ନୂଆଦିଲ୍ଲୀ : ରାମ ଜନ୍ମଭୂମି ଏବଂ ବାବରୀ ମସଜିଦକୁ ନେଇ ବର୍ଷ ବର୍ଷ ଧରି ଲାଗିରହିଥିବା ବିବାଦରେ ଖୁବ ଶୀଘ୍ର ପୂର୍ଣ୍ଣଛେଦ ପଡିବାକୁ ଯାଉଛି । ସମସ୍ତ ପକ୍ଷକାରଙ୍କୁ ସର୍ବୋଚ୍ଚ ଅଦାଲତ ଅକ୍ଟେବର ୧୮ ପର୍ଯ୍ୟନ୍ତ ସମୟ ଦେଇଛନ୍ତି । ଏହା ପରେ ଆଉ ଗୋଟିଏ ଦିନ ଦେବାକୁ ରୋକ ଠୋକ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ଅଯୋଧ୍ୟା ମାମଲାର ଅନ୍ତିମ ନିଷ୍ପତିରେ ପହଞ୍ଚିବାକୁ ସୁପ୍ରିମକୋର୍ଟରେ ଦୈନିକ ଶୁଣାଣୀ କରାଯାଉଛି । ଏହା ମଧ୍ୟରେ ୩୧ ଦିନ ଶୁଣାଣୀ ଶେଷ ହୋଇ ସାରିଛି । ସମସ୍ତ ସତ୍ୟପାଠ ଦାଖଲ କରା ସରିଛି । ଏବେ ମସୁଲିମ୍ ପକ୍ଷକାରର ସତ୍ୟପାଠ ଦାଖଲ କରିବା ପ୍ରକ୍ରିୟା ଜାରି ରହିଛି । ସୁପ୍ରିମକୋର୍ଟ ପ୍ରଧାନବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣୀ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଖଣ୍ଡପୀଠ ଡେଡ୍ଲାଇନ୍କୁ ମନେ ପକାଇ ଦେଇଛନ୍ତି । ଶୁଣାଣୀକୁ ଅକ୍ଟୋବର ୧୮ ସୁଦ୍ଧା ଶେଷ କରିବାକୁ ଖଣ୍ଡପୀଠ ସମସ୍ତ ପକ୍ଷଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ନିଜ ସତ୍ୟପାଠ ଦାଖଲ କରିବା ଏବଂ ଯୁକ୍ତି ଉପସ୍ଥାପନ କରିବାକୁ କୌଣସି ପକ୍ଷକୁ ଆଉ ଗୋଟିଏ ବି ଅଧିକ ଦିନ ଦେବାକୁ କୋର୍ଟ ସିଧାସଳଖ ମନା କରି ଦେଇଛନ୍ତି । ଯଦି ନିର୍ଦ୍ଧାରିତ ତାରିଖ ଅନୁସାରେ ସମସ୍ତ କାଗଜପତ୍ର ଦାଖଲ କରାଯାଉଛି ତେବେ ମାତ୍ର ୪ ସପ୍ତାହ ମଧ୍ୟରେ ରାୟ ଶୁଣାଇବା କୌଣସି ଚମତ୍କାରଠାରୁ କମ୍ ନୁହେଁ ବୋଲି ଖଣ୍ଡପୀଠ କହିଛନ୍ତି ।
ଜଷ୍ଟିସ୍ ରଞ୍ଜନ ଗୋଗୋଇ ନଭେମ୍ବର ୧୭ରେ ଅବସର ନେବାକୁ ଯାଉଛନ୍ତି । ତେଣୁ ତାଙ୍କ ଅବସର ପୂର୍ବରୁ ଏହି ଦଶକ ପୁରୁଣା ବିବାଦର ସମାଧାନ ହେବ ବୋଲି ଆଶା କରାଯାଉଛି ।