Connect with us

ଭୁବନେଶ୍ୱର: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଓଡିଆ ‘ଭାଷା ଆଇନ’ ପୁସ୍ତକ ଉନ୍ମୋଚନ କରିଛନ୍ତି। ଓଡିଆ ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହାରଥାଙ୍କ ଦ୍ବାରା ସଂପଦିତ ତଥା ପ୍ରକାଶିତ ଏହି ପୁସ୍ତକରେ ୧୯୪୮ରୁ ୨୦୧୯ ପର୍ଯ୍ୟନ୍ତ ଓଡିଆ ସରକାରୀ ଭାଷା ଆଇନ ପ୍ରସ୍ତାବ ଠାରୁ ଆରମ୍ଭ କରି ସଂଶୋଧିତ ଦଣ୍ଡବିଧାନ ପର୍ଯ୍ୟନ୍ତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଧେୟକ, ଅଧିନିୟମ, ବିଜ୍ଞପ୍ତି, ନଥି ଓ ଚିଠିପତ୍ର ସ୍ଥାନିତ ହୋଇଛି। ପୁସ୍ତକଟିରେ ସମୁଦାୟ ୨୦ଟି ବିଷୟ ସ୍ଥାନିତ ହୋଇଛି ।

ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ପୁସ୍ତକଟିକୁ ଉନ୍ମୋଚନ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଭାଷା ହେଉଛି ଗୋଟିଏ ଜାତିର ଶ୍ରେଷ୍ଠ ସଂପଦ ଓ ସବୁଠାରୁ ବଡ ପରିଚୟ। ଓଡିଆ ଭାଷା ବହୁ ପୁରୁଣା ଭାଷା ଏବଂ ଓଡିଆ ଭାଷାକୁ ନେଇ ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ, ଓଡିଶା ଗଠିତ ହୋଇଥିଲା। ଯୁବ ସମାଜ ମଧ୍ୟରେ ଓଡିଆ ଭାଷା ପ୍ରତି ଆଦର ବୃଦ୍ଧି ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ।

ଆସନ୍ତା ୨୦୩୬ରେ ସ୍ବତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପାଳନ କରାଯିବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଭାଷାର ସୁରକ୍ଷା ଓ ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି ଏବଂ ଆଗକୁ ମଧ୍ୟ ନିଆଯିବ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ପ୍ରକାଶକ ସରୋଜ ବଳ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହାରଥା ଧନ୍ୟବାଦ ଅର୍ପଣ କରିଥିଲେ ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଆର. ବାଲକ୍ରିଷ୍ଣନ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ଉନ୍ନୟନ କମିଶନର ପି.କେ. ଜେନା ଉପସ୍ଥିତ ଥିଲେ।

ବିଶିଷ୍ଟ ଭାଷାବିତ୍‌ ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକ, ଡଃ ଭଗବାନ ପ୍ରକାଶ, ପ୍ରମେୟର ସଂପାଦକ ଗୋପାଳ ମହାପାତ୍ର, ପ୍ରଗତୀବାଦୀର ସଂପାଦକ ବିରୁପାକ୍ଷ ତ୍ରିପାଠୀ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।

Continue Reading
Click to comment

Leave a Reply

Your email address will not be published. Required fields are marked *

Nation

ଓଡିଶାର ଷଷ୍ଠ ରାଜ୍ୟ ଅର୍ଥ କମିଶନଙ୍କ ରିପୋର୍ଟ ପ୍ରଦାନ 

Published

on

ଭୁବନେଶ୍ୱର: ଆଜି ଷଷ୍ଠ ରାଜ୍ୟ ଅର୍ଥ କମିଶନର ଅଧ୍ୟକ୍ଷ ଡକ୍ଟର ଅରୁଣ କୁମାର ପଣ୍ଡା ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘ସମୀକ୍ଷା’ ପୋର୍ଟାଲର ମଧ୍ୟ ଉନ୍ମୋଚନ କରିଛନ୍ତି, ଯାହା ରାଜ୍ୟ ଅର୍ଥ କମିଶନ (SFC) ଏବଂ କେନ୍ଦ୍ର ଅର୍ଥ କମିଶନ (CFC) ଅନୁଦାନ ଅଧୀନରେ ରାସ୍ତା, ପାନୀୟ ଜଳ ଯୋଗାଣ, ପରିମଳ, ରାସ୍ତା ଆଲୋକୀକରଣ, ପାର୍କ ଏବଂ ସାଧାରଣ ଉପଯୋଗୀତା ଇତ୍ୟାଦି ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନର ଅଗ୍ରଗତି ବିଷୟରେ ପ୍ରକୃତ ସୂଚନା ପ୍ରଦାନ କରିବ ।

ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ, ଓଡ଼ିଶାର ଆର୍ଥିକ ମାନଦଣ୍ଡ, ପଞ୍ଚାୟତ ସ୍ତରର ଢାଞ୍ଚା ପରିବର୍ତ୍ତନ, ଜନସାଧାରଣଙ୍କ ଜୀବନଧାରଣାର ମାନ ବୃଦ୍ଧି, ପ୍ରତ୍ୟେକ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ସ୍ଥିତି ସୁଧାରିବାକୁ ତତ୍‌ସହିତ ସମୃଦ୍ଧ ଓଡ଼ିଶାର ଭିତ୍ତି ସୁଦୃଢ଼ କରିବାକୁ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

ସୂଚନା ଯୋଗ୍ୟଯେ, କମିଶନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ରିପୋର୍ଟରେ ଏକ ପୂର୍ବାନୁମାନଯୋଗ୍ୟ ଏବଂ ସୂତ୍ର-ଭିତ୍ତିକ ବ୍ୟବସ୍ଥା ମାଧ୍ୟମରେ ସ୍ଥାନୀୟ ସଂସ୍ଥାଗୁଡ଼ିକର ଆର୍ଥିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ସମାନତା ବିଚାର, ଆଞ୍ଚଳିକ ବୈଷମ୍ୟ, ଗ୍ରାମୀଣ ଏବଂ ସହରାଞ୍ଚଳର ସ୍ଥାନୀୟ ପୃଥକ ଆବଶ୍ୟକତା ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । କମିଶନ ସ୍ଥାନୀୟ ସଂସ୍ଥାଗୁଡ଼ିକର ସାମଗ୍ରିକ ବିକାଶ ପାଇଁ ଆର୍ଥିକ ଏବଂ ଅଣ-ଆର୍ଥିକ ଉଭୟ ସୁପାରିଶ କରିଛନ୍ତି।

ଆଜିର ଏହି ବୈଠକରେ, ମାନ୍ୟବର ଉପମୁଖ୍ୟମନ୍ତ୍ରୀ  କନକ ବର୍ଦ୍ଧନ ସିଂ ଦେଓ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୀବ ମିଶ୍ର, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ସଚିବ ଵିଶାଲ ଦେବ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ସଚିବ ଗିରିଶ ଏସ.ଏନ ପ୍ରମୁଖ ଉପସ୍ଥିତ ଥିଲେ ।

କମିଶନ ର ଅଧ୍ୟକ୍ଷ ଡକ୍ଟର ଅରୁଣ କୁମାର ପଣ୍ଡା ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ ।

ଏହି ଅବସରରେ ଷଷ୍ଠ ରାଜ୍ୟ ଅର୍ଥ କମିଶନ (SFC) ସଦସ୍ୟ ପ୍ରଫେସର ଅସିତ ରଞ୍ଜନ ମହାନ୍ତି ଏବଂ ଡକ୍ଟର ବିଭୁ ପ୍ରସାଦ ନାୟକଙ୍କ ସହିତ; ସଦସ୍ୟ ସଚିବ- ଡକ୍ଟର ସତ୍ୟ ପ୍ରିୟ ରଥ, ପଦାଧିକାରୀ ସଦସ୍ୟ-ତଥା- ନିର୍ଦ୍ଦେଶକ, ପୌର ପ୍ରଶାସନ ଶ୍ରୀ ଅରିନ୍ଦମ ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ ।

Continue Reading

Nation

ଓଡିଶାର ୯୦ ପ୍ରତିଶତ ଚାଷ ଜମିକୁ  ୨୦୩୬ ସୁଦ୍ଧା ଜଳସେଚନର ସୁବିଧା ଯୋଗାଇ ଦିଆଯିବ-ମୁଖ୍ୟମନ୍ତ୍ରୀ

Published

on

ଭୁବନେଶ୍ୱର: ରାଜ୍ୟର  ୯୦ ପ୍ରତିଶତ ଚାଷ ଜମିକୁ  ୨୦୩୬ ସୁଦ୍ଧା ଜଳସେଚନର ସୁବିଧା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।

ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ-୨୦୨୬ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  କହିଛନ୍ତି ଯେ ୨୦୩୬ ସୁଦ୍ଧା ଓଡିଶାକୁ ସମୃଦ୍ଧ ରାଜ୍ୟରେ ପରିଣତ କରିବା ଲକ୍ଷ୍ୟରେ ୯୦ ପ୍ରତିଶତରୁ ଅଧିକ ଚାଷଯୋଗ୍ୟ ଜମିକୁ ଜଳସେଚନ ସୁବିଧା ଯୋଗାଇବା ପାଇଁ ସରକାର ପ୍ରତିବଦ୍ଧ ହୋଇ କାର୍ଯ୍ୟ କରୁଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଗାମୀ ୫ ବର୍ଷ ମଧ୍ୟରେ ବୃହତ, ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ଲିଫ୍ଟ ଇରିଗେସନ, ମେଗା ଲିଫ୍ଟ ଓ ଆଡିବନ୍ଧ ନିର୍ମାଣ ମାଧ୍ୟମରେ ୧୫ ଲକ୍ଷ ହେକ୍ଟର ଅତିରିକ୍ତ ଜମିକୁ ଜଳସେଚନ ଅନ୍ତର୍ଭୁକ୍ତ କରାଯିବ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ମୟୂରଭଞ୍ଜର ଖଇରିବନ୍ଧନ ବ୍ୟାରେଜ୍, ବଲାଙ୍ଗିରର ଅପରଲାନ୍ଥ ପ୍ରକଳ୍ପ, ସାଣ୍ଡୁଲ ଭୂତଳ ପାଇପଲାଇନ୍, ନୟାଗଡର ବୃତଙ୍ଗ ଜଳସେଚନ ପ୍ରକଳ୍ପ ସହିତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅନେକ ଜଳାଶୟ ଓ କେନାଲ ପ୍ରକଳ୍ପ ତ୍ୱରାନ୍ବିତ ଭାବେ ଚାଲୁ ରହିଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ  ପାଣି ପଞ୍ଚାୟତ ବ୍ୟବସ୍ଥା ଓଡିଶାର କୃଷି ଓ କୃଷକଙ୍କ ଜୀବନରେ ଏକ ବିରାଟ ପରିବର୍ତ୍ତନ ଆଣିଛି ।

ସୂଚନା ଯୋଗ୍ୟ ଯେ, ବର୍ତ୍ତମାନ ରାଜ୍ୟରେ ୪୦,୩୮୦ ଗୋଟି ପାଣି ପଞ୍ଚାୟତ ସକ୍ରିୟ ଭାବେ କାର୍ଯ୍ୟ କରୁଥିବାବେଳେ, ସେଗୁଡିକ ମାଧ୍ୟମରେ ୨୪.୧୨ ଲକ୍ଷ ହେକ୍ଟର ଜମିର ଜଳସେଚନ ସଫଳତାର ସହ ପରିଚାଳିତ ହେଉଛି। ଓଡିଶା ପାଣି ପଞ୍ଚାୟତ ଆଇନ-୨୦୦୨ ଓ ତାହାର ସଂଶୋଧନ ମାଧ୍ୟମରେ ମହିଳା, ମତ୍ସ୍ୟଜୀବୀ ଓ ଜଳ ବ୍ୟବହାରକାରୀଙ୍କୁ ସମାନ ଅଧିକାର ଓ ସୁଯୋଗ ଦିଆଯାଇଛି।

ସେ ଆହୁରି କହିଥିଲେ ଯେ, ଜଳସେଚନ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାକୁ ଆପଣାଇବା ପାଇଁ ଆଇଓଟି (IOT) ସକ୍ଷମ ଡିଜିଟାଲ ଜଳମାପ ଏବଂ ମୃତ୍ତିକାର ଆଦ୍ରତା ଜାଣିବା ପାଇଁ ସେନ୍‌ସିଙ୍ଗ୍ ସିଷ୍ଟମ ନିମନ୍ତେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ୱାଟର ମ୍ୟାନେଜମେଣ୍ଟକୁ ଅନୁବନ୍ଧିତ କରାଯାଇଛି। ଏଥି ସହିତ ପାଣି ପଞ୍ଚାୟତ ଗୁଡିକର ଦକ୍ଷତା ବୃଦ୍ଧି ପାଇଁ ଜାଭିୟର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ସହ ଏମ୍‌ଓୟୁ କରାଯାଇଛି । ନୂଆପଡା ଜିଲ୍ଲାର ଚାନ୍ଦପାଲାରେ ୨,୫୬୭ ହେକ୍ଟର ଜମିକୁ ଆଧୁନିକ ଜଳ ଦକ୍ଷତା ଏବଂ ଗୋଷ୍ଠୀ ଦ୍ବାରା ପରିଚାଳିତ ଜଳସେଚନ ପରିଚାଳନା ପାଇଁ ପାଇଲଟ୍ ପ୍ରୋଜେକ୍ଟ ଭାବେ ଗ୍ରହଣ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ, ଚାଷୀ ମାନଙ୍କୁ କିପରି ଉତ୍ତମ ବଜାର ବ୍ୟବସ୍ଥା ଯୋଗାଇଦେବା ସହିତ ସେମାନଙ୍କ ଉତ୍ପାଦିତ ଫସଲକୁ  ବିଦେଶକୁ ରପ୍ତାନୀ କରାଯାଇ ସେମାନଙ୍କୁ ଉତ୍ତମ ମୂଲ୍ୟ ଦିଆଯାଇ ପାରିବ ସେ ଦିଗରେ ସରକାର ଯୋଜନା କରୁଛନ୍ତି। ଚାଷୀଙ୍କ ଆୟ କିପରି ଦ୍ବିଗୁଣିତ ହୋଇପାରିବ, ତାହା ଆମ ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ ।

ଏହି  କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ଃ ଅରବିନ୍ଦ ପାଢ଼ୀ, ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ଇଞ୍ଜିନିୟର-ଇନ-ଚିଫ  ସାଗର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Continue Reading

Nation

ଗୋରୁ ଚୋରାଚାଲାଣକାରୀଙ୍କୁ ସତର୍କ କରାଇଲେ ଓଡିଶା ମୁଖ୍ୟମନ୍ତ୍ରୀ

Published

on

 

ଭୁବନେଶ୍ୱର:   ମତ୍ସ୍ୟ-ପ୍ରାଣୀ ସମାବେଶ, ଓଡ଼ିଶା- ୨୦୨୬ ଉଦ୍‌ଘାଟନ ଅବସରରେ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୋରୁ ଚୋରାଚାଲାଣକାରୀଙ୍କୁ ସତର୍କ କରାଇ ଦେଇଛନ୍ତି। ସେ କହିଛନ୍ତି ଯେ, ଗୋମାତାଙ୍କ ଚୋରାଚାଲାଣ କାର୍ଯ୍ୟରୁ ବିରତ ନ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଭୁବନେଶ୍ୱର ଜନତା ମୈଦାନ ଠାରେ ଆୟୋଜିତ ଏହି ତିନି ଦିନିଆ ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଵା ଅବସରରେ କହିଥିଲେ ଯେ ଓଡ଼ିଶାରେ ଦୁଗ୍‌ଧ ଉତ୍ପାଦନ ବୃଦ୍ଧି କରିବା ନିମନ୍ତେ ଆମ ସରକାର ଆସିବା ମାତ୍ରେ ପ୍ରଥମ ବଜେଟ୍‌ରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଯୋଜନା ଆମ ରାଜ୍ୟ ପାଇଁ ଏକ ଐତିହାସିକ ଯୋଜନା ବୋଲି ଆଜି ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ମତ୍ସ୍ୟ-ପ୍ରାଣୀ ସମାବେଶ, ଓଡ଼ିଶା- ୨୦୨୬ ଉଦ୍‌ଘାଟନ ଅବସରରେ କହିଛନ୍ତି ।

ଭୁବନେଶ୍ୱର ଜନତା ମୈଦାନ ଠାରେ ଆୟୋଜିତ ଏହି ତିନି ଦିନିଆ ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ରାଜ୍ୟର ଚାଷୀମାନଙ୍କ ମଧ୍ୟରୁ ପ୍ରାୟ ୯୨ ପ୍ରତିଶତ ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର ଚାଷୀ । ଜନସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ଆଗାମୀ ଦିନରେ ଜମି ହୋଲ୍‌ଡିଙ୍ଗ୍‌ ଆହୁରି କମିଯିବ । ତେଣୁ କୃଷି ସହିତ ମାଛ ଚାଷ, ଗୋ-ପାଳନ, ପ୍ରାଣୀ ପାଳନ କରିବା ଉଚିତ। ଏଥିପାଇଁ ସରକାରଙ୍କ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ ଆରମ୍ଭ କରାଯାଇଛି ।

ସେ କହିଥିଲେ ଆମ ସରକାର ୧୪୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଆରମ୍ଭ କରିଛନ୍ତି । ବିଗତ ଦେଢ଼ ବର୍ଷ ଭିତରେ ପୂର୍ବ ତୁଳନାରେ ରାଜ୍ୟରେ ୧.୩୫ ଲକ୍ଷ ଲିଟର ଅଧିକ ଦୁଗ୍‌ଧ ଉତ୍ପାଦନ ହେଉଛି । ଏହି ପରିମାଣକୁ ଆହୁରି ବୃଦ୍ଧି କରିବା ପାଇଁ ଆମେ ପ୍ରତିବଦ୍ଧତା ସହ କାମ କରୁଛୁ ।

ସେ ପୁଣି କହିଥିଲେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଚାଷୀମାନଙ୍କୁ ୭୦ ପ୍ରତିଶତ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦେଇ ଶଙ୍କର ଜାତୀୟ ଅଧିକ ଦୁଗ୍‌ଧ ପ୍ରଦାନକାରୀ ଗାଈ ଓ ମଇଁଷି ପାଳନ ପାଇଁ ଉତ୍ସାହିତ କରାଯାଉଛି । ଏହା ମାଧ୍ୟମରେ ୪.୭୩ ଲକ୍ଷ ହିତାଧିକାରୀଙ୍କୁ ୨୬୨ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ଏଥିସହିତ ଦୁଗ୍‌ଧ ବ୍ୟବସାୟୀମାନଙ୍କ ପାଇଁ ଓମ୍‌ଫେଡ୍‌ ପକ୍ଷରୁ ଲିଟର ପିଛା ୨ ଟଙ୍କା ଅଧିକ ସହାୟତା ରାଶି ଦିଆଯାଉଛି । କେବଳ ମାଈ ବାଛୁରୀ ଜନ୍ମ ପାଇଁ ଲିଙ୍ଗ ନିରୂପିତ ଶୁକ୍ରାଣୁ ମାଧ୍ୟମରେ କୃତ୍ରିମ ପ୍ରଜନନ ଯୋଜନା ଆରମ୍ଭ କରାଯାଇଛି। ଏହା ମାଧ୍ୟମରେ ରାଜ୍ୟର ୨.୩୦ ଲକ୍ଷ ଗୋ-ପାଳକ ଉପକୃତ ହୋଇଛନ୍ତି ।

ରାଜ୍ୟର ଚାଷୀମାନଙ୍କ ଆୟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବର୍ତ୍ତମାନ ଆମର ସମୃଦ୍ଧ କୃଷକ ଯୋଜନା, ପିଏମ ଓ ସିଏମ କିଷାନ ଯୋଜନା ଏବଂ ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ଫଳରେ ଏବେ ଗୋଟିଏ କୃଷକ ପରିବାରର ଆୟ ବାର୍ଷିକ ୬୧,୦୦୦ ରୁ ବି ଅଧିକ ହୋଇପାରିଛି ।

ସେ ଆହୁରି କହିଥିଲେ ଯେ, ରାଜ୍ୟକୁ ମାଛ, ମାଂସ, କୁକଡ଼ା ମାଂସ, ଅଣ୍ଡା ଇତ୍ୟାଦିରେ ଆତ୍ମନିର୍ଭର କରିବା ପାଇଁ ଆମ ସରକାର ଦୃଢ଼ ସଂକଳ୍ପ କରିଛନ୍ତି । ଏବେ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଛି । ଏକ ନମ୍ୱର ସ୍ଥାନ ହାସଲ କରିବା ପାଇଁ ଆମେ ଚେଷ୍ଟା ଜାରି ରଖିଛୁ । ଏଥିପାଇଁ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଓ ପ୍ରଧାନମନ୍ତ୍ରୀ ମତ୍ସ୍ୟ କିଷାନ ସମୃଦ୍ଧି ଯୋଜନା କାର୍ଯ୍ୟକାରୀ ହେଉଛି । ଏଥି ସହିତ ବାୟୋଫ୍ଲକ୍ ପଦ୍ଧତିରେ ମାଛ ଚାଷ ଓ କେଜ୍‌ କଲ୍‌ଚର୍‌ ମଧ୍ୟ ଆଦୃତି ଲାଭ କରିଛି ।

ଉପସ୍ଥିତ ପ୍ରାଣୀପାଳକ ମାନଙ୍କୁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରାଣୀପାଳନ ଏକ ଲାଭଦାୟକ ବ୍ୟବସାୟ । ସରକାରଙ୍କ ପକ୍ଷରୁ ଋଣରେ ରିହାତି, ମାଗଣା ଟିକା ବ୍ୟବସ୍ଥା, ପ୍ରାଣୀ ସ୍ୱାସ୍ଥ୍ୟ ସେବା ଆଦି ଯୋଗାଇ ଦିଆଯାଉଛି । ତେଣୁ, ଛେଳି ଚାଷ, ଘୁଷୁରି ପାଳନ, କୁକୁଡ଼ା ପାଳନ ଓ ବତକ ପାଳନ ପରି ଲାଭଜନକ କୃଷି ବ୍ୟବସାୟ କରିବା ପାଇଁ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଓ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନାର ହିତାଧିକାରୀମାନଙ୍କୁ ସହାୟତା ରାଶି ପ୍ରଦାନ କରିଥିଲେ ଏବଂ ଅନୁଗୋଳର ଦିଲ୍ଲୀପ ପ୍ରଧାନଙ୍କୁ ଗୋପାଳରତ୍ନ ସମ୍ମାନ ଏବଂ ଯାଜପୁରର ସୁକାନ୍ତ କୁମାର ବିଶ୍ୱାଳଙ୍କୁ Native Breed Conservation Award ପ୍ରଦାନ କରିଥିଲେ ।

ମୁଖ୍ୟମନ୍ତ୍ରୀ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ୬ ଜଣ ଏବଂ ପ୍ରାଣୀ ପାଳନ କ୍ଷେତ୍ରର ୬ ଜଣ ଶ୍ରେଷ୍ଠ ଚାଷୀଙ୍କୁ ପୁରସ୍କୃତ କରିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଗୋରୁ ଚୋରାଚାଲାଣକାରୀଙ୍କୁ ସତର୍କ କରାଇ କହିଥିଲେ ଯେ, ଗୋମାତାଙ୍କ ଚୋରାଚାଲାଣ କାର୍ଯ୍ୟରୁ ବିରତ ରୁହନ୍ତୁ, ଅନ୍ୟଥା କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ  ଗୋକୁଳାନନ୍ଦ ମଲ୍ଲିକ କହିଥିଲେ ଯେ, ଆମ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ରାଜ୍ୟରେ ଦୁଗ୍‌ଧ ବିପ୍ଲବରେ ଏକ ନୂଆ ଦିଗନ୍ତ ଆଣିଛି। ଚାଷୀମାନଙ୍କୁ ମତ୍ସ୍ୟ ଓ ପ୍ରାଣୀପାଳନ କ୍ଷେତ୍ର ସମ୍ପର୍କରେ ଅଧିକ ସଚେତନ କରିବା ଲକ୍ଷ୍ୟରେ ରାଜ୍ୟର ୩୧୪ ବ୍ଲକ୍‌ ଏବଂ ୩୦ ଜିଲ୍ଲାରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଆୟୋଜନ ହୋଇଥିଲା ।

ଏହି ଅବସରରେ ରାଜସ୍ୱ ମନ୍ତ୍ରୀ  ସୁରେଶ ପୂଜାରୀ  ଘୋଷଣା କରିଥିଲେ ଯେ, ଆଗାମୀ ଦିନରେ ଗୋ-ସମ୍ପଦ ଓ ଗୋ-ମାତାର ସୁରକ୍ଷା ପାଇଁ ରାଜ୍ୟରେ ଯେକୌଣସି ସ୍ଥାନରେ ଗୋଶାଳା ନିର୍ମାଣ ହେବ। ସେଥିପାଇଁ ରାଜସ୍ୱ ବିଭାଗ ଜମି ଯୋଗାଇଦେବ।

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଓ ମତ୍ସ୍ୟ ନିର୍ଦ୍ଦେଶକ ମହମ୍ମଦ ସାଦିକ୍ ଆଲାମ୍ ଧନ୍ୟବାଦ ଅର୍ପଣ କରିଥିଲେ ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions