ଭୁବନେଶ୍ୱର ୪/୧ : ଗଙ୍ଗାଧର ମେହେର ସ୍ୱୟଂଶାସିତ କଲେଜ ଏକକ ବିଶ୍ୱବିଦ୍ୟାଳୟରେ ପରିଣତ ହେବା ପରେ ଏହାର ପ୍ରଥମ ସମାବର୍ତନ ଉତ୍ସବ ଆସନ୍ତା ଶନିବାର ଦିନ ଅନୁଷ୍ଠିତ ହେଉଛି । ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ସମାରୋହରେ ଯୋଗ ଦେଉଛନ୍ତି ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ତଥା ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ଡକ୍ଟର ପ୍ରମୋଦ କୁମାର ମିଶ୍ର । ଡକ୍ଟର ମିଶ୍ର ସମାରୋହରେ ପ୍ରଥମ ସମାବର୍ତନୀ ଦୀକ୍ଷାନ୍ତ ଭାଷଣ ରଖିବେ । ସମ୍ବଲପୁରର ‘ଭୂମିପୁତ୍ର’ ହିସାବରେ ଡକ୍ଟର ମିଶ୍ରଙ୍କ ଅଭିଭାଷଣକୁ ଏହି ପୁରାତନ ଶିକ୍ଷାନୁଷ୍ଠାନର ଛାତ୍ରସମାଜ ଉତ୍ସୁକତାର ସହ ଅନେଇ ବସିଛନ୍ତି । ସହରର ପଟ୍ଟନାୟକପଡ଼ାରେ ଜନ୍ମିତ ତଥା ବିଶିଷ୍ଟ ଆଇନଜୀବୀ ପ୍ରସନ୍ନ କୁମାର ମିଶ୍ରଙ୍କ ପୁତ୍ର ଡକ୍ଟର ମିଶ୍ର ସମ୍ବଲପୁର ଜିଲ୍ଲା ସ୍କୁଲରୁ ପ୍ରାରମ୍ଭିକ ଓ ବାଲ୍ୟଶିକ୍ଷା ସାରି ତକ୍ରାଳୀନ ଗଙ୍ଗାଧର ମେହେର କଲେଜରେ ଉଚ୍ଚଶକ୍ଷା ଆରମ୍ଭ କରିଥିଲେ । ନିଜ କ୍ୟାରିଅରରେ ସର୍ବୋତମ ସ୍ଥାନରେ ରହିଥିବା ଡକ୍ଟର ମିଶ୍ର ୧୯୭୨ରେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍)ରେ ଯୋଗ ଦେଇଥିଲେ ।
ଆଂଚଳିକ ତଥା ଓଡ଼ିଶାର ପରମ୍ପରାକୁ ସମ୍ମାନ ଜଣାଇ ବିଶ୍ୱବିଦ୍ୟାଳୟର ସମାବର୍ତନ ଉତ୍ସବରେ ମଂଚାସୀନ ଅତିଥି ଏବଂ ଡିଗ୍ରୀ ପାଇବାକୁ ଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରଚଳିତ ପାରମ୍ପରିକ ଗାଉନ୍ ଓ ଟୋପି ପରିବର୍ତେ ସମ୍ବଲପୁରୀ ଉତରୀୟ ଓ ଜ୍ୟାକେଟ୍ ପରିଧାନ କରିବେ । ପ୍ରଥମ ବର୍ଷ ପ୍ରାୟ ୧୦୩ଜଣ ଟପ୍ପରଙ୍କୁ ଶ୍ରେଷ୍ଠ ଗ୍ରାଜୁଏଟ୍, ପୋଷ୍ଟ ଗ୍ରାଜୁଏଟ୍, ଏମ୍ଫିଲ୍ ଓ ପିଏଚ୍ଡି ସ୍କଲାର ଭାବେ ଉପାଧି ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି ।