Connect with us

 

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିରେ ଅଧ୍ୟକ୍ଷତା କରି ଆଗୁଆ ପ୍ରସ୍ତୁତି, ତ୍ବରିତ ଉଦ୍ଧାର ଓ ପୁନର୍ଗଠନ ଉପରେ ଗୁରୁତ୍ବ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଭିନ୍ନ ବିପର୍ଯ୍ୟୟ ଯୋଗୁ ଜନସାଧାରଣଙ୍କ ଉପରକୁ ଆସୁଥିବା ବିପଦକୁ କମ୍‌ କରିବା ପାଇଁ ରାଜ୍ୟ ସରକାର ଅନେକ ଫଳପ୍ରଦ ପଦକ୍ଷେପ ଗ୍ରହଣ କରିଆସିଛନ୍ତି। ଆମର ପ୍ରସ୍ତୁତି ଗତିଶୀଳ, ସାମଗ୍ରିକ ଏବଂ ଭାଗିଦାରୀ ମୂଳକ ହେବା ଉଚିତ। ସେ କହିଥିଲେ ଯେ ଆଗୁଆ ପ୍ରସ୍ତୁତି, ତ୍ବରିତ ଉଦ୍ଧାର ଏବଂ ପୁନର୍ଗଠନ ପାଇଁ ବିଭିନ୍ନ ପଦକ୍ଷେପ ସହିତ ଦୀର୍ଘକାଳୀନ ମୁକାବିଲା କାର୍ଯ୍ୟକ୍ରମ ହେଉଛି ଆମର ବିପର୍ଯ୍ୟୟ ପରିଚାଳନା ଦୃଷ୍ଟିଭଙ୍ଗୀର ମୂଳନୀତି ।

ରାଜ୍ୟ ପ୍ରଶାସନକୁ ଅଭିଜ୍ଞତା ପ୍ରସୂତ SOP (Standard Operating Procedure) ପାଳନ ସହ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ରୀତା ପରାମର୍ଶ ଦେଇଛନ୍ତି।

ଗୋଷ୍ଠୀଭିତ୍ତିକ ପ୍ରସ୍ତୁତି କାର୍ଯ୍ୟକ୍ରମକୁ ସଂସ୍ଥାଗତ ଢାଞ୍ଚା ପ୍ରଦାନ କରିବାରେ ଓଡିଶା ସର୍ବାଗ୍ରେ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଗୋଷ୍ଠୀଭିତ୍ତିକ ପରିଚାଳନାରେ ଆମର ଅଭିଜ୍ଞତା କୋଭିଡ ପରିଚାଳନାରେ ମଧ୍ୟ ବହୁ ପରିମାଣରେ ଉପାଦେୟ ହୋଇପାରିଛି ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ ୩ ମାସ ଧରି କୋଭିଡ ୧୯ ମହାମାରୀ ରାଜ୍ୟର ଜନସାଧାରଣଙ୍କ ଦୈନନ୍ଦିନ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛି । ରାଜ୍ୟରେ ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ଯୋଗୁ ଓଡିଶା ଆଜି ଏ କ୍ଷେତ୍ରରେ ଭଲ ସ୍ଥିତିରେ ରହିଛି । ଏହି ଅବସରରେ କୋଭିଡ ମୁକାବିଲାରେ ଜନସାଧାରଣଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ରାଜ୍ୟ ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ। ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଆମେ ଅନେକ ବିପଦର ସମ୍ମୁଖୀନ ହେଉଥିଲେ ମଧ୍ୟ ଆମେ ଯେ କୌଣସି ପରିସ୍ଥିତିର ମୁକାବିଲା କରିବାପାଇଁ ପ୍ରସ୍ତୁତ। ଗତ ବର୍ଷ ଫନି ଓ ବୁଲବୁଲ ଭଳି ବାତ୍ୟା ସହିତ ବନ୍ୟା, ବର୍ଷା ଏବଂ ଅନେକ ସ୍ଥାନୀୟ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଚଳିତ ବର୍ଷ ମଧ୍ୟ ଉତ୍ତର ଉପକୂଳ ଜିଲ୍ଲା ଗୁଡିକ ମଇ ମାସର ତୃତୀୟ ସପ୍ତାହରେ ମହାବାତ୍ୟା ଅମ୍ଫନ ଦ୍ବାରା ପ୍ରଭାବିତ ହୋଇଥିଲେ। ଓଡିଶାର ଜନସାଧାରଣଙ୍କ ସହଯୋଗରେ ଆମେ କେବଳ ଏହିସବୁ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ସଫଳ ହୋଇନାହୁଁ, ତା ସହିତ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗକୁ ମଧ୍ୟ ତାର ବିପଦ ସମୟରେ ସହାୟତା ଯୋଗାଇ ଦେଇପାରିଛୁ ବୋଲି ସେ କହିଥିଲେ।

ସବୁବେଳେ ଅତୀତର ବିପର୍ଯ୍ୟୟ ଗୁଡିକରୁ ଆମେ ଶିକ୍ଷା ଗ୍ରହଣ କରିଆସିଛୁ ଏବଂ ସମ୍ଭାବ୍ୟ ଦୁର୍ବିପାକ ପାଇଁ ପ୍ରସ୍ତୁତିରେ ଉନ୍ନତି ଆଣିବା ପାଇଁ ନିରନ୍ତର ପ୍ରଚେଷ୍ଟା ଜାରି ରହିଛି। ‘ଅଭିଜ୍ଞତାରୁ ଶିକ୍ଷା’ ଏବଂ ‘ପରବର୍ତ୍ତୀ ପ୍ରସ୍ତୁତି’ରେ ଉନ୍ନତିର ଏହି ନିରନ୍ତର ପ୍ରକ୍ରିୟା ପାଇଁ ଆମକୁ ସବୁ କ୍ଷେତ୍ରରୁ ପ୍ରଶଂସା ମିଳିଛି ବୋଲି ମୁଖ୍ୟମନ୍ରୀର କହିଥିଲେ ।

ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଠିକ୍‌ ସମୟରେ ଆସିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଚଳିତ ବର୍ଷ ଭଲ ବର୍ଷା ହେବାର ଆଶା ରହିଛି। ଜୁନ୍‌ ଠାରୁ ଅକ୍ଟୋବର ପର୍ଯ୍ୟନ୍ତ ସମୟ ହେଉଛି ଖୁବ୍‌ ଗୁରୁତ୍ବପୂର୍ଣ୍ଣ । ଏହି ସମୟରେ ବନ୍ୟା, ବାତ୍ୟା, ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟ ଆସିପାରେ । ଏହିସବୁ ବିପର୍ଯ୍ୟୟ ପାଇଁ ଆମର ପ୍ରସ୍ତୁତିକୁ ନିରନ୍ତର ସମୀକ୍ଷା କରିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି ଅବସରରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି କୋଭିଡ ଠାରୁ ଆରମ୍ଭ କରି ଅମ୍ଫନ, ବୁଲବୁଲ, ପଙ୍ଗପାଳ ପର୍ଯ୍ୟନ୍ତ ବିଭିନ୍ନ ଦୁର୍ବିପାକ ନିରାକରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ।

ସମ୍ଭାବ୍ୟ ବାତ୍ୟା ଓ ବନ୍ୟାର ମୁକାବିଲା ନିମନ୍ତେ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ସଂପର୍କରେ ବୈଠକରେ ସୂଚନା ଦିଆଯାଇଥିଲା । ଜୁନ ୧ରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ପ୍ରତି ଜିଲ୍ଲା ସଦର ମହକୁମାରେ ନିୟନ୍ତ୍ରଣ କକ୍ଷ ଖୋଲା ଯାଇଥିବା ବେଳେ ଟେଲି ଯୋଗାଯୋଗ ସୁବିଧା ନ ଥିବା ବନ୍ୟାପ୍ରବଣ ଅଞ୍ଚଳରେ ୧୫ଟି ଅସ୍ଥାୟୀ ଭି.ଏଚ୍‌.ଏଫ କେନ୍ଦ୍ର ସ୍ଥାପନ ପାଇଁ ପଦକ୍ଷେପ ନିଆଯାଇଛି ।କୋଡିଏଟି ଓଡ୍ରାଫ ଟିମ୍‌କୁ ଆବଶ୍ୟକୀୟ ଜରୁରୀକାଳୀନ ସହାୟତା ସହିତ ଜାଗତିଆର ରଖାଯାଇଛି । ବିଭିନ୍ନ ନଦୀବନ୍ଧ ମାନଙ୍କରେ ୪୯ଟି ଦୁର୍ବଳ ସ୍ଥାନ ଚିହ୍ନଟ କରାଯାଇଛି ଏବଂ ସେଗୁଡିକର ଜଗାରଖା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ସହରାଞ୍ଚଳରେ ବର୍ଷା ଓ ବନ୍ୟାଜଳ ନିଷ୍ଟାସନ ପାଇଁ ପଦକ୍ଷେପ ନିଆଯାଇଛି। ବନ୍ୟାପ୍ରବଣ ଅଞ୍ଚଳରେ ଆଗମୀ ଦୁଇ ତିନି ମାସର ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବା, ସ୍ବାସ୍ଥ୍ୟକେନ୍ଦ୍ର ମାନଙ୍କରେ ଅତ୍ୟାବଶ୍ୟକ ଔଷଧ ଓ ବିଶେଧନ ସାମଗ୍ରୀ ମହଜୁଦ ରଖିବା ପାଇଁ ପଦକ୍ଷେପ ନିଆଯାଇଛି।

