ଭୁବନେଶ୍ୱର ୪/୪ : ଭୁବନେଶ୍ୱର ମଧ୍ୟ ଆସନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା । ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ଉପ-ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବିଧାୟକ ବିଜୟ ମହାନ୍ତିଙ୍କ ଟିକେଟ କାଟି ବିଜେଡି ଅନନ୍ତଙ୍କୁ ଏଥର ଭୁବନେଶ୍ୱର ମଧ୍ୟରୁ ଟିକେଟ ଦେଇଛି । ୧୦ ବର୍ଷ ମେୟର କାର୍ୟ୍ୟକାଳ ସମୟରେ ସାଉଁଟିଥିବା ଜନସଂପର୍କ ଓ ଲୋକପ୍ରିୟତାକୁ ଆଧାର କରି ନିର୍ବାଚନ ଜିତିବା ପାଇଁ ଅଂଟା ଭିଡିଛନ୍ତି ଅନନ୍ତ । ଏଠାରେ ବିଜେପିର ଜଗନ୍ନାଥ ପ୍ରଧାନ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସର ରାଜୀବ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି ।
ଆଜି ତୃତୀୟ ପର୍ୟ୍ୟାୟ ନାମାଙ୍କନ ପାଇଁ ଶେଷ ଦିନ ହେଉଥିବା ବେଳେ ବିଜେପିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ଖୋର୍ଦ୍ଧା ଜିଲ୍ଲପାଳଙ୍କ କାର୍ୟ୍ୟାଳୟରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଆଇଏଏସ ଚାକିରି ଛାଡି ବିଜେପିରେ ଯୋଗଦେବା ପରେ ଦଳ ତାଙ୍କୁ ସମ୍ମାନ ଜନକ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ କରିଛି ।