Health

ଅଗଷ୍ଟ ୧୫ ରେ ପ୍ଲାଜମା ଦାତାଙ୍କୁ ସମର୍ଦ୍ଧନା

Published

on

ଭୁବନେଶ୍ବର: ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ଵାଧୀନତା ଦିବସ ଅବସରରେ ରାଜ୍ୟର ପ୍ଲାଜମା ଦାତାମାନକୁ ରାଜ୍ୟ ସରକାର ସମ୍ବର୍ଦ୍ଧିତ କରିବେ।

ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କୋଭିଡ ପରିଚାଳନା ସାମୀକ୍ଷା ବୈଠକରେ ବୁଧବାର ସ୍ଥିର ହୋଇଛି।

ଗତ ତିନି ସପ୍ତାହ ମଧ୍ୟରେ ରାଜ୍ୟରେ ପାଞ୍ଚଟି ପ୍ଲାଜମା ବ୍ୟାଙ୍କ ସ୍ଥାପନ ହୋଇପାରିଛି ଏବଂ ଏହି ଚିକିତ୍ସା ଜରିଆରେ ରୋଗୀମାନେ ଭଲ ଫଳ ପାଇପାରୁଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନ ତଥା ଡାକ୍ତରମାନଙ୍କୁ ସାଧୁବାଦ ଜଣାଇଥିଲେ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୪୯ ଜଣ ପ୍ଲାଜ୍‌ମା ଡୋନର ପ୍ଲାଜ୍‌ମା ଦାନ କରିଥିବା ବେଳେ ୧୩୨ ଜଣ ପ୍ଲାଜ୍‌ମା ଥେରାପିରେ ଚିକିତ୍ସିତ ହେଉଛନ୍ତି। ଦଶ ଜଣ ସମ୍ପୁର୍ଣ୍ଣ ସୁସ୍ଥ ହୋଇଥିବା ବେଳେ ୯୮ ଜଣଙ୍କ ସ୍ବାସ୍ଥ୍ୟରେ ଆଖିଦୃଶିଆ ଉନ୍ନତି ଆସିଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା।

ଭିଡିଓ କନଫରେନ୍ସି ଜରିଆରେ କୋଭିଡ୍‌ ପରିଚାଳନା ସମ୍ପର୍କରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପଇସା ଅଭାବରୁ କେହି ଜଣେ ବି କୋଭିଡ୍‌ ରୋଗୀ ଚିକିତ୍ସା ସୁବିଧାରୁ ବଞ୍ଚିତ ହେବେ ନାହିଁ । ସେ କହିଥିଲେ କୋଭିଡ୍‌ ଚିକିତ୍ସା ପାଇଁ ରାଜ୍ୟ ସରକାର ରୋଗୀ ମାନଙ୍କୁ ଖାଇବା, ରହିବା, ଔଷଧ ଖର୍ଚ୍ଚ, ପରିବହନ ଆଦି ସବୁ ସୁବିଧା ମାଗଣାରେ ଯୋଗାଇ ଦେଉଛନ୍ତି। ଏ କ୍ଷେତ୍ରରେ ଓଡିଶା ହେଉଛି ଦେଶର ଏକମାତ୍ର ରାଜ୍ୟ ଯେଉଁଠାରେ କି ଧନୀ, ଗରିବ ସମସ୍ତଙ୍କୁ ମାଗଣା ଚିକିତ୍ସା ଦିଆଯାଉଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଅଧିକରୁ ଅଧିକ ଲୋକଙ୍କ ଜୀବନ ଯେପରି ବଞ୍ଚାଯାଇପାରିବ ସେ ଦିଗରେ ଆମେ ନିଷ୍ଠାର ସହିତ କାର୍ଯ୍ୟ କରୁଛୁ।

କରୋନାକୁ ପ୍ରତିହତ କରିବା ପାଇଁ ଟେଷ୍ଟିଂ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ତେଣୁ ଲକ୍ଷଣ ପ୍ରକାଶ ମାତ୍ରକେ ତୁରନ୍ତ ସ୍ବେଚ୍ଛାକୃତ ଭାବରେ ଟେଷ୍ଟିଂ ପାଇଁ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ଆହ୍ବାନ ଜଣାଇଛନ୍ତି। ଏହାଦ୍ବାରା ସଂକ୍ରମଣ ନିୟନ୍ତ୍ରଣ ହେବା ସହିତ ଆରୋଗ୍ୟ ହାର ମଧ୍ୟ ଆହୁରି ଭଲ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଗତକାଲି ରାଜ୍ୟରେ ଗୋଟିଏ ଦିନରେ ୩୨ ହଜାର ଟେଷ୍ଟିଂ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ। ଲୋକମାନେ ଯେପରି ସୁବିଧାରେ ଟେଷ୍ଟିଂ କରିପାରିବେ ସେଥିପାଇଁ ସବ୍-ଡିଭିଜନ ସ୍ତରରେ ତଥା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସ୍ତରରେ ଟେଷ୍ଟିଂ ସୁବିଧା ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଲୋକମାନେ ଯେପରି ସ୍ବେଚ୍ଛାରେ ଟେଷ୍ଟିଂ ପାଇଁ ଆଗେଇ ଆସିବେ ସେଥିପାଇଁ ବି.ଡି.ଓ. ଓ ପଞ୍ଚାୟତ ପ୍ରତିନିଧିମାନେ ସଚେତନତା ଅଭିଯାନ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ରୋଗକୁ ଭୟ ନ କରି ଚିକିତ୍ସା ପାଇଁ ଆଗେଇ ଆସିବା ସହିତ ରୋଗୀଙ୍କୁ ଘୃଣା ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଏ ଦିଗରେ ଲୋକ ପ୍ରତିନିଧିମାନେ ଜନସାଧାରଣଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ।

ସ୍ବଳ୍ପ ଓ ଲକ୍ଷଣ ବିହୀନ ରୋଗୀମାନଙ୍କୁ ଘରେ ଚିକିତ୍ସା ଯୋଗାଇବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ ଏବଂ ରୋଗୀମାନଙ୍କୁ ମେଡିସିନ୍‌ କିଟ୍‌ ଓ ଟେଲି ମେଡିସିନ ଯୋଗେ ଡକ୍ତରୀ ସୁବିଧା ଯୋଗାଇ ଦେବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ। ଖୋର୍ଦ୍ଧା, ସୁନ୍ଦରଗଡ, କଟକ ଓ ଯାଜପୁର ଜିଲ୍ଲାଗୁଡିକ ଉପରେ ଅଧିକ ଧ୍ୟାନ ଦେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଗତ ପାଞ୍ଚ ମାସ ଧରି ରାଜ୍ୟବାସୀ ଯେଭଳି ସାହସର ସହ ଲଢେଇ ଜାରି ରଖିଛନ୍ତି ତାହା ଆମକୁ ଉତ୍ସାହଜନକ ସଫଳତା ଦେଇଛି। ଏଥିପାଇଁ ଆଗ ଧାଡିର କୋଭିଡ୍‌ ଯୋଦ୍ଧା ତଥା ଲୋକପ୍ରତିନିଧି ମାନଙ୍କର ନିରନ୍ତର ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ।


ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଥିଲେ ଯେ ସାରା ଦେଶରେ କୋଭିଡ୍‌ ନିୟନ୍ତ୍ରଣରେ ଓଡିଶାର ସମସ୍ତ ସୂଚକାଙ୍କ ଉତ୍ସାହଜନକ ରହିଛି

ବର୍ତ୍ତମାନ ରାଜ୍ୟରେ ଆରୋଗ୍ୟ ହାର ୬୮.୬ ପ୍ରତିଶତ ଥିବାବେଳେ ମୃତ୍ୟୁହାର ୦.୬୦ ରହିଛି। ତିନୋଟି ସରକାରୀ ମେଡିକାଲ କଲେଜରେ ଅତିରିକ୍ତ RT-PCR Machine ସ୍ଥାପନ କରିବା, ରାଜ୍ୟରେ ଲାବ୍‌ ସଂଖ୍ୟା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ହୋଇଥିଲା।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡା, ଯାଜପୁର, ଜଗତସିଂପୁର, ଢେଙ୍କାନାଳ, ଭଦ୍ରକ, ବାଲେଶ୍ବର ଓ କଟକ ଜିଲ୍ଲାର କୋଭିଡ୍‌ ପର୍ଯ୍ୟବେକ୍ଷକମାନଙ୍କ ସହ ଜିଲ୍ଲାର ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ।


ଏହି ବୈଠକରେ ପୋଲିସ ମହାନିର୍ଦ୍ଦେଶକ ଅଭୟ, ଉନ୍ନୟନ କମିଶନର ସୁୁରେଶ ମହାପାତ୍ର, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା, ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ ମୀନା, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି କେ ପାନଡ଼଼ିଆନ, E&IT ବିଭାଗ ସଚିବ ମନୋଜ ମିିଶ୍ର ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Trending

Exit mobile version