୍ୁଷ୍ଫ଼ୁ ୨୧/୬ : ଅଣସର ଘରେ ଶ୍ରୀଜିଉ । ଏଥିପାଇଁ ଆବଶ୍ୟକ ହୋଇଥାଏ “ଫୁଲୁରି ତେଲ’ ଓ “ଦଶମୂଳ ମୋଦକ’ । “ଫୁଲୁରି ତେଲ’ର ପ୍ରସ୍ତୁତି ବିଧି ସ୍ୱତନ୍ତ୍ର । ଏହା ଏକ ପ୍ରକାରର ସୁବାସିତ ତେଲ । ଏହା ଘଣାପେଡ଼ା ରାଶି ତେଲରୁ ପ୍ରସ୍ତୁତ ହୋଇଥାଏ । ବେଣା ଚେର ଓ କୃଷ୍ଣଭୋଗ ଧାନ ସହିତ ମାଳତୀ, କିଆ, କେତକୀ ଓ ବଉଳ ଫୁଲ ପଡ଼ି ପ୍ରାକୃତିକ ପଦ୍ଧତିରେ ଏହାକୁ ପ୍ରସ୍ତୁତ କରାଯାଏ । ଏଥିପାଇଁ ପାଞ୍ଚସେର ରାଶି ତେଲ ଲାଗିଥାଏ । ତେଲ ଓ ଫୁଲ ଏହାର ମୁଖ୍ୟ ଉପାଦାନ ହୋଇଥିବାରୁ ଏହାକୁ “ଫୁଲୁରି ତେଲ’ କୁହାଯାଏ । ନବକଳେବର ବର୍ଷରେ ଏହି ତେଲର ପରିମାଣ ଦୁଇଗୁଣ ହୋଇଥାଏ ।
ମୁହଁ ବନ୍ଦ ମାଟିପାତ୍ରରେ ଏସବୁକୁ ରଖି ମାଟି ତଳେ ପୋତି ଦିଆଯାଏ । ପୂରା ବର୍ଷଟିଏ ମାଟି ଭିତରେ ରହିବା ପରେ ତାହାକୁ ବାହାର କରି, ଛାଣି “ଫୁଲୁରିଲାଗି’ ନୀତି ପାଇଁ ଶ୍ରୀମନ୍ଦିରକୁ ପଠାଯାଏ । ଆଷାଢ଼ କୃଷ୍ଣ ପଞ୍ଚମୀ ବା “ଅଣସର ପଞ୍ଚମୀ’ ଦିନ ଏହି ନୀତି ହୁଏ । ଓଡ଼ିଆ ଭାଗବତକାର ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ବଡ଼ଓଡ଼ିଆ ମଠ ଏହା ଯୋଗାଇ ଥାଆନ୍ତି । ଏହି ତେଲକୁ ଶ୍ରୀଅଙ୍ଗରେ ମାଲିସ୍ କଲେ, ଜ୍ୱରଜନିତ ଦେହ ଦରଜର ଉପଶମ ହୋଇଥାଏ ବୋଲି ବିଶ୍ୱାସ ରହିଛି ।