ରାଜ୍ୟରେ ଥିବା ୮୭୯ଟି ବହୁମୁଖୀ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ଯାଞ୍ଚ କରାଯାଇ ୭୯୬ଟିର ମରାମତି କରାଯାଇଛି।

ଭିଡିଓ କନ୍‌ଫରେନ୍‌ସିଂ ଦ୍ବାରା ଆୟୋଜିତ ଏହି ବୈଠକରେ ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟବୃନ୍ଦ, ବିରୋଧୀଦଳ ନେତା, ସାଂସଦ, ବିଧାୟକଗଣ ଉପସ୍ଥିତ ରହି ପ୍ରାକୃତିକ ବିପର୍ଯ୍ୟୟ ମୁକିବାଲା ନିମନ୍ତେ ସୁଚିନ୍ତିତ ପରାମର୍ଶ ଦେଇଥିଲେ।

Continue Reading
Click to comment

Leave a Reply

Your email address will not be published. Required fields are marked *

ରାଜ୍ୟ

ଭୁବନେଶ୍ୱର ଇନ୍ଦିରା ଗାନ୍ଧୀ ପାର୍କ ଅବ୍ୟବସ୍ଥା ଦେଖି ରାଗିଲେ ସହରୀ ମନ୍ତ୍ରୀ କୃଷ୍ଣ ମହାପାତ୍ର

Published

on

ଭୁବନେଶ୍ୱର: ଓଡିଶା ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ଆଜି ଆଇଜି ପାର୍କ (ଇନ୍ଦିରା ଗାନ୍ଧୀ ପାର୍କ) ଅଚାନକ ପରିଦର୍ଶନ କରିବା ସମୟରେ ସେଠାକାର ଅବ୍ୟବସ୍ଥା ଦେଖି ବିରକ୍ତି ପ୍ରକାଶ କଲେ ।

ପାର୍କର ଅବ୍ୟବସ୍ଥା, ବିଶେଷ କରି ଶୌଚାଳୟ ଏବଂ ପରିସ୍ରାଗାରର ଶୋଚନୀୟ ଅବସ୍ଥା ଦେଖି ଡକ୍ଟର ମହାପାତ୍ର ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିରେ ତୁରନ୍ତ ସୁଧାର ଆଣିବା ସହ ଉପଯୁକ୍ତ ପରିମଳ, ନିୟମିତ ରକ୍ଷଣାବେକ୍ଷଣ ଏବଂ ସେବା ମାନରେ ଉନ୍ନତି ଆଣିବାକୁ ସେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଯଦି ଏହି ଅବହେଳା ଜାରି ରହେ, ତେବେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଚେତାବନୀ ଦେଇଛନ୍ତି।

ଭୁବନେଶ୍ୱର ସହରର ଏକ ପ୍ରମୁଖ ସ୍ଥାନରେ ଅବସ୍ଥିତ ଏହି ପାର୍କକୁ ପ୍ରତିଦିନ ବହୁ ସଂଖ୍ୟାରେ ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା ଆସୁଥିବାରୁ ଏହାର ଯତ୍ନ ଏବଂ ପରିମଳ ବ୍ୟବସ୍ଥା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ଆବଶ୍ୟକ। ପରିଦର୍ଶନ ସମୟରେ ମନ୍ତ୍ରୀ ସେଠାକୁ ଆସିଥିବା ପର୍ଯ୍ୟଟକମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ମିଳୁଥିବା ସୁବିଧା ସୁଯୋଗ ସମ୍ପର୍କରେ ପଚାରି ବୁଝିଥିଲେ।

ମନ୍ତ୍ରୀଙ୍କ ଏହି ପରିଦର୍ଶନ ସମୟରେ ଭୁବନେଶ୍ୱର ମହାନଗର ନିଗମର ଡେପୁଟି କମିଶନର  ଏନ୍. ଗଣେଶ ବାବୁ ଉପସ୍ଥିତ ଥିଲେ। ପାର୍କକୁ ସବୁବେଳେ ସ୍ୱଚ୍ଛ, ନିରାପଦ ଏବଂ ପରିଦର୍ଶକ-ଅନୁକୂଳ କରିବା ପାଇଁ ଅଧିକାରୀ ଓ ରକ୍ଷଣାବେକ୍ଷଣ କର୍ମଚାରୀମାନଙ୍କୁ ନିରୀକ୍ଷଣ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Continue Reading

ରାଜ୍ୟ

ଗ୍ରାମରକ୍ଷୀଙ୍କ ମାସିକ ଭତ୍ତା ୧,୮୦୦ ଶହରୁ ୨,୫୦୦ ଟଙ୍କାକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

Published

on

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଗ୍ରାମାଞ୍ଚଳରେ କାର୍ଯ୍ୟରତ ଗ୍ରାମରକ୍ଷୀ ମାନଙ୍କ ପାଇଁ ପୂର୍ବରୁ ପ୍ରଚଳିତ ଥିବା ମାସିକ ଭତ୍ତାକୁ ବୃଦ୍ଧି କରିଛନ୍ତି। ଏଣିକି ଗ୍ରାମରକ୍ଷୀ ମାନେ ୧,୮୦୦ ଟଙ୍କା ବଦଳରେ ୨,୫୦୦ ଟଙ୍କା ମାସିକ ଭତ୍ତା ପାଇବେ।

ଏଥି ସହିତ ସପ୍ତାହକୁ ଥରେ ସେମାନେ ଯେଉଁ ଥାନା ଅଧୀନରେ କାମ କରୁଥିବେ, ସେଠାକୁ ଯାଇ ସେମାନଙ୍କ ଉପସ୍ଥାନ ଦେବାର ବ୍ୟବସ୍ଥା କରାଯାଇଛି।

ସୂଚନାଯୋଗ୍ୟ ଯେ, ଗ୍ରାମାଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା ଏବଂ ଅପରାଧୀ ଚିହ୍ନଟ ପ୍ରକ୍ରିୟାରେ ଗ୍ରାମରକ୍ଷୀ ମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥାଏ।

Continue Reading

ରାଜ୍ୟ

ଡ଼ି ଏମ ଏଫ ଅର୍ଥ ଖର୍ଚ୍ଚ ନେଇ କଡା ଆଭିମୁଖ୍ୟ ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Published

on

ଭୁବନେଶ୍ୱର: ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବା ଡ଼ିଏମଏଫ ଅର୍ଥ ବ୍ୟୟର ଅଡିଟ ରିପୋର୍ଟ ଓ ବାର୍ଷିକ ରିପୋର୍ଟ ଦାଖଲ କରିବାକୁ କଡା ନିର୍ଦେଶ ଦେଇଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ମଙ୍ଗଳବାର ଡ଼ିଏମଏଫ  ବୈଠକରେ ପାଣ୍ଠିର ସମୀକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀ ମାଝୀ ନିର୍ଦେଶ ଦେଇଛନ୍ତି ଯେ ଏଣିକି ଲଘୁ ଖଣିଜ ପଦାର୍ଥରୁ ମିଳୁଥୁବା ଡ଼ିଏମଏଫ ପାଣ୍ଠି କେବଳ ସେହି ଜିଲ୍ଲା ରେ ଖର୍ଚ୍ଚ ହେବ ।

 

ଆଲୋଚନାରୁ ଜଣାପଡିଛିଯେ, ଚଳିତ ବର୍ଷ ଅକ୍ଟୋବର ମାସ ଶେଷ ସୁଦ୍ଧା ରାଜ୍ୟର ୧୧ ଟି ଡ଼ି.ଏମ.ଏଫ ଜିଲ୍ଲା ମାନଙ୍କରୁ ସମୁଦାୟ ୩୪,୦୫୨ କୋଟି ଟଙ୍କା ଆଦାୟ ହୋଇଛି ଏବଂ ପ୍ରାୟ ୫୫ ପ୍ରତିଶତ ଟଙ୍କା ଖର୍ଚ୍ଚ ହୋଇଛି । ଏହି ଖର୍ଚ୍ଚକୁ ବୃଦ୍ଧି କରି ଲୋକଙ୍କୁ ମୌଳିକ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହା ସହିତ, ୧୦ ଟି ଜିଲ୍ଲାରେ ଡ଼ି.ଏମ.ଏଫ ପୁନଃ ଗଠନ ହେବା ପରେ ଟ୍ରଷ୍ଟ ବୋର୍ଡ ମିଟିଂ ହୋଇସାରିଛି ବୋଲି ବୈଠକରୁ ଜଣାଯାଇଛି ।

ବୈଠକରେ ମୁଖ୍ୟମନ୍ତ୍ରୀ, ବିଭାଗୀୟ ସଚିବଙ୍କୁ ପ୍ରତ୍ୟେକ DMFର ଅଡିଟ୍ ରିପୋର୍ଟ ସହିତ ବାର୍ଷିକ ରିପୋର୍ଟ ଦାଖଲ କରିବାକୁ ଏବଂ ଲଘୁ ଖଣିଜ ପଦାର୍ଥ (Minor Minerals) ରୁ ସଂଗୃହୀତ DMF ପାଣ୍ଠିକୁ ସେହି ଜିଲ୍ଲାର ଯେକୌଣସି ସ୍ଥାନରେ ବ୍ୟବହାର କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ଏହି ପାଣ୍ଠିକୁ ସେହି ସ୍ଥାନର ମୌଳିକ ଆବଶ୍ୟକତା ଯଥା – ଶିକ୍ଷା, ସ୍ୱାସ୍ଥ୍ୟ, ଜଳ ଯୋଗାଣ, ଗମନାଗମନ ଆଦି ବ୍ୟବସ୍ଥା ରେ ଖର୍ଚ୍ଚ କରିବା ପାଇଁ ବୈଠକରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଖଣି ଅଞ୍ଚଳର ନିକଟବର୍ତ୍ତୀ ସ୍ଥାନ ଗୁଡ଼ିକରେ ଲୋକଙ୍କୁ ସମ୍ପୂର୍ଣ୍ଣ ମୌଳିକ ସେବା (Saturation Mode) ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରୁ ଜଣାଯାଇଛି ଯେ, DMF ଟ୍ରଷ୍ଟବୋର୍ଡ ବୈଠକ ଡକାଯାଇ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରାଯିବ। DMF ଦ୍ୱାରା ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ପ୍ରଭାବିତ ଗ୍ରାମଗୁଡ଼ିକୁ ଚିହ୍ନଟ କରାଯିବ। ଖଣି ଅଂଚଳର ପାର୍ଶ୍ୱବର୍ତ୍ତୀ ଜାଗା ଗୁଡିକରେ ଥିବା ଜନବସତି ଗୁଡିକରେ ହେଉଥିବା ପ୍ରଦୂଷଣକୁ ରୋକିବା ପାଇଁ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ବୈଠକରେ ନିର୍ଦ୍ଦେଶ ଦେଇଥିଲେ।

ଯେଉଁ ଜିଲ୍ଲାଗୁଡ଼ିକରେ ବାର୍ଷିକ DMF ପାଣ୍ଠି 10 କୋଟି ଟଙ୍କା କିମ୍ବା ତା’ଠାରୁ ଅଧିକ ସଂଗ୍ରହ ହେଉଛି, ସେମାନେ ଏକ ଏଣ୍ଡାଓମେଣ୍ଟ ପାଣ୍ଠି (Endowment Fund) ଗଠନ କରିବେ। ଏହି ଏଣ୍ଡାଓମେଣ୍ଟ ପାଣ୍ଠିକୁ ସରକାରୀ ସିକ୍ୟୁରିଟି କିମ୍ବା ଅନୁସୂଚିତ ବ୍ୟାଙ୍କଗୁଡ଼ିକର ବଣ୍ଡ ଏବଂ ଏଫଡିରେ ବିନିଯୋଗ କରାଯିବ । ଖଣିଜ ପଦାର୍ଥ ଶେଷ ହେବା ପରେ କିମ୍ୱା କୌଣସି କାରଣରୁ ଖଣି କାର୍ଯ୍ୟକଳାପ ବନ୍ଦ ହୋଇଯାଇଥିବା ଅଞ୍ଚଳରେ ଭବିଷ୍ୟତ ପିଢ଼ିଙ୍କ ପାଇଁ ଜୀବିକା ସୃଷ୍ଟି ପାଇଁ ଏହି ପାଣ୍ଠି ବ୍ୟବହାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions