Connect with us

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ ଦୁଇଟି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଆଜିଠାରୁ ଓଡିଶାର ସବୁ ଜିଲ୍ଲାରେ’ୱାନ ନେସନ, ୱାନ ରେସନ’ କାର୍ଯ୍ୟକ୍ରମ ଆରମ୍ଭ ହେଲା । ଏହାଦ୍ବାରା ରାଜ୍ୟ ବାହାରର ଲୋକ ଓଡିଶାରେ ଓ ଓଡିଶାର ଲୋକ ରାଜ୍ୟ ବାହାରେ ତାଙ୍କ ପସନ୍ଦର ଦୋକାନରୁ ରେସନ ପାଇପାରିବେ। ରାଜ୍ୟର ୧୦,୫୭୮ ସୁଲଭ ମୂଲ୍ୟ ଦୋକାନରେ ହିତାଧିକାରୀମାନେ ଏହି ସୁବିଧା ପାଇବେ। ଏହାସହିତ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ପାଇଲଟ୍‌ ପ୍ରକଳ୍ପ ଭାବରେ ମାଲକାନଗିରି ଜିଲ୍ଲାରେ ଭିଟାମିନଯୁକ୍ତ ଚାଉଳ ପ୍ରଦାନ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରାଗଲା ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କହିଲେ, ‘ସ୍ବାଭିମାନର ସହ ବଞ୍ଚିବା ସମସ୍ତଙ୍କର ଅଧିକାର ଓ ଗରିବ ଲୋକଙ୍କୁ ଏହି ଅଧିକାରରୁ କେହି ବଞ୍ଚିତ କରିପାରିବ ନାହିଁ । ଆମର ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଏହି ଅଧିକାରକୁ ଆମେ ସବୁବେଳେ ସମ୍ମାନ ଜଣାଇଆସିଛୁ । ଗରିବ ଲୋକଙ୍କ କଲ୍ୟାଣ ପାଇଁ ଆମର ଉଦ୍ୟମ ଜାରି ରହିବ ।’

ଭିଟାମିନଯୁକ୍ତ ଚାଉଳରେ ଭିଟାମିନ ବି-୧୨ ଓ ଫୋଲିକ୍‌ ଏସିଡ ଥିବାରୁ ଏହା ଗରିବ ଲୋକମାନଙ୍କ ସହତି ବିଶେଷକରି ମହିଳା ଓ ବାଳିକା ମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଦିଗରେ ବହୁତ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଖାଦ୍ୟ ସୁରକ୍ଷା ରାଜ୍ୟ ସରକାରଙ୍କ ସବୁଠାରୁ ବଡ କଲ୍ୟାଣ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ଜରିଆରେ ରାଜ୍ୟର ୯୩ ଲକ୍ଷ ପରିବାର ଓ ସାଢେ ୩ କୋଟି ଲୋକ ଉପକାର ପାଉଛନ୍ତି। ୨୦୦୮ରେ ଆପଣଙ୍କ ରାଜ୍ୟ ସରକାର କେଜି ୨ ଟଙ୍କାରେ ଓ ୨୦୧୩ରୁ କେଜି ୧ ଟଙ୍କାରେ ଚାଉଳ ଯୋଗାଇ ଆସୁଛି । ଗରିବ ଲୋକଙ୍କ ଖାଦ୍ୟ ସୁରକ୍ଷା ପାଇଁ ତାଙ୍କର ଗୁରୁତ୍ବ ଉପରେ ଆଲୋକପାତ କରି ସେ କହିଲେ, ‘ମୁଁ ସବୁବେଳେ କହିଆସିଛି ଜଣେ ବି ଗରିବ ଲୋକ ଯେପରି ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ନ ହୁଏ, ତାହା ଆମର ଲକ୍ଷ୍ୟ ।’

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ କେଜି ୧ ଟଙ୍କାରେ ଚାଉଳ ମିଳିବା ଦ୍ବାରା ଗରିବ ଲୋକଙ୍କର ଖାଦ୍ୟ ନିରାପତ୍ତା ମଜବୁତ ହୋଇଛି । ରାଜ୍ୟର ବିଭିନ୍ନ କଲ୍ୟାଣକାରୀ ଯୋଜନା ଉପରେ ଆଲୋକପାତ କରି ସେ କହିଥିଲେ ଯେ ଖାଦ୍ୟ ନିରାପତ୍ତା ସହିତ ରାଜ୍ୟ ସରକାର ମାଗଣାରେ ପିଲାମାନଙ୍କ ପାଇଁ ଶିକ୍ଷା ବ୍ୟବସ୍ଥା କରିଛନ୍ତି। ଜୋତା ଠାରୁ ଆରମ୍ଭ କରି ପୋଷାକ, ବହି, ସାଇକେଲ – ସବୁ ସରକାର ଯୋଗାଇ ଦେଉଛନ୍ତି। ସ୍ବାସ୍ଥ୍ୟ ସୁବିଧା ପାଇଁ ସବୁ ସରକାରୀ ଡାକ୍ତରଖାନାରେ ସମସ୍ତଙ୍କ ପାଇଁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯାଉଛି । ତା ସହିତ ଗରିବ ଲୋକଙ୍କ ପାଇଁ ବିଭିନ୍ନ ରୋଜଗାର ଯୋଜନା ମଧ୍ୟ କାର୍ଯ୍ୟକାରୀ କରାଯାଉଛି । ମିଶନ ଶକ୍ତି କାର୍ଯ୍ୟକ୍ରମ ମଧ୍ୟ ଗରିବ ପରିବାରର ମା ମାନଙ୍କୁ ରୋଜଗାର ଦେଇଛି । ଚାଷଙ୍କ ପାଇଁ କାଳିଆ ଯୋଜନା ସାରା ଦେଶରେ ଆଦର ଲାଭ କରିଛି ବୋଲି ସେ କହିଥିଲେ।

କୋଭିଡ ମହାମାରୀ ସମୟରେ ଗରିବ ଲୋକଙ୍କ ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ସଂପର୍କରେ ସେ ଗୁରୁତ୍ବ ଦେଇ ସେ କହିଲେ ଯେ କୋଭିଡ ମହାମାରୀ, ବହୁ ଲୋକ ବିଶେଷକରି, ଗରିବ ଲୋକଙ୍କର ରୋଜଗାର ଉପରେ ଗଭୀର ପ୍ରଭାବ ପକାଇଛି। ତେଣୁ ଗରିବ ଲୋକଙ୍କ ରୋଜଗାର ପାଇଁ – ଚାଷୀ, ମହିଳା, ଶ୍ରମିକ ମାନଙ୍କ ପାଇଁ – ରାଜ୍ୟ ସରକାର ୨୦୦୦ କୋଟି ଟଙ୍କାର ସହାୟତା ଦେଇଛନ୍ତି। ଆମର ଏହିସବୁ କାର୍ଯ୍ୟକ୍ରମ ଗରିବ ଲୋକର ସାମାଜିକ ସ୍ଥିତିରେ ଉନ୍ନତି ଆଣିଛି ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗରିବ ଲୋକଙ୍କ ପାଇଁ ଖାଦ୍ୟ ସୁରକ୍ଷା ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲେ । ଖାଦ୍ୟ ସୁରକ୍ଷାରେ ଓଡିଶା ଦେଶର ଏକ ଅଗ୍ରଣୀ ରାଜ୍ୟ ହୋଇପାରିଛି ବୋଲି ପ୍ରକାଶ କରି ଏ ଦିଗରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବକୁ ସେ ପ୍ରଶଂସା କରିଥିଲେ ।

ମାଲକାନଗିରିଠାରେ ଉପସ୍ଥିତ ରହି ରାଜ୍ୟ କ୍ରୀଡା ଓ ଯୁବସେବା ତଥା ଇଲକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଲେ ଯେ ଭିଟାମିନଯୁକ୍ତ ଚାଉଳ ମାଲକାନଗିରିର ଜନସାଧାରଣଙ୍କ ପୁଷ୍ଟି ସୁରକ୍ଷାରେ ସହାୟକ ହୋଇପାରିବ। ଗରିବ ଓ ଆଦିବାସୀମାନଙ୍କ କଲ୍ୟାଣପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିମୂଳକ ପଦକ୍ଷେପର ଉଚ୍ଚପ୍ରଶଂସା କରିଥିଲେ ।

ସେହିପରି ବ୍ରହ୍ମପୁର ଠାରେ ଜଂଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିବା ସହିତ ଗଞ୍ଜାମ ଜିଲ୍ଲାର ଉନ୍ନତି ପାଇଁ ନିଆଯାଉଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ।

ଭୁବନେଶ୍ବରଠାରେ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସଂପନ୍ନ ନେତୃତ୍ବ ଯୋଗୁ ଓଡିଶା ଆଜି ଅନେକ କାର୍ଯ୍ୟକ୍ରମରେ ସାରା ଦେଶରେ ଅନ୍ୟ ରାଜ୍ୟ ମାନଙ୍କ ପାଇଁ ଆଦର୍ଶ ହୋଇପାରିଛି। ଓଡିଶାର ମୁଖ୍ୟମନ୍ତ୍ରୀ ଆଜି କରୁଛନ୍ତି, ସାରା ଦେଶ ତାକୁ ଗ୍ରହଣ କରୁଛି ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଏବଂ ଭୁବନେଶ୍ବର କେନ୍ଦ୍ର ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ନିଜର ଅଭିଭାଷଣ ରଖିଥିଲେ।

ସୂଚନାଯୋଗ୍ୟ ଯେ ପୂର୍ବରୁ ଭୁବନେଶ୍ବର ସହରରେ ପାଇଲଟ ପ୍ରୋଜେକ୍ଟ ଭାବରେ ‘ୱାନ ନେସନ, ୱାନ ରେସନ’ ଯୋଜନା କାର୍ଯ୍ୟକାରୀ ହୋଇଛି ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ.ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।

ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଭି.ଭି ଯାଦବ ସ୍ବାଗତ ଭାଷଣ ଦେଇଥିଲେ ଏବଂ ବିଭାଗର ଅତିରିକ୍ତ ସଚିବ ଧନ୍ୟବାଦ ଅର୍ପଣ କରିଥିଲେ ।

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପି.କେ. ଜେନା, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର, କୃଷି ଉତ୍ପାଦନ କମିଶନର ଆର୍‌.କେ.ଶର୍ମା ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ।

Continue Reading
Click to comment

Leave a Reply

Your email address will not be published. Required fields are marked *

ରାଜ୍ୟ

ଭୁବନେଶ୍ୱର ଇନ୍ଦିରା ଗାନ୍ଧୀ ପାର୍କ ଅବ୍ୟବସ୍ଥା ଦେଖି ରାଗିଲେ ସହରୀ ମନ୍ତ୍ରୀ କୃଷ୍ଣ ମହାପାତ୍ର

Published

on

ଭୁବନେଶ୍ୱର: ଓଡିଶା ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ଆଜି ଆଇଜି ପାର୍କ (ଇନ୍ଦିରା ଗାନ୍ଧୀ ପାର୍କ) ଅଚାନକ ପରିଦର୍ଶନ କରିବା ସମୟରେ ସେଠାକାର ଅବ୍ୟବସ୍ଥା ଦେଖି ବିରକ୍ତି ପ୍ରକାଶ କଲେ ।

ପାର୍କର ଅବ୍ୟବସ୍ଥା, ବିଶେଷ କରି ଶୌଚାଳୟ ଏବଂ ପରିସ୍ରାଗାରର ଶୋଚନୀୟ ଅବସ୍ଥା ଦେଖି ଡକ୍ଟର ମହାପାତ୍ର ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିରେ ତୁରନ୍ତ ସୁଧାର ଆଣିବା ସହ ଉପଯୁକ୍ତ ପରିମଳ, ନିୟମିତ ରକ୍ଷଣାବେକ୍ଷଣ ଏବଂ ସେବା ମାନରେ ଉନ୍ନତି ଆଣିବାକୁ ସେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଯଦି ଏହି ଅବହେଳା ଜାରି ରହେ, ତେବେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଚେତାବନୀ ଦେଇଛନ୍ତି।

ଭୁବନେଶ୍ୱର ସହରର ଏକ ପ୍ରମୁଖ ସ୍ଥାନରେ ଅବସ୍ଥିତ ଏହି ପାର୍କକୁ ପ୍ରତିଦିନ ବହୁ ସଂଖ୍ୟାରେ ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା ଆସୁଥିବାରୁ ଏହାର ଯତ୍ନ ଏବଂ ପରିମଳ ବ୍ୟବସ୍ଥା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ଆବଶ୍ୟକ। ପରିଦର୍ଶନ ସମୟରେ ମନ୍ତ୍ରୀ ସେଠାକୁ ଆସିଥିବା ପର୍ଯ୍ୟଟକମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ମିଳୁଥିବା ସୁବିଧା ସୁଯୋଗ ସମ୍ପର୍କରେ ପଚାରି ବୁଝିଥିଲେ।

ମନ୍ତ୍ରୀଙ୍କ ଏହି ପରିଦର୍ଶନ ସମୟରେ ଭୁବନେଶ୍ୱର ମହାନଗର ନିଗମର ଡେପୁଟି କମିଶନର  ଏନ୍. ଗଣେଶ ବାବୁ ଉପସ୍ଥିତ ଥିଲେ। ପାର୍କକୁ ସବୁବେଳେ ସ୍ୱଚ୍ଛ, ନିରାପଦ ଏବଂ ପରିଦର୍ଶକ-ଅନୁକୂଳ କରିବା ପାଇଁ ଅଧିକାରୀ ଓ ରକ୍ଷଣାବେକ୍ଷଣ କର୍ମଚାରୀମାନଙ୍କୁ ନିରୀକ୍ଷଣ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Continue Reading

ରାଜ୍ୟ

ଗ୍ରାମରକ୍ଷୀଙ୍କ ମାସିକ ଭତ୍ତା ୧,୮୦୦ ଶହରୁ ୨,୫୦୦ ଟଙ୍କାକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

Published

on

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଗ୍ରାମାଞ୍ଚଳରେ କାର୍ଯ୍ୟରତ ଗ୍ରାମରକ୍ଷୀ ମାନଙ୍କ ପାଇଁ ପୂର୍ବରୁ ପ୍ରଚଳିତ ଥିବା ମାସିକ ଭତ୍ତାକୁ ବୃଦ୍ଧି କରିଛନ୍ତି। ଏଣିକି ଗ୍ରାମରକ୍ଷୀ ମାନେ ୧,୮୦୦ ଟଙ୍କା ବଦଳରେ ୨,୫୦୦ ଟଙ୍କା ମାସିକ ଭତ୍ତା ପାଇବେ।

ଏଥି ସହିତ ସପ୍ତାହକୁ ଥରେ ସେମାନେ ଯେଉଁ ଥାନା ଅଧୀନରେ କାମ କରୁଥିବେ, ସେଠାକୁ ଯାଇ ସେମାନଙ୍କ ଉପସ୍ଥାନ ଦେବାର ବ୍ୟବସ୍ଥା କରାଯାଇଛି।

ସୂଚନାଯୋଗ୍ୟ ଯେ, ଗ୍ରାମାଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା ଏବଂ ଅପରାଧୀ ଚିହ୍ନଟ ପ୍ରକ୍ରିୟାରେ ଗ୍ରାମରକ୍ଷୀ ମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥାଏ।

Continue Reading

ରାଜ୍ୟ

ଡ଼ି ଏମ ଏଫ ଅର୍ଥ ଖର୍ଚ୍ଚ ନେଇ କଡା ଆଭିମୁଖ୍ୟ ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Published

on

ଭୁବନେଶ୍ୱର: ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବା ଡ଼ିଏମଏଫ ଅର୍ଥ ବ୍ୟୟର ଅଡିଟ ରିପୋର୍ଟ ଓ ବାର୍ଷିକ ରିପୋର୍ଟ ଦାଖଲ କରିବାକୁ କଡା ନିର୍ଦେଶ ଦେଇଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ମଙ୍ଗଳବାର ଡ଼ିଏମଏଫ  ବୈଠକରେ ପାଣ୍ଠିର ସମୀକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀ ମାଝୀ ନିର୍ଦେଶ ଦେଇଛନ୍ତି ଯେ ଏଣିକି ଲଘୁ ଖଣିଜ ପଦାର୍ଥରୁ ମିଳୁଥୁବା ଡ଼ିଏମଏଫ ପାଣ୍ଠି କେବଳ ସେହି ଜିଲ୍ଲା ରେ ଖର୍ଚ୍ଚ ହେବ ।

 

ଆଲୋଚନାରୁ ଜଣାପଡିଛିଯେ, ଚଳିତ ବର୍ଷ ଅକ୍ଟୋବର ମାସ ଶେଷ ସୁଦ୍ଧା ରାଜ୍ୟର ୧୧ ଟି ଡ଼ି.ଏମ.ଏଫ ଜିଲ୍ଲା ମାନଙ୍କରୁ ସମୁଦାୟ ୩୪,୦୫୨ କୋଟି ଟଙ୍କା ଆଦାୟ ହୋଇଛି ଏବଂ ପ୍ରାୟ ୫୫ ପ୍ରତିଶତ ଟଙ୍କା ଖର୍ଚ୍ଚ ହୋଇଛି । ଏହି ଖର୍ଚ୍ଚକୁ ବୃଦ୍ଧି କରି ଲୋକଙ୍କୁ ମୌଳିକ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହା ସହିତ, ୧୦ ଟି ଜିଲ୍ଲାରେ ଡ଼ି.ଏମ.ଏଫ ପୁନଃ ଗଠନ ହେବା ପରେ ଟ୍ରଷ୍ଟ ବୋର୍ଡ ମିଟିଂ ହୋଇସାରିଛି ବୋଲି ବୈଠକରୁ ଜଣାଯାଇଛି ।

ବୈଠକରେ ମୁଖ୍ୟମନ୍ତ୍ରୀ, ବିଭାଗୀୟ ସଚିବଙ୍କୁ ପ୍ରତ୍ୟେକ DMFର ଅଡିଟ୍ ରିପୋର୍ଟ ସହିତ ବାର୍ଷିକ ରିପୋର୍ଟ ଦାଖଲ କରିବାକୁ ଏବଂ ଲଘୁ ଖଣିଜ ପଦାର୍ଥ (Minor Minerals) ରୁ ସଂଗୃହୀତ DMF ପାଣ୍ଠିକୁ ସେହି ଜିଲ୍ଲାର ଯେକୌଣସି ସ୍ଥାନରେ ବ୍ୟବହାର କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ଏହି ପାଣ୍ଠିକୁ ସେହି ସ୍ଥାନର ମୌଳିକ ଆବଶ୍ୟକତା ଯଥା – ଶିକ୍ଷା, ସ୍ୱାସ୍ଥ୍ୟ, ଜଳ ଯୋଗାଣ, ଗମନାଗମନ ଆଦି ବ୍ୟବସ୍ଥା ରେ ଖର୍ଚ୍ଚ କରିବା ପାଇଁ ବୈଠକରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଖଣି ଅଞ୍ଚଳର ନିକଟବର୍ତ୍ତୀ ସ୍ଥାନ ଗୁଡ଼ିକରେ ଲୋକଙ୍କୁ ସମ୍ପୂର୍ଣ୍ଣ ମୌଳିକ ସେବା (Saturation Mode) ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରୁ ଜଣାଯାଇଛି ଯେ, DMF ଟ୍ରଷ୍ଟବୋର୍ଡ ବୈଠକ ଡକାଯାଇ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରାଯିବ। DMF ଦ୍ୱାରା ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ପ୍ରଭାବିତ ଗ୍ରାମଗୁଡ଼ିକୁ ଚିହ୍ନଟ କରାଯିବ। ଖଣି ଅଂଚଳର ପାର୍ଶ୍ୱବର୍ତ୍ତୀ ଜାଗା ଗୁଡିକରେ ଥିବା ଜନବସତି ଗୁଡିକରେ ହେଉଥିବା ପ୍ରଦୂଷଣକୁ ରୋକିବା ପାଇଁ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ବୈଠକରେ ନିର୍ଦ୍ଦେଶ ଦେଇଥିଲେ।

ଯେଉଁ ଜିଲ୍ଲାଗୁଡ଼ିକରେ ବାର୍ଷିକ DMF ପାଣ୍ଠି 10 କୋଟି ଟଙ୍କା କିମ୍ବା ତା’ଠାରୁ ଅଧିକ ସଂଗ୍ରହ ହେଉଛି, ସେମାନେ ଏକ ଏଣ୍ଡାଓମେଣ୍ଟ ପାଣ୍ଠି (Endowment Fund) ଗଠନ କରିବେ। ଏହି ଏଣ୍ଡାଓମେଣ୍ଟ ପାଣ୍ଠିକୁ ସରକାରୀ ସିକ୍ୟୁରିଟି କିମ୍ବା ଅନୁସୂଚିତ ବ୍ୟାଙ୍କଗୁଡ଼ିକର ବଣ୍ଡ ଏବଂ ଏଫଡିରେ ବିନିଯୋଗ କରାଯିବ । ଖଣିଜ ପଦାର୍ଥ ଶେଷ ହେବା ପରେ କିମ୍ୱା କୌଣସି କାରଣରୁ ଖଣି କାର୍ଯ୍ୟକଳାପ ବନ୍ଦ ହୋଇଯାଇଥିବା ଅଞ୍ଚଳରେ ଭବିଷ୍ୟତ ପିଢ଼ିଙ୍କ ପାଇଁ ଜୀବିକା ସୃଷ୍ଟି ପାଇଁ ଏହି ପାଣ୍ଠି ବ୍ୟବହାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions