ଭୁବନେଶ୍ବର: ଅନ୍ଧ୍ର-ଓଡ଼ିଶା ସୀମା ବିବାଦରେ ଥିବା କୋରାପୁଟ ଜିଲ୍ଲା ପଟାଙ୍ଗି ଅଂଚଳର କୁଟିଆ ପଞ୍ଚାୟତ ଗସ୍ତରେ ଯିବେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଭିଡିଓ କନ୍ଫରେସନ୍ସିଂ ମାଧ୍ୟମରେ କୋରାପୁଟ ଜିଲ୍ଲା ପଟାଙ୍ଗି ଅଂଚଳର କୁଟିଆ ପଞ୍ଚାୟତ ପାଇଁ ୧୮ କୋଟି ଟଙ୍କାର ବିଭିନ୍ନ ପ୍ରକଲ୍ପର ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ ଖୁବ ଶୀଘ୍ର କୁଟିଆ ପଂଚାୟତ ଗସ୍ତରେ ଯିବେ ଏବଂ ସେଠାକାର ଲୋକଙ୍କୁ ଭେଟିବେ।
ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୁଟିଆ ଅଞ୍ଚଳକୁ ଏକ ଆଦର୍ଶ ପଞ୍ଚାୟତ ଭାବରେ ଗଠନ କରାଯିବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଟିଆ ପଞ୍ଚାୟତରେ ଶିକ୍ଷା, ସ୍ବାସ୍ଥ୍ୟ, ଯୋଗାଯୋଗ, ପିଇବା ପାଣି, ବିଜୁଳି ଆଦି ସବୁ ସୁବିଧାର ବିକାଶ କରାଯାଇଛି ।
ମୁଖ୍ୟମନ୍ତ୍ରୀ ଆଜି ୧୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ର ଶୁଭାରମ୍ଭ ରିଛନ୍ତି। ଏଥିମଧ୍ୟରୁ ୧୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ହୋଇଥିବା ବେଳେ ୫ କୋଟି ଟଙ୍କାର ଗୋଟିଏ ହାଇ ଲେବେଲ ସେତୁ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ରଖାଯାଇଛି । ସମୁଦାୟ ୧୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ କାମ ଜାରି ରହିଛି।
ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ୨୦୧୮ରେ କୁଟିଆ ପଞ୍ଚାୟତର ବିକାଶ ପାଇଁ ୧୫୦ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମାଲକାନଗିରିରୁ ମୟୁରଭଂଜ, କୋରାପୁଟରୁ କଟକ – ସବୁ ଅଞ୍ଚଳର ବିକାଶ ପାଇଁ ସେ କାମ କରୁଛନ୍ତି । ବିକାଶର ସୁଫଳ ପ୍ରତି ପରିବାର ପାଖରେ ପହଞ୍ଚାଇବା ପାଇଁ, ରାଜ୍ୟର ସବୁ କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ କାମ କରୁଛୁ ବୋଲି ସେ କହିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ଆମର ମା । ଓଡିଆ ଆମର ଭାଷା । ମହାପ୍ରଭୁ ଜଗନ୍ନାଥ ଆମର ବଡ ଠାକୁର । ଜଗନ୍ନାଥ ସଂସ୍କୃତି ଆମର ସଂସ୍କୃତି। କୋରାପୁଟକୁ ଆମେ ଦ୍ବିତୀୟ ଶ୍ରୀକ୍ଷେତ୍ର ବୋଲି କହିଥାଉ ।
ସ୍ବାଧୀନତା ସଂଗ୍ରାମରେ ମଧ୍ୟ କୋରାପୁଟ ବଡ ଭୂମିକା ବିଷୟରେ ଆଲୋକପାତ କରି ସେ ଏହି ଅବସରରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତି ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ବିକାଶ ମୂଳକ କାର୍ଯ୍ୟକ୍ରମ ଯୋଗୁ କୁଟିଆ ପଞ୍ଚାୟତରେ ବହୁତ ଉନ୍ନତି ଆସିଛି। ଗାଁର ଲୋକମାନେ ରାସ୍ତାଘାଟ, ପାଣି, ବିଜୁଳି, ଶିକ୍ଷା ଆଦି ବିଭିନ୍ନ ସୁବିଧା ପାଇପାରୁଛନ୍ତି। ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ ।
କୋରାପୁଟ ଓ ପଟାଙ୍ଗିର ବିଧାୟକ ମଧ୍ୟ ଏହି ଅବସରରେ ନିଜର ମତବ୍ୟକ୍ତ କରି କୁଟିଆ ଆଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ। କୁଟିଆ ପଞ୍ଚାୟତର ପ୍ରତିନିଧି, ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନେ ମଧ୍ୟ ଏହି ଅବସରରେ ନିଜର ମତାମତ ରଖି କୁଟିଆ ପଞ୍ଚାୟତ ଏବଂ ସାରା ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମର ସୁଫଳ ସଂପର୍କରେ କିପରି ଲୋକମାନେ ପାଉଛନ୍ତି, ସେ ବିଷୟରେ ଆଲୋକପାତ କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ ପାଣ୍ଡିଆନ ସଂଯୋଜନା କରିଥିଲେ।
କୋରାପୁଟ ଜିଲ୍ଲାପାଳ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଅର୍ଥ ବିଭାଗର ପ୍ରମୁଖ ସଚିବ ଆଦି ଉପସ୍ଥିତ ଥିଲେ ।
କୁଟିଆ ଅଞ୍ଚଳର ବିକାଶ ଉପରେ ଏକ ସ୍ବତନ୍ତ୍ର ବୃତ୍ତ ଚିତ୍ର ଏହି ଅବସରରେ ପ୍ରଦର୍ଶନ କରାଯାଇଥିଲା।