ଦେଶ ବିଦେଶ

ଅର୍ଥ କମିଶନଙ୍କ ସହ ବୈଠକ : ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ସହ ରାଜ୍ୟର ଟିକସ ଅଂଶ ବୃଦ୍ଧି ପାଇଁ ଦାବି କଲେ ନବୀନ

Published

on

ଭୁବନେଶ୍ୱର ୯/୧ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁଣିଥରେ ଓଡ଼ିଶା ପାଇଁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ଉଠାଇଛନ୍ତି । ଏଠାରେ ପଂଚଦଶ ଅର୍ଥ କମିଶନର ଅଧ୍ୟକ୍ଷ ନନ୍ଦକିଶୋର ସିଂହଙ୍କ ସହ ଏକ ବୈଠକରେ ଶ୍ରୀ ପଟ୍ଟନାୟକ ଏହି ଦାବି ସହ ରାଜ୍ୟ ସ୍ୱାର୍ଥ ସମ୍ବଳିତ ଅନେକଗୁଡ଼ିଏ ଦାବି ଉପସ୍ଥାପନ କରିଛନ୍ତି । ରାଜ୍ୟ ଯେଭଳି ସ୍ୱାବଲମ୍ବୀ ହୋଇପାରିବ ଅଧିକ କେନ୍ଦ୍ରୀୟ ସହାୟତା ଯୋଗାଇ ଦେବା ପାଇଁ ସେ କମିଶନଙ୍କୁ ଅନୁରୋଧ କରିଛନ୍ତି । ତାଙ୍କ ପକ୍ଷରୁ ଉଠାଯାଇଥିବା ଦାବିଗୁଡ଼ିକ ମଧ୍ୟରେ ରାଜ୍ୟର ଟିକସ ଅଂଶ ୪୨ ରୁ ୫୦ ପ୍ରତିଶତକୁ ବୃଦ୍ଧି, ବିପର୍ଯ୍ୟୟ ପରିଚାଳନା ପାଇଁ ୧୫ ଶହ କୋଟି, ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ଓ ଆଶୁ ସୂଚନା ବ୍ୟବସ୍ଥା ପାଇଁ ୧୫ ଶହ କୋଟି ଟଙ୍କାର ସହାୟତା ପ୍ରଦାନ ଏବଂ ଜିଏସଟି କ୍ଷତି ଭରଣା ଅବଧି ଆଉ ୧୦ ବର୍ଷ ବୃଦ୍ଧି ଆଦି ଦାବି ଅନ୍ତର୍ଭୁକ୍ତ ।
ମୁଖ୍ୟମନ୍ତ୍ରୀ ଏହି ବୈଠକରେ ରାଜ୍ୟରେ ୧୯ ବର୍ଷ ଧରି ହୋଇଥିବା ଆର୍ଥିକ ପ୍ରଗତିର ଚିତ୍ର ପ୍ରଦାନ କରିଥିଲେ । ସେ କହିଥିଲେ ଯେ, ଦାରିଦ୍ର‌୍ୟ ଦୂରୀକରଣ କ୍ଷେତ୍ରରେ ଓଡ଼ିଶା ଦେଶର ସର୍ବାଗ୍ରେ ରହିଛି । ବିପର୍ଯ୍ୟୟ ପରିଚାଳନା, କୃଷି ବିକାଶ ଓ ଖାଦ୍ୟଶସ୍ୟ ବୃଦ୍ଧି କ୍ଷେତ୍ରରେ ମଧ୍ୟ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଛି । କେବଳ ଏତିକି ନୁହେଁ, ଜଙ୍ଗଲ ଜମି ପଟା ବଣ୍ଟନ କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ଅଗ୍ରଗଣ୍ୟ ହୋଇପାରିଛି । ପୂର୍ବରୁ ରାଜ୍ୟ ଦୁର୍ନୀତିରେ ବୁଡ଼ି ରହିଥିବାବେଳେ ଏବେ ସ୍ୱଚ୍ଛ ପାଲଟିଛି ବୋଲି ସେ ଉଲ୍ଲେଖ କରିଥିଲେ । ବୈଠକରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ସହ କେତେକ ମନ୍ତ୍ରୀ, ସଚିବ ଓ ଉଚ୍ଚ କର୍ମକର୍ତ୍ତା ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version