Connect with us



ଭୁବନେଶ୍ବର:ରାଜ୍ୟରେ ସ୍କୁଲ କଲେଜ ପୂଜା ଛୁଟି ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଘୋଷଣା କରିଛନ୍ତି।

 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟରେ କୋଭିଡ ପରିଚାଳନା ସଂପର୍କରେ ସମୀକ୍ଷା କରିଥିଲେ। ବର୍ତ୍ତମାନର ପରିସ୍ଥିତିରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ଉଦ୍‌ବେଗକୁ ଦୃଷ୍ଟିରେ ରଖି ସ୍କୁଲ କଲେଜ ପୂଜା ଛୁଟି ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। 

ସେହିପରି ଗ୍ରାମ୍ୟ ଅର୍ଥନୀତିର ପୁନଃରୁଦ୍ଧାର ପାଇଁ ଅଧିକ ଋଣ ସହାୟତା, MSME, କୃଷି,  ମତ୍ସ୍ୟ ଓ ପଶୁପାଳନ ଏବଂ SHG ଉପରେ ଅଧିକ ଫୋକସ୍‌  ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। କୋଭିଡ ପରିସ୍ଥିତି ଯୋଗୁ ଅନ୍ୟ ରାଜ୍ୟରୁ ଆସିଥିବା ଭାଇଭଉଣୀମାନେ ଯେପରି ଓଡିଶାରେ ରୋଜଗାର ପାଇପାରିବେ,  ସେଥିପାଇଁ ସେମାନଙ୍କୁ ଛୋଟ ଛୋଟ ବ୍ୟବସାୟ ପାଇଁ ରିହାତିରେ ଋଣ ଯୋଗାଇ ଦିଆଯିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ । ସେହିପରି ନିର୍ମାଣ ଶ୍ରମିକ ଯୋଜନାରେ ସେମାନଙ୍କର ଦକ୍ଷତା ନିରୂପଣ ଓ ପଞ୍ଜିକରଣ ସୁବିଧାରେ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଛେଳି, କୁକୁଡା ପାଳନ, ମତ୍ସ୍ୟ ଚାଷ ଆଦି ବିଭିନ୍ନ ଜୀବିକା କାର୍ଯ୍ୟକ୍ରମ ଲୋକଙ୍କୁ ରୋଜଗାର ଦେବାରେ ବିଶେଷ ସଫଳ ହେଉଥିବାରୁ, ଏହାକୁ ଅଧିକ ବ୍ୟାପକ କରିବା ଏବଂ ଅଧିକ ଲୋକଙ୍କୁ ଏଥିରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ମାସ୍କ ତିଆରିରେ ନିୟୋଜିତ ଥିବା SHGର ମା ମନେ ଯେଭଳି ଏହି ସମୟରେ ରୋଜଗାର କରିପାରିବେ, ସେଥିପାଇଁ ବିଧାୟକ ଆଞ୍ଚଳିକ ବିକାଶ ପାଣ୍ଠି ଅର୍ଥରେ SHGରୁ ମାସ୍କ କିଣାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। SHG ମାନେ ଯେପରି ସୁବିଧାରେ ଋଣ ପାଇପାରିବେ, ସେଥିପାଇଁ ଦୃଷ୍ଟି ରଖିବା ସହିତ ବ୍ୟାଙ୍କ ମାନଙ୍କ ସହିତ ଯୋଗାଯୋଗରେ ରହିବା ପାଇଁ ପରାମର୍ଶ ଦେଇଥିଲେ। ଗ୍ରାମାଞ୍ଚଳରେ ନିର୍ମାଣ କାର୍ଯ୍ୟ ବିଶେଷ କରି ଗୃହ ନିର୍ମାଣ କାମ ଉପରେ ଅଧିକ ଗୁରୁତ୍ବ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଏତଦ୍‌ବ୍ୟତୀତ ଚାଷୀ ମାନଙ୍କୁ ସୁବିଧାରେ ଏବଂ ଶୀଘ୍ର କୃଷି ଋଣ ଯୋଗାଣ  ଏବଂ କ୍ଷୁଦ୍ର, ମଧ୍ୟମ ଓ ଅଣୁ ଶିଳ୍ପର ପୁନରୁଦ୍ଧାରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସହାୟତା ଯୋଗାଇବା ପାଇଁ  ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। 
କୋଭିଡ ପରିଚାଳନା ସଂପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ ମହାମାରୀ ସମୟରେ ଆତ୍ମସନ୍ତୋଷ ହିଁ ସବୁଠାରୁ ବଡ ଶତ୍ରୁ । ତେଣୁ ସାଧାରଣ ଲୋକ ହୁଅନ୍ତୁ, ବା ସରକାରୀ କର୍ମଚାରୀ ସମସ୍ତେ ଏଥିପ୍ରତି ସତର୍କ ରହି କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ରାଜ୍ୟରେ ଅଧିକ testing କରାଯାଉଥିବା ସହିତ positivity ହାର କମିଥିବା ଏବଂ ମୃତ୍ୟୁ ହାର ମଧ୍ୟ କମି ଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ। Hotspot ଜିଲ୍ଲା ମାନଙ୍କରେ ଯେଉଁ ଅଞ୍ଚଳଭିତ୍ତିକ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି, ତାକୁ କଡାକଡ ଭାବରେ ପାଳନ କରିବା ସହିତ ଆଗାମୀ ସପ୍ତାହ ବେଳକୁ ଯେଭଳି ପରିସ୍ଥିତିରେ ଆଖିଦୃଶିଆ ଉନ୍ନତି ଆସିପାରିବ, ସେ ଦିଗରେ କାମ କରିବା ପାଇଁ ଜିଲ୍ଲା ପର୍ଯ୍ୟବେକ୍ଷକ ମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ବିଭିନ୍ନ ଆଞ୍ଚଳିକ କୋଭିଡ ଚିକିତ୍ସାଳୟ ମାନଙ୍କରେ ଆବଶ୍ୟକ ମୁତାବକ ICU ଶଯ୍ୟାର ଉପଲବ୍‌ଧତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ। ତା ସହିତ କୋଭିଡ ନିୟମାବଳୀକୁ କଡାକଡି ଭାବରେ ପାଳନ କରି ସରକାରୀ ଅଫିସ ଗୁଡିକୁ ସଂକ୍ରମଣମୁକ୍ତ ରଖିବାକୁ ସବୁପ୍ରକାର ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। 

କୋଭିଡ ଯୋଦ୍ଧା ମାନଙ୍କ ଭିତରେ ସଂକ୍ରମଣ ହାର କମୁଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ।

କୃଷି ମନ୍ତ୍ରୀ ଅରୁଣ ସାହୁ, ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଗ୍ରାମ୍ୟ ଅର୍ଥନୀତି ପୁନରୁଦ୍ଧାର ପ୍ୟାକେଜ, ପ୍ଲାଜମା ସଂଗ୍ରହ ଏବଂ ଅନ୍ୟ ରାଜ୍ୟରୁ ଆସିଥିବା ଓଡିଆ ଶ୍ରମିକ ମାନଙ୍କର ପଞ୍ଜିକରଣ ସମସ୍ୟା ଆଦି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ରାଜ୍ୟର ଅର୍ଥନୀତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ବିସ୍ତୃତ ଭାବରେ ଅବଗତ କରାଇଥିଲେ ଏବଂ ଜୁଲାଇ ମାସରୁ ପରିସ୍ଥିତିରେ ସୁଧାର ପରିଲକ୍ଷିତ ହେଉଛି ବୋଲି ଜଣାଇଥିଲେ।

ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ତାଙ୍କ ଉପସ୍ଥାପନାରେ କୋଭିଡ ପରିସ୍ଥିତି ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ଉପସ୍ଥାପନାରୁ ଜଣାଯାଇଛି ଯେ ରାଜ୍ୟରେ recovery rate ଗତ ସପ୍ତାହରୁ ବଢି ୭୧.୩ ପ୍ରତିଶତରେ ପହଞ୍ଚିଥିବା ବେଳେ ମୃତ୍ୟୁ ହାର ହ୍ରାସ ପାଇ ୦.୫ ପ୍ରତିଶତ ହୋଇଛି। ୫୪ ପ୍ରତିଶତ ସକ୍ରିୟ ସଂକ୍ରମିତ ରୋଗୀ ଗୃହ ସଂଗରୋଧରେ ରହୁଛନ୍ତି । ସେହିପରି ପୋଲିସ, ଅଗ୍ନିଶମ ଓ NDRAFର କର୍ମଚାରୀ ପ୍ଲାଜମା ଦାତା ମାନଙ୍କ ମଧ୍ୟରେ ଆଗୁଆ ରହିଛନ୍ତି । କଟକ, ବାଲେଶ୍ବର ଓ କେନ୍ଦ୍ରାପଡା ଜିଲ୍ଲା ପ୍ଲାଜମା ସଂଗ୍ରହ କ୍ଷେତ୍ରରେ ବହୁତ ଭଲ କାମ କରିଥିବା ବେଳେ ମାଲକାନଗିରି, ବୌଦ ଓ ରାୟଗଡ ଜିଲ୍ଲା ଗୃହ ସଂଗରୋଧ କ୍ଷେତ୍ରରେ ବହୁତ ଭଲ କାମ କରିଛନ୍ତି। ଆସନ୍ତା ୨୮ ତାରିଖରୁ ଭୁବନେଶ୍ବରରେ ଦ୍ବିତୀୟ ପର୍ଯ୍ୟାୟ ଏବଂ ରାଉରକେଲାରେ ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସେ ସୂଚନା ଦେଇଥିଲେ। ଆସନ୍ତାକାଲି କୋରାପୁଟରେ ଆଉ ଏକ ପ୍ଲାଜମା ବ୍ୟାଙ୍କ ଖୋଲାଯିବ।

କଟକ,ଖୋର୍ଦ୍ଧା, ସୁନ୍ଦରଗଡ ଓ ରାୟଗଡା ଜିଲ୍ଲାର କୋଭିଡ ପରିସ୍ଥିତି ଓ ମୁକାବିଲା ସଂପର୍କରେ ଜିଲ୍ଲା ପର୍ଯ୍ୟବେକ୍ଷକ ଓ ମ୍ୟୁନିସପାଲ କମିଶନର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। କଟକରେ କୋଭିଡ ମୁକାବିଲା ପାଇଁ ଯେକୌଣସି ଅତିରିକ୍ତ ସହାୟତା ଆବଶ୍ୟକ ହେଲେ ତୁରନ୍ତ ରାଜ୍ୟ ସରକାରଙ୍କୁ ଜଣାଇ ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ସେହିପରି ରାଉରକେଲାରେ କୋଭିଡ ମୁକାବିଲାରେ ନିୟୋଜିତ ବିଭିନ୍ନ ସଂସ୍ଥା ମାନଙ୍କ ମଧ୍ୟରେ ଅଧିକ ସମନ୍ବୟ ରଖି କୋଭିଡ ପରିଚାଳନା କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ବୈଠକରେ ରାଜ୍ୟରେ ବର୍ଷା ଓ ସମ୍ଭାବିତ ବନ୍ୟା ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ସୂଚନା ଦେଇ କହିଥିଲେ ଗତ ଦୁଇ ଦିନ ଭିତରେ ରାଜ୍ୟର ୯ଟି ଜିଲ୍ଲାରେ ହାରାହାରି ୧୦୦ ମିଲିମିଟର ବର୍ଷା ହୋଇଛି। ବୈତରଣୀ, ବୁଢାବଳଙ୍ଗ ଓ ସାଳନ୍ଦୀ ନଦୀରେ ଅଧିକ ପାଣି ଆସିଛି। ଆଜି ରାତି ଠାରୁ ଆସନ୍ତା କାଲି ମଧ୍ୟରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ବୈତରଣୀ, ବୁଢାବଳଙ୍ଗ ଓ ତେଲ ଆଦି ନଦୀରେ ମଧ୍ୟମ ଧରଣର ବନ୍ୟା ଆସିବାର ସମ୍ଭାବନା ରହିଛି। ଲୋକଙ୍କୁ ବନ୍ୟା ସମୟରେ ଉଦ୍ଧାର କରିବା ପାଇଁ ୧୦ଟି ODRAF team ଓ ଅଗ୍ନିଶମ ସେବା ୟୁନିଟ୍‌ ନିୟୋଜିତ ହୋଇଛନ୍ତି। ନଦୀବଂଧ ଗୁଡିକରେ patrolling କରାଯାଉଛି । ଜଳପ୍ଲାବିତ ଅଞ୍ଚଳ ଗୁଡିକରେ ଜଳ ନିଷ୍କାସନର ବ୍ୟବସ୍ଥା କରାଯାଉଛି। ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗୀୟ ସଚିବ ମାନଙ୍କ ସହିତ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ଏହି ବୈଠକରେ ପୋଲିସ ମହାନିର୍ଦ୍ଦେଶକ ଅଭୟ, ଗୃହ ବିଭାଗର ପ୍ରମୁଖ ସଚିବ ସଂଜୀବ ଚୋପ୍ରା ଆଦି ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ବୈଠକ ସଞ୍ଚାଳନ କରିଥିଲେ।

Continue Reading
Click to comment

Leave a Reply

Your email address will not be published. Required fields are marked *

Health

ଓଡିଶା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଙ୍କୁ ସାକ୍ଷାତ କଲେ ଏମ୍ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ 

Published

on

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏବଂ ସିଇଓ ଡ. ଆଶୁତୋଷ ବିଶ୍ୱାସ ଗତକାଲି ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ସାକ୍ଷାତ କରିଥିଲେ। ରାଜ୍ୟରେ ସ୍ୱାସ୍ଥ୍ୟସେବା ସେବାକୁ ସୁଦୃଢ଼ କରିବା ଏବଂ ବିଭିନ୍ନ ସହଯୋଗମୂଳକ ପଦକ୍ଷେପକୁ ପ୍ରୋତ୍ସାହିତ କରିବା ଉପରେ ଉଭୟଙ୍କ ମଧ୍ୟରେ ଏକ ବିସ୍ତୃତ ଆଲୋଚନା ହୋଇଥିଲା।

ଏହି ଅବସରରେ, ଡ. ବିଶ୍ୱାସ ମୁଖ୍ୟ ଶାସନ ସଚିବଙ୍କୁ ଏମ୍ସ ଭୁବନେଶ୍ୱରରେ ରୋଗୀ ସେବା ସହିତ ଜଡ଼ିତ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ସମ୍ପର୍କରେ ସୂଚନା ଦେଇଥିଲେ। ଏଥିସହିତ ଗୁଣବତ୍ତାପୂର୍ଣ୍ଣ ସ୍ୱାସ୍ଥ୍ୟସେବା ପ୍ରଦାନ, ଗବେଷଣା ଏବଂ ଡାକ୍ତରୀ ଶିକ୍ଷାପ୍ରଦାନ ସମ୍ପର୍କିତ ବିଭିନ୍ନ ପଦକ୍ଷେପ ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ମଧ୍ୟ ଆଲୋକପାତ କରିଥିଲେ।

ସ୍ୱାସ୍ଥ୍ୟସେବା ପ୍ରଦାନରେ ଉନ୍ନତି ଆଣିବା, ସାଂସ୍ଥାଗତ ସହାୟତାକୁ ସୁଦୃଢ଼ କରିବା ଏବଂ ଓଡ଼ିଶାର ଲୋକଙ୍କ ବର୍ଦ୍ଧିତ ସ୍ୱାସ୍ଥ୍ୟସେବା ଆବଶ୍ୟକତା ପୂରଣ କରିବା ପାଇଁ ସମନ୍ୱିତ ପ୍ରୟାସ, ପାରସ୍ପରିକ ସହଯୋଗ ଉପରେ ଆଲୋଚନା ହୋଇଥିଲା।

ରାଜ୍ୟ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସ୍ୱାସ୍ଥ୍ୟସେବା ପ୍ରଦାନ ପ୍ରତି ଏମ୍ସ ଭୁବନେଶ୍ୱର ଦ୍ୱାରା ଗ୍ରହଣ କରାଯାଇଥିବା ବ୍ୟାପକ ଏବଂ ସାମଗ୍ରିକ ଆଭିମୁଖ୍ୟକୁ ପ୍ରଶଂସା କରିଥିଲେ। ରାଜ୍ୟର ସାମଗ୍ରିକ ଲାଭ ପାଇଁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସେବାକୁ ଆଗକୁ ବଢାଇବା ଏବଂ ସାଂଗଠନିକ ସହଯୋଗକୁ ସୁଦୃଢ଼ କରିବା ପାଇଁ ସେ ନିରନ୍ତର ସମର୍ଥନ ଏବଂ ମିଳିତ ପ୍ରତିବଦ୍ଧତା ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Continue Reading

Health

ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ପାଇଁ ପ୍ରସ୍ତୁତି ଆରମ୍ଭ

Published

on

ଭୁବନେଶ୍ବର: ଓଡ଼ିଶାବାସୀ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ଯ ଯୋଜନାର ସୁଫଳ କିପରି ଯଥାଶୀଘ୍ର ପାଇପାରିବେ ସେ ନେଇ ବିଭାଗ ବିଭିନ୍ନ ପ୍ରସ୍ତୁତି ଓ ପ୍ରଶିକ୍ଷଣ ଆରମ୍ଭ କରିଛି ।

ଏହି ସମନ୍ୱିତ ଯୋଜନା ଦ୍ବାରା ରାଜ୍ଯବାସୀ ଦେଶର ପ୍ରାୟ 30 ହଜାର ଚିକିତ୍ସାଳୟରେ ଉନ୍ନତ ସ୍ବାସ୍ଥ୍ୟସେବା ପାଇପାରିବେ । ଓଡ଼ିଶାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆସିବ ଯୁଗାନ୍ତକାରୀ ପରିବର୍ତ୍ତନ ।

ରାଜ୍ଯ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ଯାଣ ବିଭାଗ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ଯ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ଯ ଯୋଜନାକୁ ସମନ୍ବିତ କରି ଜନସାଧାରଣଙ୍କୁ ଅତିଶୀଘ୍ର ସ୍ବାସ୍ଥ୍ୟସେବାର ସୁଫଳ ଦେବା ପାଇଁ ବିଭିନ୍ନ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଆଜିଠାରୁ ଯୋଜନା ସହ ସଂପୃକ୍ତ ବିଭିନ୍ନ ଅଂଶୀଦାର ଏବଂ ପ୍ରଧାନମନ୍ତ୍ରୀ ଆରୋଗ୍ଯମିତ୍ରଙ୍କ ଦକ୍ଷତା ବିକାଶ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।
ପ୍ରଥମ ଦିନରେ 60ଟି ଚିକିତ୍ସାଳୟର 180 ଜଣଙ୍କୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ଯ ଯୋଜନା ସମ୍ପର୍କିତ ଆବେଦନ ପ୍ରକ୍ରିୟା, ଆଇଟି ପ୍ଲାଟଫର୍ମର ବିବିଧ ବ୍ଯବହାର, ଟ୍ରାନ୍ ଜେକ୍ ସନ ମ୍ୟାନେଜମେଣ୍ଟ ସିଷ୍ଟମ୍, ଅଭିଯୋଗ ସମାଧାନ ପ୍ରକ୍ରିୟା ଆଦି ବିଷୟରେ ମାଷ୍ଟର ଟ୍ରେନରମାନେ ପ୍ରଶିକ୍ଷଣ ଦେଇଥିଲେ । ପର୍ଯ୍ଯାୟକ୍ରମେ ଯୋଜନା ସହ ସଂପୃକ୍ତ ସମସ୍ତ ସରକାରୀ ଓ ବେସରକାରୀ ଅଂଶୀଦାର ଏବଂ ପ୍ରଧାନମନ୍ତ୍ରୀ ଆରୋଗ୍ଯ ମିତ୍ରମାନଙ୍କୁ ପ୍ରଶିକ୍ଷଣ ଦିଆଯିବ ।

ରାଜ୍ୟ ସ୍ୱାସ୍ଥ୍ୟ ପ୍ରତିଶୃତି ସମିତି (ସାସ)ର ସିଇଓ ତଥା
ଜାତୀୟ ସ୍ବାସ୍ଥ୍ୟ ମିଶନ (ଓଡ଼ିଶା)ର ମିଶନ ନିର୍ଦ୍ଦେଶିକା ଡା. ବୃନ୍ଦା ଡି., ଡା. ବିଷ୍ଣୁପ୍ରସାଦ ମହାପାତ୍ର, ଡା. ରଶ୍ମିରଞ୍ଜନ ମହାପାତ୍ର, ଡା. ଅରୁଣ ମହାପାତ୍ର, ଶ୍ରୀ ଶରତ ମିଶ୍ର ପ୍ରମୁଖ ପ୍ରଶିକ୍ଷଣ ଦେଇଥିଲେ ।

 

Continue Reading

Health

ମୃତ ଯୁବକ ଫେରି ପାଇଲେ ଜୀବନ

Published

on

ଭୁବନେଶ୍ୱର: ବନ୍ଦ ହୋଇଗଲା ହୃଦଯନ୍ତ୍ର l ଚବିଶ ବର୍ଷୀୟ ଶୁଭକାନ୍ତ ସାହୁ, ଭାରତୀୟ ସୈନ୍ୟ ବାହିନୀର ଯବାନଙ୍କୁ ବୋଲି ଘୋଷଣା କରିଦେଇଥିଲେ ଡାକ୍ତର l ହେଲେ ଶୁଭକାନ୍ତ ବଞ୍ଚି ଉଠିଲେ l

ଚିକିତ୍ସା ବିଜ୍ଞାନ ଏବଂ କାର୍ଯ୍ୟଦକ୍ଷତାର ଅପୂର୍ବ ସମନ୍ୱୟ, ନିଶ୍ଚିତ ମୃତ୍ୟୁ ମୁଖରୁ ଯବାନଙ୍କୁ ବଞ୍ଚାଇ ଆଣିଲେ ଏମ୍‌ସ ଭୁବନେଶ୍ୱର ଡାକ୍ତରୀ ଦଳ l ଦୁଇ ଘଣ୍ଟା ପରେ ପୁନଃକାର୍ଯ୍ୟ କଲା ବନ୍ଦ ହୋଇଯାଇଥିବା ଶୁଭକାନ୍ତଙ୍କ ହୃଦୟ l

ଚିକିତ୍ସା ବିଜ୍ଞାନ ଏବଂ କାର୍ଯ୍ୟଦକ୍ଷତାର ଅପୂର୍ବ ସମନ୍ବୟ ସହିତ ଏମ୍‌ସ ଭୁବନେଶ୍ୱରରେ ଏକ ଉତ୍ସର୍ଗୀକୃତ ଡାକ୍ତରୀ ଦଳ ଉନ୍ନତ ଏକ୍ସଟ୍ରାକୋର୍‌ପୋରାଲ୍ କାର୍ଡିଓ-ପୁଲମୋନାରୀ ରେସୁସିଟେସନ୍‌ (ଇ-ସିପିଆର୍‌) ମାଧ୍ୟମରେ ଏହି ୨୪ ବର୍ଷ ବୟସ୍କ ଆର୍ମୀ ଯବାନଙ୍କୁ ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା କରିଛନ୍ତି। ନୟାଗଡ଼ ରଣପୁର ଅଞ୍ଚଳରୁ ଆସିଥିବା ଏହି ଯୁବକଙ୍କର ହୃଦୟ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବା ବନ୍ଦ ହୋଇଯାଇଥିଲା। ମାତ୍ର ଏମ୍‌ସ ଭୁବନେଶ୍ୱର ଡାକ୍ତରୀ ଦଳଙ୍କ ନିଷ୍ଠାପର ଉଦ୍ୟମ ଏବଂ ଚିକିତ୍ସା ଜ୍ଞାନକୌଶଳର ସଫଳ ପ୍ରୟୋଗ ଉକ୍ତ ଯବାନଙ୍କ ଜୀବନ ରକ୍ଷା କରିବାରେ ସହାୟକ ହୋଇଛି। ଓଡ଼ିଶା ସମେତ ପୂର୍ବ ଭାରତରେ ପ୍ରଥମ କୁହାଯାଉଥିବା ଏହି ଇସିପିଆର୍‌ ପ୍ରଣାଳୀର ଚମତ୍କାର ଉପଯୋଗ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତ ଜ୍ଞାନକୌଶଳର ସମ୍ମୀଶ୍ରଣ ତଥା ଏମ୍‌ସର ଡାକ୍ତରୀ ଦଳଙ୍କ ଅଦମ୍ୟ ପ୍ରତିବଦ୍ଧତାର ଉଦାହରଣ ସାବ୍ୟସ୍ତ ହୋଇଛି।

ଏମ୍‌ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଏପରି ଅନନ୍ୟ କାର୍ଯ୍ୟକୁ ସଫଳ ରୂପ ପ୍ରଦାନ କରିଥିବା ଡାକ୍ତରୀ ଦଳର ପ୍ରଶଂସା କରିଛନ୍ତି। ଏମ୍‌ସ ଭୁବନେଶ୍ୱର ଚିକିତ୍ସା ବିଜ୍ଞାନ ଓ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୁକ୍ତ ସମନ୍ବୟ ସହିତ ଅଗ୍ରଗାମୀ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସର୍ବଦା ଆଗରେ ରହିଆସିଛି। ଜୀବନ ବଞ୍ଚାଇବା ଏବଂ ଚିକିତ୍ସା ସେବାକୁ ଆଗକୁ ନେବା ପାଇଁ ଏହା ଆମର ଉତ୍ସର୍ଗୀକୃତ ଭାବନାର ଏକ ଉଦାହରଣ ବୋଲି ଡ. ବିଶ୍ବାସ ମତବ୍ୟକ୍ତ କରିଛନ୍ତି।

ଉଲ୍ଲେଖଯୋଗ୍ୟଯେ ଜଟିଳ ସ୍ବାସ୍ଥ୍ୟାବସ୍ଥାରେ ଗୁରୁତର ଥିବା ଉପରୋକ୍ତ ଯୁବକଙ୍କୁ ଅକ୍ଟୋବର ପହିଲାରେ ଏମ୍‌ସ ଭୁବନେଶ୍ୱରକୁ ରେଫର୍ କରାଯାଇଥିଲା। ଏମ୍‌ସରେ ପହଞ୍ଚିବାର କିଛି ସମୟ ପରେ ଯୁବକ ଜଣଙ୍କ ହୃଦ୍‌ଘାତରେ ଆକ୍ରାନ୍ତ ହୋଇଥିଲେ। ଜୀବନ ବଞ୍ଚାଇବା ନିମିତ୍ତ ୪୦ ମିନିଟ୍‌ର ପ୍ରାଥମିକ ସିପିଆର୍‌ ସତ୍ତ୍ବେ ତାଙ୍କର ହୃଦୟ କାର୍ଯ୍ୟ କରିନଥିଲା। ଏପରି ଅବସ୍ଥାରେ ସାଧାରଣତଃ ଦୁଇଟି ନିଷ୍ପତି ନିଆଯାଇଥାଏ। ମୃତ୍ୟୁ ଘୋଷଣା କରିବା କିମ୍ବା ଇ-ସିପିଆର୍‌ ପ୍ରଣାଳୀ ପ୍ରୟୋଗ କରିବା। ତେବେ ଏମ୍‌ସ ଡାକ୍ତରୀ ଦଳ ଏହାକୁ ଏକ ଆହ୍ବାନ ଭାବେ ଗ୍ରହଣ କରି ଯବାନଙ୍କର ଜୀବନ ବଞ୍ଚାଇବା ନିମନ୍ତେ ନିରନ୍ତର ଉଦ୍ୟମ କରିଥିଲେ। ଏକ୍‌ମୋ ବିଶେଷଜ୍ଞ ଡ. ଶ୍ରୀକାନ୍ତ ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ପ୍ରାୟ ୮୦ ମିନିଟ୍‌ର ମାରାଥନ୍ ସିପିଆର୍‌ ପରେ ଯୁବକଙ୍କୁ ଏକ୍‌ମୋ ପ୍ରଣାଳୀ ପ୍ରଦାନ ଆରମ୍ଭ କରିଥିଲେ। ତେବେ ଇସିପିଆର୍‌ ଦେବାର ୪୦ ମିନିଟ୍‌ ପରେ ଯୁବକଙ୍କ ହୃଦୟ କାର୍ଯ୍ୟ ଆରମ୍ଭ କରିଥିଲା। ପରବର୍ତ୍ତୀ ୩୦ ଘଣ୍ଟା ମଧ୍ୟରେ, ହୃଦୟର କାର୍ଯ୍ୟରେ ଯଥେଷ୍ଟ ଉନ୍ନତି ହେଲା, ଏବଂ ୯୬ ଘଣ୍ଟା ପରେ ରୋଗୀଙ୍କୁ ସଫଳତାର ସହିତ ଏକ୍‌ମୋରୁ ବାହାର କରାଯାଇଥିଲା। ଦଳଗତ ଭାବେ ଉଲ୍ଲେଖନୀୟ ପାରଦର୍ଶୀତା, ସମନ୍ୱୟ ଏବଂ ଉତ୍ସର୍ଗୀକୃତ ପ୍ରଦର୍ଶନ ମାଧ୍ୟମରେ ଏପରି ଏକ ଜଟିଳ କାର୍ଯ୍ୟ ସମ୍ପାଦନ କରି ଜଣେ ଯବାନଙ୍କ ଜୀବନ ବଞ୍ଚାଇବା ଏକ ଅନନ୍ୟ ସଫଳତା।

ପୁଅକୁ ଦ୍ବିତୀୟ ଜୀବନ ପ୍ରଦାନ କରିଥିବାରୁ ଏମ୍‌ସ ଭୁବନେଶ୍ୱର ଡାକ୍ତରୀ ଦଳକୁ କୃତଜ୍ଞତା ପ୍ରଦାନ କରିଛନ୍ତି ଯବାନଙ୍କ ମା। ଏମ୍‌ସ ଡାକ୍ତରମାନଙ୍କର ଦକ୍ଷତା, କରୁଣା ଏବଂ ନିଷ୍ଠାକୁ ଆମ ପରିବାର ସବୁଦିନ ମନେରଖିବ ବୋଲି ଯବାନଙ୍କ ମା ପ୍ରକାଶ କରିଛନ୍ତି।

ଇ-ସିପିଆର୍‌ ପ୍ରଣାଳୀ ଏକ କଷ୍ଟସାଧ୍ୟ ପ୍ରକ୍ରିୟା ଏବଂ ଏହାକୁ ସଫଳତାର ସହିତ ପ୍ରୟୋଗ କରିବା ଏକ ଆହ୍ବାନ। ମାତ୍ର ଆମ ଡାକ୍ତରୀ ଦଳ ଏବଂ ଅନ୍ୟାନ୍ୟ ସହଯୋଗୀଙ୍କ ଦଳଗତ ମନୋଭାବ କାରଣରୁ ଏହା ସଫଳ ହୋଇପାରିଛି। ଏହି ସଫଳତା ଓଡ଼ିଶାର ଚିକିତ୍ସା ଇତିହାସରେ ଏକ ମାଇଲଖୁଣ୍ଟ ଭାବେ ହୃଦ୍‌ଘାତର ଚିକିତ୍ସାରେ ଏକ ସମ୍ଭାବନାପୂର୍ଣ୍ଣ ପଦ୍ଧତିର ପ୍ରତିନିଧିତ୍ବ କରିବ ବୋଲି ଡ. ଶ୍ରୀକାନ୍ତ ବେହେରା ମତ ପ୍ରକାଶ କରିଛନ୍ତି।

ଏହି ପ୍ରକ୍ରିୟାରେ ଡ. କ୍ରିଷ୍ଣମୋହନ ଗୁଲା, ଡ. ସନ୍ଦୀପ କୁମାର ପଣ୍ଡା, ଡ. ସିଦ୍ଧାର୍ଥ ସାଠିଆ, ଡ. ସଙ୍ଗୀତା ସାହୁ, ଡ. ମାନସ ପାଣିଗ୍ରାହୀ, ଏମ୍‌ସିଆଇ ଏବଂ ନର୍ସିଂ ଅଧିକାରୀଙ୍କ ଭଳି ସ୍ବାସ୍ଥ୍ୟସେବା ପ୍ରଦାନକାରୀ ପ୍ରମୁଖ ସାମିଲ ଥିଲେ।

ଏହି ଅଭିନବ ସଫଳତା ପାଇଁ ମେଡିକାଲ୍‌ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡ. ଅନୁପମ ଦେ, ଡ. ରଶ୍ମିରଞ୍ଜନ ମହାନ୍ତି, ଡ. ଦେବାନନ୍ଦ ସାହୁ ପ୍ରମୁଖ ଡାକ୍ତରୀ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions