ଭୁବନେଶ୍ୱର ୨୮/୨ : ‘କାଳିଆ’ ଯୋଜନାରେ ଦିଆଯାଉଥିବା ଟଙ୍କା ଫେରସ୍ତ କରିବାକୁ ପଡ଼ିବ ବୋଲି କେତେକ ଅପପ୍ରଚାର ଚଳାଇଛନ୍ତି। ‘କାଳିଆ ’ ଯୋଜନାରେ ମିଳୁଥିବା ଟଙ୍କା ଚାଷୀଙ୍କର। ଏହାକୁ ଫେରାଇବାକୁ ପଡ଼ିବ ନାହିଁ। ଏହି ଟଙ୍କା ବିନିଯୋଗ କରି ଚାଷୀମାନେ ଚାଷର ଉନ୍ନତି କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଖୋର୍ଦ୍ଧା ଉପକଣ୍ଠ ଗୋଶାଳା ପଡ଼ିଆ ଠାରେ ବିଜୁ ଯୁବ ବାହିନୀର ‘ଯୁବ ସମାବେଶ’ରେ କହିଛନ୍ତି।
ସେବା ମନୋଭାବ ରଖି ଯେଉଁ ଯୁବକମାନେ ବିଜୁ ଯୁବ ବାହିନୀରେ ସାମିଲ ହୋଇ ରାଜ୍ୟର ବିକାଶ ପାଇଁ ମନୋନିବେଶ କରିଛନ୍ତି ସେମାନଙ୍କୁ ଧନ୍ୟବାଦ ଦେଇ ଏହି ସେବା ମନୋଭାବକୁ ବଜାୟ ରଖିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ସେହିପରି ମହିଳା ଓ ଯୁବକମାନଙ୍କ ଉନ୍ନତି ହେଲେ ରାଜ୍ୟର ଉନ୍ନତି ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ।
ଏହି ଅବସରରେ ଯୁବ ବାହିନୀର ଶ୍ରେଷ୍ଠ କାର୍ୟ୍ୟ କରିଥିବା ଯୁବକ/ଯୁବତୀମାନଙ୍କୁ ମାନପତ୍ର ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ୨୦୫ କୋଟି ଟଙ୍କାର ୪୭ଟି ପ୍ରକଳ୍ପର ଉଦ୍ଘାଟନ ଓ ୪୬୬ କୋଟି ୧୮ଲକ୍ଷ ଟଙ୍କାର ୨୫ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।