ନୂଆଦିଲ୍ଲୀ ୧୪/୧୨ : ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ କଂଗ୍ରେସରେ ୩ ଦିନ ଲାଗିରହିଥିବା ଅଚଳାବସ୍ଥା ଆଜି ଦୂର ହୋଇଛି । ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହେଲଟଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେବାଲାଗି ଦଳର ହାଇକମାଣ୍ଡ ନିଷ୍ପତ୍ତି ନେଇଛନ୍ତି । ଅବଶ୍ୟ ମୁଖ୍ୟମନ୍ତ୍ରୀ ପଦପାଇଁ ପ୍ରମୁଖ ଦାବିଦାର ଥିବା ସଚିନ ପାଇଲଟ ଉପ-ମୁଖ୍ୟମନ୍ତ୍ରୀ ରୂପେ ଦାୟିତ୍ୱ ଗ୍ରହଣ କରିବେ । ରାଜସ୍ଥାନ ବିଧାନସଭା ନିର୍ବାଚନରେ କଂଗ୍ରେସ ଏକକ ସଂଖ୍ୟା ଗରିଷ୍ଠ ଦଳରୂପେ ବିଜୟ ହାସଲ କରିବା ପରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ କାହାକୁ ଦିଆଯିବ ସେଥିନେଇ ଦ୍ୱନ୍ଦ୍ୱ ଆରମ୍ଭ ହୋଇଯାଇଥିଲା । ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇବା ଦାବିରେ ତାଙ୍କ ସମର୍ଥକ ମାନେ ଗତକାଲି ରାଜ୍ୟର କେତେକ ସ୍ଥାନରେ ବିକ୍ଷୋଭ ଓ ରାସ୍ତାରୋକ କରିଥିଲେ । ଶ୍ରୀ ଗେହେଲଟ ଓ ଶ୍ରୀ ପାଇଲଟଙ୍କ ସହ ଦଳର ସଭାପତି ରାହୁଲ ଗାନ୍ଧୀ ପୃଥକ ପୃଥକ ଆଲୋଚନା କରିବା ପରେ ଏହି ସମସ୍ୟାର ସମାଧାନ ହୋଇଛି ।