି ସେ ପ୍ରକାଶ କରିଥିଲେ । କାଳିଆ ଯୋଜନା ଯୋଗୁଁ ରାଜ୍ଯର ଲକ୍ଷ ଲକ୍ଷ ଚାଷୀ ପରିବାର ମୁହଁରେ ହସ ଆଣିଛି ଓ ମନରେ ଭରସା ଦେଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏଥିପାଇଁ ,” କାଳିଆ ଯୋଜନା ମୋର ସବୁଠାରୁ ପ୍ରିୟ ଯୋଜନା । “

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ କୋଭିଡ ଯୋଗୁଁ ଅର୍ଥନୀତି ଉପରେ ଗଭୀର ପ୍ରଭାବ ପଢିଛି । ପ୍ରଥମ ଲହରରେ କୃଷି ହିଁ ଆମ ଅର୍ଥନୀତି କୁ ବଞ୍ଚାଇ ଥିଲା । ଦ୍ଵିତୀୟ ଲହରରେ ଲକଡାଉନ ସଟଡାଉନ ଯୋଗୁଁ ଲୋକଙ୍କ ଜୀବିକା ଉପରେ ଗଭୀର ପ୍ରଭାବ ପଡିଛି । ସେଥିପାଇଁ ରାଜ୍ୟ ସରକାର ଚାଷୀ,ଶ୍ରମିକ, ଉଠା ଦୋକାନୀ , ଦୁଗ୍ଧ ଚାଷୀ ଆଦି ବିଭିନ୍ନ ବର୍ଗର ଲୋକ ମାନଙ୍କ ପାଇଁ କୋଭିଡ ପ୍ଯାକେଜ ଘୋଷଣା କରିଛନ୍ତି ବୋଲି ସେ କହିଥିଲେ ।

ପରିଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ ବିରୋଧରେ ଲଢେଇ କେବଳ ସରକାର ବା ଡାକ୍ତର ବା ସ୍ୱାସ୍ଥ୍ୟକର୍ମୀ ମାନଙ୍କର ନୁହେଁ । ଏହା ଆମ ସମସ୍ତଙ୍କର ଲଢେଇ । ତେଣୁ ଏହି ଲଢେଇରେ ବିଜୟ ପାଇଁ ଚାଷୀ ଭାଇ ମାନେ ସମସ୍ତେ ଟୀକା ନେବା ସହିତ କୋଭିଡର ନିୟମ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ ସାହୁ କୃଷି ଓ କୃଷକ ମାନଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । କୃଷକ ମାନଙ୍କ ସ୍ଵାର୍ଥର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଦୃଢ ନେତୃତ୍ଵର ସେ ଉଚ୍ଚ ପ୍ରଶଂସା କରିଥିଲେ ।

କାର୍ଯ୍ୟକ୍ରମରେ କାଳିଆ ଯୋଜନା ଓ ଭୂମିହୀନ ଚାଷୀ ମାନଙ୍କ ସମ୍ପର୍କରେ ଏକ କ୍ଷୁଦ୍ର ଭିଡିଓ ଚିତ୍ର ପ୍ରଦର୍ଶନ କରଯାଇଥିଲା ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ୩ ଜଣ ଭୂମିହୀନ ଚାଷୀଙ୍କ ସହିତ କାଳିଆ ଯୋଜନାର ସୁଫଳ ବିଷୟରେ ଆଲୋଚନା କରିଥିଲେ । ନିଜ ସଫଳତା ସମ୍ପର୍କରେ ବର୍ଣ୍ଣନା କରି ମାଳତି ମେଲେକା କହିଥିଲେ କାଳିଆ ଯୋଜନାରେ ପାଇଥିବା ସହାୟତାକୁ ସେ ଛତୁ ଚାଷରେ ବିନିଯୋଗ କରି ଲାଭବାନ ହୋଇଛନ୍ତି । ସେହିପରି ସୁନ୍ଦରଗଡ ର ସୂରଥ ମାଝୀ କାଳିଆ ଯୋଜନା ସହାୟତାରେ ଜାଲ କିଣି ମାଛ ଧରିବା ସହ ଚାଷ କରି ସେ କିପରି ଉପକୃତ ହୋଇଛନ୍ତି ସେ ବିଷୟରେ ବର୍ଣ୍ଣନା କରିଥିଲେ । ଭଦ୍ରକର ଗଣେଶ ଦାସ କାଳିଆ ଯୋଜନା ସହାୟତାରେ ମାଛ ଓ ଶୁଖୁଆ ବେପାର କରି ପରିବାର ଭଲରେ ଚଳାଉଛନ୍ତି ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ବାବଦରେ ୧000 ଟଙ୍କା ଲେଖାଏଁ ସହାୟତା ପାଇ ସବୁ ଭୂମିହୀନ ଚାଷୀ ଖୁସି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ଥିଲେ ।

ଏହି ସହାୟତା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟ ରେ ସିଧାସଳଖ ଜମା କରାଯାଇଛି ।କାଳିଆ ଯୋଜନାରେ ଚାଷୀମାନେ ୩ ଟି କିସ୍ତି ରେ ୧୨,୫୦୦ ଟଙ୍କା ପାଇଥାନ୍ତି । ସୂଚନାଯୋଗ୍ୟ ଯେ ବଳରାମ ଯୋଜନାରେ ମଧ୍ୟ ଭୂମିହୀନ ଚାଷୀ ମାନଙ୍କୁ ବିଭିନ୍ନ ପ୍ରକାର ଆନୁଷଙ୍ଗିକ କାର୍ଯ୍ୟ ପାଇଁ କୃଷିଋଣ ସହାୟତା ଯୋଗାଇ ଦିଆଯାଉଛି ।

ମୁଖ୍ୟମନ୍ତ୍ରୀଙ୍କ ସଚିବ(5T) ଭି. କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ।

କୃଷି ବିଭାଗ କମିଶନର ତଥା ସଚିବ ଏସ . କେ . ବଶିଷ୍ଠ ସ୍ଵାଗତ ଭାଷଣ ଦେଇଥିଲେ ଏବଂ କୃଷି ନିର୍ଦ୍ଦେଶକ ମୁଥୁ କୁମାର ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର , କୃଷି ଉତ୍ପାଦନ କମିଶନର ଆର କେ ଶର୍ମା ଏବଂ ୩୦ ଟି ଜିଲ୍ଲା ର ଭୂମିହୀନ ଚାଷୀ ମାନେ ଭିଡିଓ କାନଫରେନସିଂ ଜରିଆରେ ଯୋଗ ଦେଇଥିଲେ ।

Continue Reading
Click to comment

Leave a Reply

Your email address will not be published. Required fields are marked *

ରାଜ୍ୟ

ଭୁବନେଶ୍ୱର ଇନ୍ଦିରା ଗାନ୍ଧୀ ପାର୍କ ଅବ୍ୟବସ୍ଥା ଦେଖି ରାଗିଲେ ସହରୀ ମନ୍ତ୍ରୀ କୃଷ୍ଣ ମହାପାତ୍ର

Published

on

ଭୁବନେଶ୍ୱର: ଓଡିଶା ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ଆଜି ଆଇଜି ପାର୍କ (ଇନ୍ଦିରା ଗାନ୍ଧୀ ପାର୍କ) ଅଚାନକ ପରିଦର୍ଶନ କରିବା ସମୟରେ ସେଠାକାର ଅବ୍ୟବସ୍ଥା ଦେଖି ବିରକ୍ତି ପ୍ରକାଶ କଲେ ।

ପାର୍କର ଅବ୍ୟବସ୍ଥା, ବିଶେଷ କରି ଶୌଚାଳୟ ଏବଂ ପରିସ୍ରାଗାରର ଶୋଚନୀୟ ଅବସ୍ଥା ଦେଖି ଡକ୍ଟର ମହାପାତ୍ର ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିରେ ତୁରନ୍ତ ସୁଧାର ଆଣିବା ସହ ଉପଯୁକ୍ତ ପରିମଳ, ନିୟମିତ ରକ୍ଷଣାବେକ୍ଷଣ ଏବଂ ସେବା ମାନରେ ଉନ୍ନତି ଆଣିବାକୁ ସେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଯଦି ଏହି ଅବହେଳା ଜାରି ରହେ, ତେବେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଚେତାବନୀ ଦେଇଛନ୍ତି।

ଭୁବନେଶ୍ୱର ସହରର ଏକ ପ୍ରମୁଖ ସ୍ଥାନରେ ଅବସ୍ଥିତ ଏହି ପାର୍କକୁ ପ୍ରତିଦିନ ବହୁ ସଂଖ୍ୟାରେ ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା ଆସୁଥିବାରୁ ଏହାର ଯତ୍ନ ଏବଂ ପରିମଳ ବ୍ୟବସ୍ଥା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ଆବଶ୍ୟକ। ପରିଦର୍ଶନ ସମୟରେ ମନ୍ତ୍ରୀ ସେଠାକୁ ଆସିଥିବା ପର୍ଯ୍ୟଟକମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ମିଳୁଥିବା ସୁବିଧା ସୁଯୋଗ ସମ୍ପର୍କରେ ପଚାରି ବୁଝିଥିଲେ।

ମନ୍ତ୍ରୀଙ୍କ ଏହି ପରିଦର୍ଶନ ସମୟରେ ଭୁବନେଶ୍ୱର ମହାନଗର ନିଗମର ଡେପୁଟି କମିଶନର  ଏନ୍. ଗଣେଶ ବାବୁ ଉପସ୍ଥିତ ଥିଲେ। ପାର୍କକୁ ସବୁବେଳେ ସ୍ୱଚ୍ଛ, ନିରାପଦ ଏବଂ ପରିଦର୍ଶକ-ଅନୁକୂଳ କରିବା ପାଇଁ ଅଧିକାରୀ ଓ ରକ୍ଷଣାବେକ୍ଷଣ କର୍ମଚାରୀମାନଙ୍କୁ ନିରୀକ୍ଷଣ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Continue Reading

ରାଜ୍ୟ

ଗ୍ରାମରକ୍ଷୀଙ୍କ ମାସିକ ଭତ୍ତା ୧,୮୦୦ ଶହରୁ ୨,୫୦୦ ଟଙ୍କାକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

Published

on

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଗ୍ରାମାଞ୍ଚଳରେ କାର୍ଯ୍ୟରତ ଗ୍ରାମରକ୍ଷୀ ମାନଙ୍କ ପାଇଁ ପୂର୍ବରୁ ପ୍ରଚଳିତ ଥିବା ମାସିକ ଭତ୍ତାକୁ ବୃଦ୍ଧି କରିଛନ୍ତି। ଏଣିକି ଗ୍ରାମରକ୍ଷୀ ମାନେ ୧,୮୦୦ ଟଙ୍କା ବଦଳରେ ୨,୫୦୦ ଟଙ୍କା ମାସିକ ଭତ୍ତା ପାଇବେ।

ଏଥି ସହିତ ସପ୍ତାହକୁ ଥରେ ସେମାନେ ଯେଉଁ ଥାନା ଅଧୀନରେ କାମ କରୁଥିବେ, ସେଠାକୁ ଯାଇ ସେମାନଙ୍କ ଉପସ୍ଥାନ ଦେବାର ବ୍ୟବସ୍ଥା କରାଯାଇଛି।

ସୂଚନାଯୋଗ୍ୟ ଯେ, ଗ୍ରାମାଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା ଏବଂ ଅପରାଧୀ ଚିହ୍ନଟ ପ୍ରକ୍ରିୟାରେ ଗ୍ରାମରକ୍ଷୀ ମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥାଏ।

Continue Reading

ରାଜ୍ୟ

ଡ଼ି ଏମ ଏଫ ଅର୍ଥ ଖର୍ଚ୍ଚ ନେଇ କଡା ଆଭିମୁଖ୍ୟ ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Published

on

ଭୁବନେଶ୍ୱର: ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବା ଡ଼ିଏମଏଫ ଅର୍ଥ ବ୍ୟୟର ଅଡିଟ ରିପୋର୍ଟ ଓ ବାର୍ଷିକ ରିପୋର୍ଟ ଦାଖଲ କରିବାକୁ କଡା ନିର୍ଦେଶ ଦେଇଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ମଙ୍ଗଳବାର ଡ଼ିଏମଏଫ  ବୈଠକରେ ପାଣ୍ଠିର ସମୀକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀ ମାଝୀ ନିର୍ଦେଶ ଦେଇଛନ୍ତି ଯେ ଏଣିକି ଲଘୁ ଖଣିଜ ପଦାର୍ଥରୁ ମିଳୁଥୁବା ଡ଼ିଏମଏଫ ପାଣ୍ଠି କେବଳ ସେହି ଜିଲ୍ଲା ରେ ଖର୍ଚ୍ଚ ହେବ ।

 

ଆଲୋଚନାରୁ ଜଣାପଡିଛିଯେ, ଚଳିତ ବର୍ଷ ଅକ୍ଟୋବର ମାସ ଶେଷ ସୁଦ୍ଧା ରାଜ୍ୟର ୧୧ ଟି ଡ଼ି.ଏମ.ଏଫ ଜିଲ୍ଲା ମାନଙ୍କରୁ ସମୁଦାୟ ୩୪,୦୫୨ କୋଟି ଟଙ୍କା ଆଦାୟ ହୋଇଛି ଏବଂ ପ୍ରାୟ ୫୫ ପ୍ରତିଶତ ଟଙ୍କା ଖର୍ଚ୍ଚ ହୋଇଛି । ଏହି ଖର୍ଚ୍ଚକୁ ବୃଦ୍ଧି କରି ଲୋକଙ୍କୁ ମୌଳିକ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହା ସହିତ, ୧୦ ଟି ଜିଲ୍ଲାରେ ଡ଼ି.ଏମ.ଏଫ ପୁନଃ ଗଠନ ହେବା ପରେ ଟ୍ରଷ୍ଟ ବୋର୍ଡ ମିଟିଂ ହୋଇସାରିଛି ବୋଲି ବୈଠକରୁ ଜଣାଯାଇଛି ।

ବୈଠକରେ ମୁଖ୍ୟମନ୍ତ୍ରୀ, ବିଭାଗୀୟ ସଚିବଙ୍କୁ ପ୍ରତ୍ୟେକ DMFର ଅଡିଟ୍ ରିପୋର୍ଟ ସହିତ ବାର୍ଷିକ ରିପୋର୍ଟ ଦାଖଲ କରିବାକୁ ଏବଂ ଲଘୁ ଖଣିଜ ପଦାର୍ଥ (Minor Minerals) ରୁ ସଂଗୃହୀତ DMF ପାଣ୍ଠିକୁ ସେହି ଜିଲ୍ଲାର ଯେକୌଣସି ସ୍ଥାନରେ ବ୍ୟବହାର କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ଏହି ପାଣ୍ଠିକୁ ସେହି ସ୍ଥାନର ମୌଳିକ ଆବଶ୍ୟକତା ଯଥା – ଶିକ୍ଷା, ସ୍ୱାସ୍ଥ୍ୟ, ଜଳ ଯୋଗାଣ, ଗମନାଗମନ ଆଦି ବ୍ୟବସ୍ଥା ରେ ଖର୍ଚ୍ଚ କରିବା ପାଇଁ ବୈଠକରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଖଣି ଅଞ୍ଚଳର ନିକଟବର୍ତ୍ତୀ ସ୍ଥାନ ଗୁଡ଼ିକରେ ଲୋକଙ୍କୁ ସମ୍ପୂର୍ଣ୍ଣ ମୌଳିକ ସେବା (Saturation Mode) ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରୁ ଜଣାଯାଇଛି ଯେ, DMF ଟ୍ରଷ୍ଟବୋର୍ଡ ବୈଠକ ଡକାଯାଇ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରାଯିବ। DMF ଦ୍ୱାରା ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ପ୍ରଭାବିତ ଗ୍ରାମଗୁଡ଼ିକୁ ଚିହ୍ନଟ କରାଯିବ। ଖଣି ଅଂଚଳର ପାର୍ଶ୍ୱବର୍ତ୍ତୀ ଜାଗା ଗୁଡିକରେ ଥିବା ଜନବସତି ଗୁଡିକରେ ହେଉଥିବା ପ୍ରଦୂଷଣକୁ ରୋକିବା ପାଇଁ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ବୈଠକରେ ନିର୍ଦ୍ଦେଶ ଦେଇଥିଲେ।

ଯେଉଁ ଜିଲ୍ଲାଗୁଡ଼ିକରେ ବାର୍ଷିକ DMF ପାଣ୍ଠି 10 କୋଟି ଟଙ୍କା କିମ୍ବା ତା’ଠାରୁ ଅଧିକ ସଂଗ୍ରହ ହେଉଛି, ସେମାନେ ଏକ ଏଣ୍ଡାଓମେଣ୍ଟ ପାଣ୍ଠି (Endowment Fund) ଗଠନ କରିବେ। ଏହି ଏଣ୍ଡାଓମେଣ୍ଟ ପାଣ୍ଠିକୁ ସରକାରୀ ସିକ୍ୟୁରିଟି କିମ୍ବା ଅନୁସୂଚିତ ବ୍ୟାଙ୍କଗୁଡ଼ିକର ବଣ୍ଡ ଏବଂ ଏଫଡିରେ ବିନିଯୋଗ କରାଯିବ । ଖଣିଜ ପଦାର୍ଥ ଶେଷ ହେବା ପରେ କିମ୍ୱା କୌଣସି କାରଣରୁ ଖଣି କାର୍ଯ୍ୟକଳାପ ବନ୍ଦ ହୋଇଯାଇଥିବା ଅଞ୍ଚଳରେ ଭବିଷ୍ୟତ ପିଢ଼ିଙ୍କ ପାଇଁ ଜୀବିକା ସୃଷ୍ଟି ପାଇଁ ଏହି ପାଣ୍ଠି ବ୍ୟବହାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions