Connect with us

ଭୁବନେଶ୍ୱର : ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ୧୪୭ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ମୋଟ ୨୪ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ରାଜ୍ୟରେ ୩,୭୯୩.୩୩ କୋଟି ଟଙ୍କାର ପୁଞ୍ଜିନିବେଶ ହେବା ସହ ୧୯,୯୨୪ଟି ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଅନୁମୋଦିତ ପ୍ରକଳ୍ପଗୁଡ଼ିକ ଇସ୍ପାତ ଓ ଧାତୁ-ଭିତ୍ତିକ ଡାଉନଷ୍ଟ୍ରିମ୍ ଶିଳ୍ପ, ନବୀକରଣଯୋଗ୍ୟ ଶକ୍ତି, ଉନ୍ନତ ସାମଗ୍ରୀ, ଇଲେକ୍ଟ୍ରୋନିକ୍ସ ଓ ବୈଦ୍ୟୁତିକ ଯାନ ( ଇଭି) ଉପକରଣ, ବସ୍ତ୍ର ଓ ପୋଷାକ ଶିଳ୍ପ, ପର୍ଯ୍ୟଟନ ଓ ଆତିଥେୟତା, ଭିତ୍ତିଭୂମି ଓ ଲଜିଷ୍ଟିକ୍ସ, ଖାଦ୍ୟ ପ୍ରକ୍ରିୟାକରଣ, ଉପଭୋକ୍ତା ସାମଗ୍ରୀ, ରସାୟନ ଶିଳ୍ପ ଏବଂ ଉଦୀୟମାନ ପ୍ରଯୁକ୍ତି ଭଳି ବିଭିନ୍ନ କ୍ଷେତ୍ର ଅନ୍ତର୍ଭୁକ୍ତ ରହିଛି । ଏହା ରାଜ୍ୟର ବିବିଧ, ଭବିଷ୍ୟତମୁଖୀ ଏବଂ ଦୃଢ ଶିଳ୍ପ ରଣନୀତିକୁ ପ୍ରତିଫଳିତ କରୁଛି । ଏହି ପ୍ରକଳ୍ପଗୁଡ଼ିକ ଖୋର୍ଦ୍ଧା, ଢେଙ୍କାନାଳ, ଝାରସୁଗୁଡ଼ା, କୋରାପୁଟ, ଯାଜପୁର, ସମ୍ବଲପୁର, କେନ୍ଦୁଝର, ବଲାଙ୍ଗୀର, ପୁରୀ, କଟକ, ସୁନ୍ଦରଗଡ଼, ଗଞ୍ଜାମ, ଜଗତସିଂହପୁର ଏବଂ ମୟୂରଭଞ୍ଜ ସମେତ ରାଜ୍ୟର ୧୪ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବ ।

ପ୍ରମୁଖ ଅନୁମୋଦିତ ପ୍ରକଳ୍ପଗୁଡ଼ିକ ମଧ୍ୟରେ, ଶକ୍ତି ସଞ୍ଚୟ ଏବଂ ଉନ୍ନତ ଉତ୍ପାଦନ କ୍ଷେତ୍ରରେ, ସିଇଏସସି ଗ୍ରିନ୍ ପାଓ୍ୱାର ଲିଃ, ଯିଏକି ଢେଙ୍କାନାଳ ଜିଲ୍ଲାରେ ₹୬୮୩.୮୩ କୋଟି ଟଙ୍କାର ବିନିଯୋଗରେ ଏକ ବ୍ୟାଟେରି ଏନର୍ଜି ଷ୍ଟୋରେଜ୍ ସିଷ୍ଟମ୍ ପ୍ରକଳ୍ପ ସ୍ଥାପନ କରିବ । ଏହି ପ୍ରକଳ୍ପ ମାଧ୍ୟମରେ ୧୫୩ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ଓଡ଼ିଶାର ବିକାଶଶୀଳ ସ୍ୱଚ୍ଛ ଶକ୍ତି ଉତ୍ପାଦନ ପରିବେଶକୁ ଆହୁରି ସୁଦୃଢ଼ କରିବ । ସେହିପରି, ଏଭିପି ଷ୍ଟାର ପ୍ରା.ଲିଃ. ଖୋର୍ଦ୍ଧା ଜିଲ୍ଲାରେ ₹୫୦୦ କୋଟି ଟଙ୍କାର ବିନିଯୋଗରେ ଏକ ଲ୍ୟାବ୍-ଗ୍ରୋନ୍ ଡାଇମଣ୍ଡ (ହୀରା) ଉତ୍ପାଦନ କାରଖାନା ସ୍ଥାପନ କରିବ । ଏହି ପ୍ରକଳ୍ପ ଦ୍ୱାରା ୫୦୦ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ବସ୍ତ୍ର ଓ ପୋଷାକ ଶିଳ୍ପ କ୍ଷେତ୍ରରେ, ନନ୍ଦରାଜ ଟେକ୍ସଟାଇଲ୍ସ ପ୍ରା.ଲିଃ. ଖୋର୍ଦ୍ଧା ଜିଲ୍ଲାରେ ₹୧୬୮.୬୪ କୋଟି ଟଙ୍କାର ବିନିଯୋଗରେ ଏକ ପୋଷାକ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ । ଏହା ମାଧ୍ୟମରେ ୧୦,୩୦୬ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ଯାହା ଏହି ଅନୁମୋଦନ ପର୍ଯ୍ୟାୟରେ ସର୍ବାଧିକ ନିଯୁକ୍ତି ସୃଷ୍ଟିକାରୀ ପ୍ରକଳ୍ପ ଭାବେ ପରିଗଣିତ ହୋଇଛି । ସେହିପରି, ସାହି ଏକ୍ସପୋର୍ଟସ୍ ପ୍ରାଇଭେଟ୍ ଲିଃ. ସମ୍ବଲପୁର ଜିଲ୍ଲାରେ ₹୧୪୫.୫୦ କୋଟି ଟଙ୍କାର ବିନିଯୋଗରେ ଏକ ନିଟେଡ୍ ଗାର୍ମେଣ୍ଟସ୍ (ବୁଣା ପୋଷାକ) ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ, ଯାହା ଦ୍ୱାରା ୧,୮୪୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହା ବ୍ୟତୀତ, ମା’ ତାରାତାରିଣୀ ଟେକ୍ସଟାଇଲ୍ ପାର୍କ ପ୍ରା. ଲିଃ. ଗଞ୍ଜାମ ଜିଲ୍ଲାରେ ₹୭୦ କୋଟି ଟଙ୍କାର ବିନିଯୋଗରେ ଏକ ସମନ୍ୱିତ ବସ୍ତ୍ର ଶିଳ୍ପ ପ୍ରକଳ୍ପ ବିକଶିତ କରିବ, ଯାହା ମାଧ୍ୟମରେ ୩୫୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ପର୍ଯ୍ୟଟନ ଓ ଆତିଥେୟତା କ୍ଷେତ୍ରରେ ଏକାଧିକ ପ୍ରିମିୟମ୍ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ସ୍ୱସ୍ତି ପ୍ରିମିୟମ ଲିମିଟେଡ୍ କୋରାପୁଟ ଜିଲ୍ଲାରେ ₹୨୫୦ କୋଟି ଟଙ୍କାର ବିନିଯୋଗରେ ଏକ ପଞ୍ଚତାରକା (୫-ଷ୍ଟାର) ରିସୋର୍ଟ ସ୍ଥାପନ କରିବ, ଯାହା ଦ୍ୱାରା ୪୮୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିପରି, ଏସ୍ଏନ୍ଏମ୍ ହୋଟେଲ୍ ଆଣ୍ଡ ରିସୋର୍ଟ ପ୍ରା.ଲି. କୋରାପୁଟରେ ₹୧୩୩.୩୪ କୋଟି ଟଙ୍କାର ବିନିଯୋଗରେ ଏକ ରିସର୍ଟ ସ୍ଥାପନ କରି ୧୭୩ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଶ୍ରୀ ଇକୋ ରିସେର୍ଟ କେନ୍ଦୁଝର ଜିଲ୍ଲାରେ ₹୧୦୫.୬୦ କୋଟି ଟଙ୍କାର ବିନିଯୋଗରେ ଏକ ଇକୋ-ରିସର୍ଟ ଓ ଜଳ ମନୋରଞ୍ଜନ ପାର୍କ ସ୍ଥାପନ କରିବ, ଯାହା ଦ୍ୱାରା ୨୪୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଶୈଳବାଳା ଇନଫ୍ରାଷ୍ଟ୍ରକ୍ଚର ପ୍ରା.ଲି. ପୁରୀ ଜିଲ୍ଲାରେ ₹୯୨.୮୦ କୋଟି ଟଙ୍କାର ବିନିଯୋଗରେ ଏକ ରିସର୍ଟ ସ୍ଥାପନ କରି ୧୭୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ସୂର୍ଯ୍ୟୋ ଉଦ୍ୟୋଗ ଲିଃ. ଜଗତସିଂହପୁର ଜିଲ୍ଲାରେ ₹୭୦ କୋଟି ଟଙ୍କାର ବିନିଯୋଗରେ ଏକ ଚାରିତାରକା (୪-ଷ୍ଟାର) ହୋଟେଲ ସ୍ଥାପନ କରିବ, ଯାହା ଦ୍ୱାରା ୨୪୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । “ପ୍ରତ୍ୟକ୍ଷ ହୋଟେଲ ଆଣ୍ଡ ରିସୋର୍ଟ ପ୍ରା. ଲି.” କୋରାପୁଟରେ ₹୭୦ କୋଟି ଟଙ୍କାର ବିନିଯୋଗରେ ଏକ ରିସର୍ଟ ସ୍ଥାପନ କରି ୧୭୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ଲେହର୍ସ ଏକ୍ସପୋର୍ଟସ୍ ସର୍ଭିସେସେ ପ୍ରା.ଲି. ସୁନ୍ଦରଗଡ଼ ଜିଲ୍ଲାରେ ₹୬୦ କୋଟି ଟଙ୍କାର ବିନିଯୋଗରେ ଏକ ରିସର୍ଟ ସ୍ଥାପନ କରି ୨୦୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏହା ବ୍ୟତୀତ ପ୍ରାଚୀ ଏଣ୍ଟରପ୍ରାଇଜର୍ସ ମୟୂରଭଞ୍ଜ ଜିଲ୍ଲାରେ ₹୫୨ କୋଟି ଟଙ୍କାର ବିନିଯୋଗରେ ଏକ ଇକୋ-ରିସର୍ଟ ଓ ଜଳ ମନୋରଞ୍ଜନ ପାର୍କ ସ୍ଥାପନ କରିବ, ଯାହା ଦ୍ୱାରା ୧୫୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହି ସମସ୍ତ ପ୍ରକଳ୍ପ ଓଡ଼ିଶାର ପର୍ଯ୍ୟଟନ ଭିତ୍ତିଭୂମିକୁ ଉଲ୍ଲେଖନୀୟ ଭାବେ ସୁଦୃଢ଼ କରିବା ସହ ରାଜ୍ୟକୁ ଏକ ଆକର୍ଷଣୀୟ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀ ଭାବେ ଗଢ଼ି ତୋଳିବ ।

ଇସ୍ପାତ, ଧାତୁ-ଭିତ୍ତିକ ଡାଉନଷ୍ଟ୍ରିମ୍ ଏବଂ ଶିଳ୍ପ ଉତ୍ପାଦନ କ୍ଷେତ୍ରରେ, ଜେଏସଡବ୍ଲୁ ସିଭରଫିଲ୍ଡସ୍ ଷ୍ଟ୍ରକ୍ଚର୍ସ ଲି. ଯାଜପୁର ଜିଲ୍ଲାରେ ₹୨୧୫ କୋଟି ଟଙ୍କାର ବିନିଯୋଗରେ ଏକ ଇସ୍ପାତ ଫ୍ୟାବ୍ରିକେସନ୍ ୟୁନିଟ୍ ସ୍ଥାପନ କରିବ । ଏହା ଦ୍ୱାରା ୧୪୦୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିପରି, କୋଶାଲ ସେରାମିକ୍ସ ପ୍ରା.ଲି. ଝାରସୁଗୁଡ଼ା ଜିଲ୍ଲାରେ ₹୨୭୫.୦୭ କୋଟି ଟଙ୍କାର ବିନିଯୋଗରେ ରିଫ୍ରାକ୍ଟୋରି ଇଟା ଏବଂ ମୋନୋଲିଥିକ୍ ଉତ୍ପାଦନ କାରଖାନାର ସମ୍ପ୍ରସାରଣ କରିବ, ଯାହା ଦ୍ୱାରା ୧,୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏନଭିରୋକେୟାର ଇନଫ୍ରାସଲ୍ୟୁସନ ପ୍ରା.ଲି. ସୁନ୍ଦରଗଡ଼ ଜିଲ୍ଲାରେ ₹୮୧ କୋଟି ଟଙ୍କାର ବିନିଯୋଗରେ ରଙ୍ଗ-ଆବୃତ ଇସ୍ପାତ ସିଟ୍, ଜିଆଇ ସିଟ୍ ଏବଂ ଷ୍ଟ୍ରକ୍ଚରାଲ୍ କମ୍ପୋନେଣ୍ଟସ୍ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ, ଯାହା ଦ୍ୱାରା ୫୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହାଛଡ଼ା, ‘ବିଷ୍ଣୁ ଷ୍ଟିଲ’ ଖୋର୍ଦ୍ଧା ଜିଲ୍ଲାରେ ₹୫୧.୮୩ କୋଟି ଟଙ୍କାର ବିନିଯୋଗରେ ଏକ ଷ୍ଟେନଲେସ୍ ଷ୍ଟିଲ୍ ପାଇପ୍ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ, ଯାହା ଦ୍ୱାରା ୯୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଲଜିଷ୍ଟିକ୍ସ ଓ ଭିତ୍ତିଭୂମି କ୍ଷେତ୍ରରେ, ଏମ ଏସ ଇନଫ୍ରା ଇଂଜିନିୟର୍ସ ପ୍ରା. ଲି. ସମ୍ବଲପୁର ଜିଲ୍ଲାରେ ₹୧୧୨.୫୨ କୋଟି ଟଙ୍କା ବିନିଯୋଗରେ ଏକ ଗୋଦାମ ଗୃହ ସହ ଲଜିଷ୍ଟିକ୍ ପାର୍କ ସ୍ଥାପନ କରିବ । ଏହି ପ୍ରକଳ୍ପ ଦ୍ୱାରା ୫୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଯେତେବେଳେ କି ଇନେକ୍ସ ଇକୋ ଲଡିଷ୍ଟିକ୍ସ ବଲାଙ୍ଗୀର ଜିଲ୍ଲାରେ ₹୧୦୩.୨୦ କୋଟି ଟଙ୍କାର ବିନିଯୋଗରେ ମଧ୍ୟ ଲଜିଷ୍ଟିକ୍ ଏବଂ ଗୋଦାମ ଭିତ୍ତିଭୂମି ବିକାଶ କରିବ ଏବଂ ଏହା ଦ୍ୱାରା ୨୨୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟର ଶିଳ୍ପ କ୍ଷେତ୍ର ପାଇଁ ସଂଯୋଗ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ଯୋଗାଣ ଶୃଙ୍ଖଳା (ସପ୍ଲାଏ ଚେନ୍ ) ର କାର୍ଯ୍ୟଦକ୍ଷତା ଓ ଦକ୍ଷ ପରିଚାଳନା ବୃଦ୍ଧି କରିବ ।

ଉପଭୋକ୍ତା ସାମଗ୍ରୀ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଉଦୀୟମାନ ଉତ୍ପାଦନ କ୍ଷେତ୍ରରେ, ହିନ୍ଦୁସ୍ଥାନ କୋକା-କୋଲା ବିଭରେଜେସ୍ ପ୍ରା.ଲି. ଖୋର୍ଦ୍ଧା ଜିଲ୍ଲାରେ ₹୩୦୦ କୋଟି ଟଙ୍କାର ବିନିଯୋଗରେ ଏହାର ଏରେଟେଡ୍ ଡ୍ରିଙ୍କ୍ସ (କାର୍ବୋନେଟେଡ୍ ପାନୀୟ) ଉତ୍ପାଦନ କ୍ଷମତାର ସମ୍ପ୍ରସାରଣ କରିବ । ଏହା ଦ୍ୱାରା ୯୯୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିପରି, ଜୟ ଭବାନୀ ଫୁଡ୍ ପ୍ରା.ଲି. କଟକ ଜିଲ୍ଲାରେ ₹୯୨ କୋଟି ଟଙ୍କାର ବିନିଯୋଗରେ ଏକ ବାର୍ ସୋପ୍ (ସାବୁନ୍ ଖଣ୍ଡ) ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ, ଯାହା ଦ୍ୱାରା ୩୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଲିଥ୍ରୋସ୍ ବ୍ୟାଟେରିଜ୍ ଇଣ୍ଡିଆ ପ୍ରା.ଲି. ଖୋର୍ଦ୍ଧା ଜିଲ୍ଲାରେ ₹୬୦ କୋଟି ଟଙ୍କା ବିନିଯୋଗରେ ବୈଦ୍ୟୁତିକ ଯାନ ବ୍ୟାଟେରି ଏବଂ ଇନଭର୍ଟର ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ । ଏହି ପ୍ରକଳ୍ପ ମାଧ୍ୟମରେ ୩୫୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଜସ୍ପର ଇକୋ ପ୍ରଡକ୍ଟ ପ୍ରା.ଲି. ଖୋର୍ଦ୍ଧା ଜିଲ୍ଲାରେ ₹୫୧ କୋଟି ଟଙ୍କାର ବିନିଯୋଗରେ ଏକ କୋରୁଗେଟେଡ୍ ବକ୍ସ (ପ୍ୟାକେଜିଂ ପାଇଁ ବ୍ୟବହୃତ ହେଉଥିବା କାର୍ଟୁନ୍ ବାକ୍ସ) ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ, ଯାହା ଦ୍ୱାରା ୧୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହାଛଡ଼ା, ଏକାଂଶ ଆଗ୍ରୋ ଫୁଡ୍ ପ୍ରଡକ୍ଟସ୍ ପ୍ରା.ଲି. ଖୋର୍ଦ୍ଧା ଜିଲ୍ଲାରେ ₹୫୦ କୋଟି ଟଙ୍କାର ବିନିଯୋଗରେ ଏକ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରିବ, ଯାହା ଦ୍ୱାରା ୩୭୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

 

 

Continue Reading
Click to comment

Leave a Reply

Your email address will not be published. Required fields are marked *

Nation

ଅନ୍ତର୍ଜାତୀୟ ଜଳସୀମାରେ ଏବେ ଟୁନା ମାଛ ଧରିବେ ଓଡ଼ିଆ ମତ୍ସ୍ୟଜୀବୀ: ମିଳିଲା ଅନୁମୋଦନ ପତ୍ରର

Published

on

ଭୁବନେଶ୍ୱର :  ଉପରାଷ୍ଟ୍ରପତି ଶ୍ରୀ ସି.ପି. ରାଧାକୃଷ୍ଣନ୍ ଆଜି ଏଠାରେ ମୁକ୍ତ ସମୁଦ୍ରରେ ମତ୍ସ୍ୟ ଉତ୍ପାଦନ ଲାଗି ଉଦ୍ଦିଷ୍ଟ ‘ଗଭୀର ସମୁଦ୍ରରେ ଦୀର୍ଘସ୍ଥାୟୀ ମାଛ ଉତ୍ପାଦନ ଲାଗି ଅନୁମୋଦନ ପତ୍ର (LoA)’ର ଜାତୀୟ ଶୁଭାରମ୍ଭ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଚଳିତ ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତ ପ୍ରାୟ ୭୩, ୮୯୦ କୋଟି ଟଙ୍କାର ସାମୁଦ୍ରିକ ଖାଦ୍ୟ ସାମଗ୍ରୀ ରପ୍ତାନି କରି ବିଶ୍ୱରେ ଅଗ୍ରଣୀ ସ୍ଥାନ ହାସଲ କରିପାରିଛି। ବର୍ତ୍ତମାନ ସୁଦ୍ଧା ଅଧିକାଂଶ ମାଛଧରା କାର୍ଯ୍ୟ ଉପକୂଳର ୪୦-୫୦ ନଟିକାଲ ମାଇଲ ମଧ୍ୟରେ ସୀମିତ ଥିବାବେଳେ ଗଭୀର ସମୁଦ୍ରର ଅନ୍ତର୍ଜାତୀୟ ଜଳସୀମାରେ ଟୁନା ଭଳି ଉଚ୍ଚ-ମୂଲ୍ୟର ମାଛ ଧରିବା ପାଇଁ ଏହି ନୂତନ ନୀତି ବିରାଟ ସୁଯୋଗ ଆଣିଦେବ ଏବଂ ଖାଦ୍ୟ ସୁରକ୍ଷା ଓ ପୋଷଣ କ୍ଷେତ୍ରକୁ ସୁଦୃଢ଼ କରିବ।

ଏହି ପବିତ୍ର ଅବସରରେ ଉପରାଷ୍ଟ୍ରପତି ଓଡ଼ିଶା ସରକାରଙ୍କ ଏକ ପ୍ରମୁଖ ସଫଳତା ‘ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଡକୁମେଣ୍ଟ (୨୦୨୬-୨୦୩୬)’କୁ ମଧ୍ୟ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଛନ୍ତି।

କେନ୍ଦ୍ର ସରକାରଙ୍କ ମତ୍ସ୍ୟ ବିଭାଗ ଦ୍ୱାରା ଆୟୋଜିତ ଏହି ସମାରୋହରେ ଜାତୀୟ ସମବାୟ ରପ୍ତାନି ଲିମିଟେଡ୍ (NCEL) ସମେତ ବିଭିନ୍ନ ପ୍ରମୁଖ ମତ୍ସ୍ୟ ସମବାୟ ସମିତି ଏବଂ ମାଛଧରା ଜାହାଜର ମାଲିକମାନଙ୍କୁ ସ୍ୱତନ୍ତ୍ର ଅନୁମୋଦନ ପତ୍ର ବଣ୍ଟନ କରାଯାଇଛି, ଯାହା ଦ୍ୱାରା ଯୋଗ୍ୟ ଭାରତୀୟ ଜାହାଜଗୁଡ଼ିକୁ ଦେଶର ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର (EEZ) ବାହାରେ ଥିବା ଗଭୀର ଅନ୍ତର୍ଜାତୀୟ ସାମୁଦ୍ରିକ ଜଳସୀମାରେ ନିୟନ୍ତ୍ରିତ ଓ ଦାୟିତ୍ୱପୂର୍ଣ୍ଣ ଭାବେ ଉଚ୍ଚ-ମୂଲ୍ୟବାନ ମାଛ ଧରିବା ପାଇଁ ଅନୁମତି ମିଳିପାରିବ।

 

ଶ୍ରୀ ରାଧାକୃଷ୍ଣନ୍ ଏହି ଜାତୀୟ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ଉପକୂଳବର୍ତ୍ତୀ ରାଜ୍ୟରୁ ଆସିଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ପ୍ରାଧିକରଣ ପତ୍ର (LoA) ପ୍ରଦାନ କରିଥିଲେ। ଏହି ଅନୁମୋଦନ ପତ୍ର ପାଇଥିବା ସଂସ୍ଥା ଓ ମତ୍ସ୍ୟଜୀବୀମାନଙ୍କ ମଧ୍ୟରେ ଓଡ଼ିଶାର ପାରାଦୀପ ସମେତ ମହାରାଷ୍ଟ୍ର, କେରଳ, ତାମିଲନାଡୁ, ଗୋଆ, ଆନ୍ଧ୍ରପ୍ରଦେଶ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଦେଶର ଅନ୍ୟାନ୍ୟ ପ୍ରମୁଖ ଉପକୂଳ ଅଞ୍ଚଳରୁ ଆସିଥିବା ସାମୁଦ୍ରିକ ସମବାୟ ସମିତିର ପ୍ରତିନିଧିମାନେ ସାମିଲ ଥିଲେ।

ସମାରୋହରେ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି କହିଛନ୍ତି ଯେ, ଭାରତର ଦୀର୍ଘ ଉପକୂଳ ଏବଂ ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର (EEZ) ଦେଶର ପ୍ରାୟ ୫୦ ନିୟୁତ ମତ୍ସ୍ୟଜୀବୀଙ୍କୁ ଜୀବିକା ପ୍ରଦାନ କରୁଛି। ଏହି LoA କାର୍ଯ୍ୟକ୍ରମ ଦ୍ୱାରା ଦେଶର ମତ୍ସ୍ୟଜୀବୀ ପରିବାର ଗୁଡିକ ସ୍ୱଚ୍ଛଳ ଓ ସମୃଦ୍ଧ ହୋଇପାରିବେ। ଓଡିଶା ଭଳି ରାଜ୍ୟ ଏହାଦ୍ୱାରା ବିଶେଷ ଭାବେ ଉପକୃତ ହେବେ ବୋଲି ସେ ମତ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ  କହିଥିଲେ, ଆମ ସମୁଦ୍ର କେବଳ ଭୌଗୋଳିକ ସୀମା ନୁହେଁ, ବରଂ ରାଜ୍ୟର ୬ ଲକ୍ଷ ସାମୁଦ୍ରିକ ମତ୍ସ୍ୟଜୀବୀଙ୍କ ଜୀବନରେଖା ଓ ପରିଚୟ ଅଟେ।

ମୁଖ୍ୟମନ୍ତ୍ରୀ କହିଥିଲେ, ଗତ ବର୍ଷ ଡିସେମ୍ବର ୨୦୨୫ରେ ଗୁଜରାଟର ଭେରାଭଲରୁ ଭାରତର ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର (EEZ) ରେ ମାଛ ଧରିବା ପାଇଁ ‘ଆକ୍ସେସ୍ ପାସ୍’ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଥିଲା। ଏପର୍ଯ୍ୟନ୍ତ ଦେଶର ୫ ହଜାର ମତ୍ସ୍ୟଜୀବୀ ଏହି ପାସ୍ ପାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଓଡ଼ିଶାର ୮୬୬ ଜଣ ଅଛନ୍ତି।

ସେ କହିଥିଲେ ଯେ, ବର୍ତ୍ତମାନ ଏହାର ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ଅନ୍ତର୍ଜାତୀୟ ଜଳସୀମାରେ ମାଛ ଧରିବା ପାଇଁ ପ୍ରାଧିକରଣ ପତ୍ର (LoA) ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ପ୍ରାରମ୍ଭିକ ଭାବେ ଓଡିଶାର ୮ ଜଣ ମତ୍ସ୍ୟଜୀବୀଙ୍କୁ ଏହି LoA ପ୍ରଦାନ କରାଯିବା ସହ ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ ଅଧୀନରେ ଭାରତୀୟ EEZ ଅଞ୍ଚଳରେ ମାଛ ଧରିବା ପାଇଁ ୨ଟି ଗଭୀର ସମୁଦ୍ର ମାଛଧରା ଜାହାଜ (DSFV) କୁ ମଧ୍ୟ ‘ଗୋ-ଆହେଡ୍‌’ ଅନୁମତି ଜାରି କରାଯାଇଛି। ଦେଶର ସମଗ୍ର ଉପକୂଳର ୨୪ ଲକ୍ଷ ବର୍ଗ କିଲୋମିଟର ବିଶିଷ୍ଟ ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ରରେ (EEZ) ଆମ ମତ୍ସ୍ୟଜୀବୀଙ୍କ ପାଇଁ ଏହା ବିପୁଳ ସୁଯୋଗ ଆଣିଦେବ।

 ଆଗାମୀ ୧୦ ବର୍ଷ ମଧ୍ୟରେ ସମୁଦ୍ରରେ ୧୫୦ଟି ନୂତନ ଅତ୍ୟାଧୁନିକ ଗଭୀର ସମୁଦ୍ର ମାଛଧରା ଜାହାଜର ନିୟୋଜନ କରାଯିବ ଏବଂ ପ୍ରଚଳିତ ୫୦୦ଟି ମାଛଧରା ଜାହାଜର ସମ୍ପୂର୍ଣ୍ଣ ଆଧୁନିକୀକରଣ କରାଯିବ ବୋଲି ସେ କହିଛନ୍ତି ।

 

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ,  ମତ୍ସ୍ୟଜୀବୀମାନଙ୍କୁ ଯେଉଁ ସୁବିଧା ସୁଯୋଗ ଦିଆଯାଉଛି, ତାହା ଜାରି ରହିଲେ ଓଡିଶା ଖୁବ୍ ଶୀଘ୍ର ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ଏକ ଅଗ୍ରଣୀ ରାଜ୍ୟ ହୋଇପାରିବ। ଗଭୀର ସମୁଦ୍ରରେ ମାଛ ଉତ୍ପାଦନ କାର୍ଯ୍ୟକ୍ରମ ଏ କ୍ଷେତ୍ରରେ ଓଡିଶା ପାଇଁ ଖୁବ୍ ସହାୟକ ହେବ ବୋଲି ସେ ମତ ଦେଇଥିଲେ।

ମତ୍ସ୍ୟ, ପ୍ରାଣୀସମ୍ପଦ, ଦୁଗ୍ଧ ଉତ୍ପାଦନ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରାଜୀବ ରଞ୍ଜନ ସିଂହ  କହିଥିଲେ ଯେ ଗଭୀର ସମୁଦ୍ରର ବିପୁଳ ସାମୁଦ୍ରିକ ସମ୍ପଦର ସ୍ଥାୟୀ ଓ ସୁନିୟୋଜିତ ବ୍ୟବହାର ପାଇଁ ଆମେ ବ୍ୟାପକ ସହାୟକ ନୀତିଗତ ସଂସ୍କାରଗୁଡ଼ିକ କାର୍ଯ୍ୟକାରୀ କରିଛୁ।

ଏହି ଜାତୀୟସ୍ତରର ସମାରୋହରେ କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍.ପି. ସିଂହ ବାଘେଲ, ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ଭାରତ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ସଚିବ ଡକ୍ଟର ଅଭିଲାଖ୍ ଲିଖୀ ପ୍ରମୁଖ ଉପସ୍ଥିତ ଥିଲେ।

Continue Reading

Nation

ବ୍ରହ୍ମପୁର-ଉଧ୍‌ନା (ସୁରଟ) ଅମୃତ ଭାରତ ଏକ୍ସପ୍ରେସ ଏବେ ଦୈନିକ

Published

on

ଭୁବନେଶ୍ୱର: ଓଡ଼ିଶାର ବିକାଶ ଯାତ୍ରାରେ ଆଜି ଏକ ନୂତନ ଫର୍ଦ୍ଦ ଯୋଡ଼ି ହୋଇଯାଇଛି। ରେଶମ ସହର ବ୍ରହ୍ମପୁରରୁ ବାହାରି ପଶ୍ଚିମ ଓଡ଼ିଶା ଦେଇ ଗୁଜୁରାଟର ଉଧ୍‌ନା (ସୁରଟ) ପର୍ଯ୍ୟନ୍ତ ଚାଲୁଥିବା ସାପ୍ତାହିକ ଅମୃତ ଭାରତ ଏକ୍ସପ୍ରେସ ଆଜିଠାରୁ ଦୈନିକ ଟ୍ରେନ ରୂପେ ନିଜର ଯାତ୍ରା ଆରମ୍ଭ କରିଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମଗ୍ର ରାଜ୍ୟବାସୀ, ବିଶେଷ କରି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, କଳାହାଣ୍ଡି, ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଏହାକୁ ଓଡ଼ିଶାର ବିକାଶ ଲାଗି ଏକ ଐତିହାସିକ ଦିନ ବୋଲି ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସୁରଟ ସହ ଓଡ଼ିଶାର ଭାବଗତ, ସାଂସ୍କୃତିକ ଓ ଅର୍ଥନୈତିକ ସମ୍ପର୍କ ଅତି ନିବିଡ଼। ଓଡ଼ିଶାର ଲକ୍ଷ ଲକ୍ଷ ଶ୍ରମିକ ଓ ବ୍ୟବସାୟୀ ଭାଇମାନେ ସୁରଟରେ ରହି ସେଠାକାର ଟେକ୍ସଟାଇଲ ଓ ଡାଇମଣ୍ଡ ଶିଳ୍ପରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି।

ପୂର୍ବରୁ ସାପ୍ତାହିକ ଟ୍ରେନ ଯୋଗୁ ଯାତାୟତରେ ଅନେକ ଅସୁବିଧା ହେଉଥିଲା। ଓଡ଼ିଶା ସରକାରଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସରକାର ଏହି ସେବାକୁ ଦୈନିକ କରିଥିବାରୁ, ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପକ୍ଷରୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଅତ୍ୟାଧୁନିକ ଟ୍ରେନ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଭାଇଭଉଣୀଙ୍କ ପାଇଁ ନିରାପଦ, ଶସ୍ତା ଓ ଦ୍ରୁତ ଯାତ୍ରାର ସୁବିଧା ପ୍ରଦାନ କରିବ। ଏହାଦ୍ୱାରା ଗୁଜୁରାଟ ସହ ଓଡିଶାର ସମ୍ପର୍କ ଆହୁରି ନିବିଡ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଗୋପାଳପୁର ବନ୍ଦରର ସମ୍ପ୍ରସାରଣ ସହ ଆଗାମୀ ଦିନରେ ବାହୁଦା ଠାରେ ଏକ ବୃହତ୍ ବନ୍ଦର ସ୍ଥାପନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବ୍ରହ୍ମପୁର ସହରକୁ ‘ଗ୍ରେଟର ବ୍ରହ୍ମପୁର ସିଟି’ ଭାବେ ବିକଶିତ କରିବା ସହ ବ୍ରହ୍ମପୁର-ଜୟପୁରକୁ ସଂଯୋଗ କରୁଥିବା ଏକ ୬-ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

କେନ୍ଦ୍ର ରେଳ, ଇଲୋକ୍ଟ୍ରୋନିକ୍‌ସ ଓ ଆଇଟି, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ ଅତୀତରେ ସୁରଟ ଠାରେ ଗୋଟିଏ ସଭାରେ ଯୋଗଦେଇଥିବା ଅବସରରେ ସୁରଟରୁ ବ୍ରହ୍ମପୁର ଯାଏ ନିୟମିତ ରେଳ ଚଳାଚଳ ପାଇ ଯେଉଁ ଅନୁରୋଧ କରାଯାଇଥିଲା, ଆଜି ତାହା ପୂରଣ କରାଯାଇଛି । ବର୍ତ୍ତମାନ ସମୟର Latest Technology ର ଟ୍ରେନ୍ ଅମୃତ ଭାରତ ଏକ୍ସପ୍ରେସ ବର୍ତ୍ତମାନ ଠାରୁ ପ୍ରତିଦିନ ବ୍ରହ୍ମପୁରରୁ ସୁରଟ ଅଭିମୁଖେ ଚଳାଚଳ କରିବ । ସେ ଆହୁରି ଘୋଷଣା କରିଥିଲେ ଯେ ବ୍ରହ୍ମପୁର ରେଳ ଷ୍ଟେସନକୁ ବିଶ୍ୱ ସ୍ତରୀୟ ରେଳ ଷ୍ଟେସନ କରିବା ପାଇ ୩୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ଓ ଏହାର କାମ ଖୁବ୍ ଶୀଘ୍ର ଆରମ୍ଭ ହେବ ।

ଏହି ଶୁଭାରମ୍ଭ ଉତ୍ସବରେ ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୂତି ଭୁଷଣ ଜେନା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବ୍ରହ୍ମପୁରର ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ, ଆସ୍କାର ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶିନୀ, ପୂର୍ବତଟ ରେଳବାଇର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ୍ ଙ୍କ ସମେତ ଗଞ୍ଜାମ ଜିଲ୍ଲାର ସମସ୍ତ ବିଧାୟକଗଣ, ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ପୂର୍ବ ତଟ ରେଳପଥର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Continue Reading

Nation

ସ୍କୁଲ ବହି ତ୍ରୁଟି ପାଇଁ ବଡ ବଡିଆଙ୍କ ଗଡ଼ିଲା ମୁଣ୍ଡ

Published

on

ଭୁବନେଶ୍ୱର : ସ୍କୁଲ ବହି ତ୍ରୁଟି ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା କମିଟିର ସୁପାରିଶ ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ଆଜି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି ।

ଏହି ନିଷ୍ପତି ଅନୁଯାୟୀ

ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟର (Teachers Training & SCERT) ତତ୍କାଳୀନ ନିର୍ଦ୍ଦେଶକ ଶ୍ରୀ ମନୋଜ ପାଢ଼ୀଙ୍କ ସହିତ ତିନି ଜଣ ସହକାରୀ ନିର୍ଦେଶକ ପ୍ରଲିପ୍ତା ମିଶ୍ର, ଦିଲୀପ କୁମାର ସାହୁ, ଓ ଭାରତୀ ଟୁଡୁଙ୍କୁ ନିଲମ୍ବିତ କରାଯାଇଛି।

ଏହା ସହିତ

୬ ଜଣ ସହକାରୀ ନିର୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏମାନେ ହେଲେ ବନ୍ଦିତା ପଟ୍ଟନାୟକ, ମାନସ ରଞ୍ଜନ ରାଉତ, ମନୋରଞ୍ଜନ ମହାପାତ୍ର, ଡକ୍ଟର ପ୍ରଶାନ୍ତ କୁମାର ସାହୁ, ମାନସ କୁମାର ନାୟକ ଏବଂ ଡକ୍ଟର ସୁଦର୍ଶନ ସନ୍ତରା ।

ପିଲାଙ୍କ ଶିକ୍ଷା ଓ ତ୍ରୁଟି ସୁଧାରିବା ପାଇଁ କମିଟି ୧୪ ଟି ସୁପାରିଶ କାର୍ଯ୍ୟକାରୀ କରାଯିବ।

ଏଗୁଡ଼ିକ ହେଉଛି

SCERT ପକ୍ଷରୁ ମାଷ୍ଟର ତ୍ରୁଟି (Errata) ରେଜିଷ୍ଟର ପ୍ରସ୍ତୁତ କରାଯିବ, ସବୁ ପିଲାଙ୍କୁ ସଂଶୋଧିତ ତଥ୍ୟ ପ୍ରଧାନ କରାଯିବ, SCERT ରେ Quality Assurance Cell ଖୋଲାଯିବ ଇତ୍ୟାଦି। ଏହା ସହିତ ଭବିଷ୍ୟତରେ କୌଣସି ପାଠ୍ୟ ପୁସ୍ତକ ଭାଷା, ଚିତ୍ର, ତଥ୍ୟ ଓ ଛପା ହେବାପାଇଁ ଆବଶ୍ୟକ ଅନୁମୋଦନ ବିନା ପ୍ରିଣ୍ଟିଙ୍ଗ ପ୍ରେସ କୁ ଯିବ ନାହିଁ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions