Connect with us

କାନବେରା: ଅଷ୍ଟ୍ରେଲିଆର ଓଡ଼ିଆ ସମାଜ “ଓରିଓଜ ” ଦ୍ୱାରା ନିକଟରେ ଅକ୍ଷୟ ମହାନ୍ତି ସନ୍ଧ୍ୟା ଆୟୋଜିତ ହୋଇଯାଇଛି | “ଯାଯାବର ” ଶୀର୍ଷକ ଅନଲାଇନରେ ଆୟୋଜିତ ଏହି ସ୍ମୃତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ପ୍ରାବାଦ ପୁରୁଷ ଅକ୍ଷୟ ମହାନ୍ତି ଙ୍କର ୩୫ ଟି ବହୁ ଲୋକପ୍ରିୟ ସଂଗୀତ ସ୍ଥାନ ପାଇଥିଲା |

“ଓରିଓଜ”ର ସାଂସ୍କୃତିକ କମିଟି ଦ୍ୱାରା ପ୍ରସ୍ତୁତ ଏହି ଅଭିନବ ଉପସ୍ଥାପନାରେ ଦ୍ବୀପ ମହାଦେଶ ଅଷ୍ଟ୍ରେଲିଆର ବିଭିନ୍ନ ସହରରେ ବସବାସ କରୁଥିବା ଓଡ଼ିଆ ମାନେ ସେମାନଙ୍କ ଦ୍ୱାରା ରେକର୍ଡ କରାଯାଇଥିବା ଗୀତ ଗୁଡିକ ଜରିଆରେ ଭାଗ ନେଇଥିଲେ |

ଓଡ଼ିଶାର ଚାଲିଚଳନ, ଲୋକକଥା ଏବଂ ପର୍ବ ପର୍ବାଣୀ କୁ ଆଧାରକରି ଖୋକାଭାଇଙ୍କ ଦ୍ୱାରା ସଂରଚିତ ଓ ପରିବେଷିତ ଏହି “ମାଇଲଷ୍ଟୋନ” ସଂଗୀତ ଗୁଡିକୁ “ଓରିଓଜ”ର କଳାକାରମାନେ ଯେଭଳି ଜୀବନ୍ତ , ଅବିକଳ ଓ ପ୍ରାଞ୍ଜଳ ଭାବରେ ଅବତାରଣା କରିଥିଲେ ତାହା ଅଷ୍ଟ୍ରେଲିଆ , ଆମେରିକା , ୟୁକେ , ଭାରତ ତଥା ବିଶ୍ୱଭରି ଓଡ଼ିଆ ଶ୍ରୋତା ମାନଙ୍କ ଦ୍ୱାରା ବେଶ ଆଦୃତ ହୋଇଥିଲା |

ଦୀର୍ଘ ତିନି ଘଣ୍ଟାର ଏହି ମନୋରଞ୍ଜକ ତଥା ମନୋରମ ଇଣ୍ଟରନେଟ ସଂଗୀତ ସନ୍ଧ୍ୟାକୁ ସୁପରିଚାଳନା କରିବାରେ “ଓରିଓଜ’ର ସାଂସ୍କୃତିକ ସମ୍ପାଦକ ସୁଲିପ୍ତା ତ୍ରିପାଠୀ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ |

ଏବେ ଭୁବନେଶ୍ୱର ଗସ୍ତରେ ଥିବା “ଓରିଓଜ”ର ସଭାପତି ଡ଼.ନଳିନୀ ପତି ଏହି ୱେବ ସମାବେଶକୁ ସମ୍ବୋଧନ କରି ଓଡ଼ିଶାରୁ ବହୁ ଦୂରରେ ସୁଦୂର ଅଷ୍ଟ୍ରେଲିଆରେ ବସବାସ କରୁଥିବା ଓଡ଼ିଆ ମାନେ ସେମାନଙ୍କର ମାତୃପ୍ରଦେଶ ସହିତ ସାଂସ୍କୃତିକ , ସାମାଜିକ ଓ ଭାବଗତ ସମ୍ପର୍କକୁ ବଜାୟ ରଖିଛନ୍ତି ଓ ନିଜର ଭାଷା , ସଂସ୍କୃତି , ଐତିହ୍ୟ ତଥା ପରମ୍ପରା ପ୍ରତି ସଦା ସର୍ବଦା ସଜାଗ ରହିଥିବା ବିଷୟ ଅକ୍ଷୟ ମହାନ୍ତି ସନ୍ଧ୍ୟାର ଅଭୂତପୂର୍ବ ଲୋକପ୍ରିୟତା ରୁ ପ୍ରମାଣିତ ହୋଇଥିବା ଦର୍ଶାଇଥିଲେ |

Continue Reading
Click to comment

Leave a Reply

Your email address will not be published. Required fields are marked *

Entertainment

ଓଡ଼ିଶାର ପ୍ରିମିୟମ୍ ଓଟିଟି ପ୍ଲାଟଫର୍ମ ‘କଞ୍ଚାଲଙ୍କା’ର ମେଗା ୱେବ୍ ସିରିଜ୍ “ଶ୍ରୀ ଜଗନ୍ନାଥ”ର ଫାଷ୍ଟ-ଲୁକ୍ ପୋଷ୍ଟର ଉନ୍ମୋଚିତ

Published

on

ଭୁବନେଶ୍ୱର : ଓଡିଆ ମନୋରଞ୍ଜନ ଜଗତରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିବାକୁ ଯାଉଛି ଓଡ଼ିଶାର ଅଗ୍ରଣୀ ତଥା ପ୍ରିମିୟମ୍ ଓଟିଟି ପ୍ଲାଟଫର୍ମ ‘କଞ୍ଚାଲଙ୍କା’। ଆଜି ଏହି ପ୍ଲାଟଫର୍ମର ସବୁଠାରୁ ବଡ଼ ଏବଂ ବହୁ ପ୍ରତୀକ୍ଷିତ ଅରିଜିନାଲ ମେଗା ୱେବ୍ ସିରିଜ୍ “ଶ୍ରୀ ଜଗନ୍ନାଥ”ର ଫାଷ୍ଟ-ଲୁକ୍ ପୋଷ୍ଟର ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଯାଇଛି। ଏକକାଳୀନ ହିନ୍ଦୀ ଏବଂ ଓଡ଼ିଆ ଭାଷାରେ ଷ୍ଟ୍ରିମିଂ ହେବାକୁ ଥିବା ଏହି ସିରିଜ୍ ବିଶ୍ୱର କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ପାଇଁ ଏକ ବିଶେଷ ଭେଟି ହେବାକୁ ଯାଉଛି।

 ଶ୍ରୀକ୍ଷେତ୍ର ପୁରୀ ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର ମହିମାକୁ ଏକ ବିଶାଳ କାନଭାସ୍‌ରେ ଦର୍ଶାଇବାକୁ କଞ୍ଚାଲଙ୍କା ଏହି ପ୍ରୟାସ କରିଛି।

ଏହି ମେଗା ୱେବ୍ ସିରିଜ୍‌ଟି ଏକ ମଲ୍ଟି-ସିଜନ୍ ଏପିକ୍ ଭାବେ ନିର୍ମାଣ କରାଯାଇଛି। ଏହାର ପ୍ରଥମ ସିଜନ୍‌ରେ ମୋଟ ୨୦ଟି ଏପିସୋଡ୍ ରହିବ । କାହାଣୀର ଆରମ୍ଭ ଶବର ରାଜା ବିଶ୍ୱାବସୁଙ୍କ ଦ୍ୱାରା ନୀଳଗିରି ଗୁମ୍ଫାରେ ପ୍ରଭୁ ନୀଳମାଧବଙ୍କ ଗୁପ୍ତ ପୂଜାରୁ ହେବ। ଏହାପରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା ଶ୍ରୀମନ୍ଦିର ନିର୍ମାଣ ଏବଂ ଚତୁର୍ଦ୍ଧାମୂର୍ତ୍ତିଙ୍କ ପ୍ରତିଷ୍ଠା ପର୍ଯ୍ୟନ୍ତ ରୋମାଞ୍ଚକର ତଥା ଭକ୍ତିପୂର୍ଣ୍ଣ ଘଟଣାବଳୀକୁ ଏହି ପ୍ରଥମ ସିଜନ୍‌ରେ ଦେଖାଯିବ। ଆସନ୍ତା ଅକ୍ଟୋବର ମାସରୁ ଏହି ପ୍ରଥମ ସିଜନ୍‌ର ଷ୍ଟ୍ରିମିଂ ଆରମ୍ଭ ହେବ। ଆଗାମୀ ସିଜନ୍‌ଗୁଡ଼ିକରେ ମନ୍ଦିର ନିର୍ମାଣ ପରବର୍ତ୍ତୀ ଐତିହ୍ୟକୁ ପ୍ରଦର୍ଶିତ କରାଯିବ।

ଏହି ପ୍ରୋଜେକ୍ଟର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଏହାର ବୈଷୟିକ ନିର୍ମାଣ ଶୈଳୀ। ଓଡିଆ ମନୋରଞ୍ଜନ ଇଣ୍ଡଷ୍ଟ୍ରିରେ ପ୍ରଥମ ଥର ପାଇଁ ଏତେ ବଡ଼ ଧରଣର ଏକ ଫୁଲ୍-ଲେଙ୍ଗ୍‌ଥ ୱେବ୍ ସିରିଜ୍ ସମ୍ପୂର୍ଣ୍ଣ ଭାବେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବ୍ୟବହାର କରି ନିର୍ମାଣ କରାଯାଉଛି। ଏଥିସହ, କଞ୍ଚାଲଙ୍କା ଇତିହାସରେ ପ୍ରଥମ ଥର ପାଇଁ ଏହା ଏକାସାଙ୍ଗରେ ଓଡ଼ିଆ ଏବଂ ହିନ୍ଦୀ ଭାଷାରେ ମୁକ୍ତିଲାଭ କରିବ। ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ ଅନ୍ୟାନ୍ୟ ଭାଷାରେ ମଧ୍ୟ ଉପଲବ୍ଧ କରାଯିବ।

ଏହି ଅବସରରେ କଞ୍ଚାଲଙ୍କାର ଅଧ୍ୟକ୍ଷ ଅକ୍ଷୟ ପରିଜା କହିଛନ୍ତି, “‘ଶ୍ରୀ ଜଗନ୍ନାଥ’ ଆମ ପାଇଁ କେବଳ ଏକ ସିରିଜ୍ ନୁହେଁ, ବରଂ ଏହା ଆମର ଏକ ସମର୍ପଣ। ମହାପ୍ରଭୁଙ୍କ ମହିମା ଏବଂ ଏଥିରେ ଥିବା ମାନବିକ ମୂଲ୍ୟବୋଧକୁ ଉନ୍ନତ ଜ୍ଞାନକୌଶଳ ମାଧ୍ୟମରେ ସଠିକ୍ ସମ୍ବେଦନଶୀଳତା ଓ ବ୍ୟାପକତା ସହ ଦର୍ଶକଙ୍କ ନିକଟରେ ପହଞ୍ଚାଇବା ଆମର ଲକ୍ଷ୍ୟ। ଓଡ଼ିଆ ଓ ହିନ୍ଦୀ ଭାଷାରେ ମୁକ୍ତିଲାଭ କରୁଥିବା ଏହି ପବିତ୍ର କାହାଣୀ ଓଡ଼ିଶା ବାହାରେ ମଧ୍ୟ ଆଦୃତ ହେବ ବୋଲି ଆମେ ଆଶାବାଦୀ।”

ସୂଚନାଯୋଗ୍ୟ ଯେ, ଗୁଣାତ୍ମକ ଅରିଜିନାଲ୍ କଣ୍ଟେଣ୍ଟ ପ୍ରଦାନ କରୁଥିବା ‘କଞ୍ଚାଲଙ୍କା’ର ବିଶ୍ୱର ୧୭ଟି ଦେଶରେ ୨୦ ଲକ୍ଷରୁ ଅଧିକ ଆପ୍ ଡାଉନଲୋଡ୍ ରହିଛି। ‘ଗ୍ୟାଙ୍ଗସ୍ ଅଫ୍ ପୁରୀ’ ଏବଂ ‘ବାରଙ୍ଗ ୧୯୯୯’ ଭଳି ସୁପରହିଟ୍ ୱେବ୍ ସିରିଜ୍ ଦେଇଥିବା ଏହି ପ୍ଲାଟଫର୍ମ ପ୍ଲେ ଷ୍ଟୋର୍, ଆପ୍ ଷ୍ଟୋର୍, ଆଣ୍ଡ୍ରଏଡ୍ ଟିଭି, ଆପଲ୍ ଟିଭି, ଜିଓ ଟିଭି ଓ ଜିଓ ଏସଟିବି ସମେତ ବିଭିନ୍ନ ଡିଷ୍ଟ୍ରିବ୍ୟୁସନ୍ ପ୍ଲାଟଫର୍ମରେ ଉପଲବ୍ଧ। “ଶ୍ରୀ ଜଗନ୍ନାଥ”ର ଘୋଷଣା ଏବେ ସାରା ଦେଶର ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ସୃଷ୍ଟି କରିଛି।

Continue Reading

Entertainment

ଶୀଘ୍ର ପ୍ରଣୟନ ହେବ ସ୍ୱତନ୍ତ୍ର ଚଳଚ୍ଚିତ୍ର ନୀତି- ଓଡିଶା ମୁଖ୍ୟମନ୍ତ୍ରୀ

Published

on

ଭୁବନେଶ୍ୱର : ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ପୁନରୁଦ୍ଧାର ଏବଂ ଏହାର ଉନ୍ନତି ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେବାକୁ ଯାଉଛନ୍ତି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦିନ ସଂସ୍କୃତି ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଆଲୋଚନା ଚକ୍ରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ବ୍ୟକ୍ତି ତଥା କଳାକାରମାନଙ୍କ ସହ ଓଡ଼ିଆ ସିନେମାର ବର୍ତ୍ତମାନର ସ୍ଥିତି ଓ ଭବିଷ୍ୟତ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି। ଏହି ଅବସରରେ ସେ ଓଡ଼ିଆ ଚଳଚ୍ଚିତ୍ରକୁ ଜାତିର ଅସ୍ମିତାର ପରିଚୟ ଭାବେ ବର୍ଣ୍ଣନା କରି ଖୁବ୍‌ ଶୀଘ୍ର ନୂତନ ‘ଚଳଚ୍ଚିତ୍ର ନୀତି’ର ପ୍ରଣୟନ ହେବ ବୋଲି ଘୋଷଣା କରିଛନ୍ତି।

ଓଡ଼ିଆ ସିନେମାର ଲୋକପ୍ରିୟତା ସମ୍ପର୍କରେ ମତ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଆ ସିନେମାକୁ କାହାର ନକଲ କରିବା ଦରକାର ନାହିଁ, ବରଂ ଏହାକୁ ନିଜସ୍ୱ ସ୍ୱର ଖୋଜିବାକୁ ହେବ । ସେ କହିଥିଲେ ଯେ, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ତାଙ୍କୁ ନେଇ ଗଢ଼ି ଉଠିଥିବା ଓଡ଼ିଆ ସଂସ୍କୃତି, କଳିଙ୍ଗର ସାମୁଦ୍ରିକ ଇତିହାସ, ଆଦିବାସୀ ସଂସ୍କୃତି, ବାତ୍ୟା ବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କ ସଂଘର୍ଷର କାହାଣୀ, ଗ୍ରାମ୍ୟ ଓଡିଶାର ସୁଖଦୁଃଖ, ମହାନଦୀ ଓ ଅନ୍ୟାନ୍ୟ ନଦୀର ନଈକୂଳିଆ ଜନଜୀବନ ଇତ୍ୟାଦି ଅନେକ ମୌଳିକ ବିଷୟ ରହିଛି । ଓଡ଼ିଆ ଜନଜୀବନ ସହିତ ଯୋଡି ହୋଇଥିବା ମୌଳିକ ବିଷୟବସ୍ତୁକୁ ନେଇ ଚଳଚ୍ଚିତ୍ର ପ୍ରସ୍ତୁତ କଲେ, ଲୋକଙ୍କ ମନକୁ ଆକର୍ଷିତ କରିପାରିବ ବୋଲି ସେ ମତ ଦେଇଥିଲେ।

ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ଦକ୍ଷତା ହାସଲ କରିବା ପାଇଁ ଓଡ଼ିଶାରେ ଫିଲ୍ମ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟର ଆବଶ୍ୟକତା ଅଛି ବୋଲି ପ୍ରକାଶ କରି ଓଡ଼ିଶାରେ ଏହିପରି ଏକ ପ୍ରତିଷ୍ଠାନ ସ୍ଥାପନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଚଳଚ୍ଚିତ୍ର ଶିଳ୍ପର ଅବନତି ପାଇଁ ବିଗତ ଦିନର ବ୍ୟବସ୍ଥାକୁ ସମାଲୋଚନା କରି ସେ କହିଥିଲେ ଯେ, ଗତ ସରକାର ଏ ଦିଗରେ ଧ୍ୟାନ ଦେଇ ନ ଥିଲେ, କିନ୍ତୁ ଏବେ ଓଡ଼ିଆ ଅସ୍ମିତାର ସରକାର ଆସିଛି। ସେ ସ୍ପଷ୍ଟ କରିଛନ୍ତି ଯେ ଏବେ ଓଡ଼ିଆ ଚଳଚ୍ଚିତ୍ରର ଉନ୍ନତି ପାଇଁ ଅର୍ଥ କେବେ ହେଲେ ବାଧକ ହେବ ନାହିଁ ଏବଂ ଖୁବ୍ ଶୀଘ୍ର ରାଜ୍ୟରେ ଏକ ଶକ୍ତିଶାଳୀ ଚଳଚ୍ଚିତ୍ର ଭିତ୍ତିଭୂମି ପ୍ରସ୍ତୁତ କରାଯିବ।

ଏହି ଅବସରରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ, ୨୦୩୬ ରେ ଓଡ଼ିଶା ଯେଉଁ ଶତାବ୍ଦୀର ବର୍ଷ ପାଳନ କରିବାକୁ ଯାଉଛି ସେଥିରେ ଓଡ଼ିଶା ଚଳଚ୍ଚିତ୍ର ଶିଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ଉକ୍ତ କାର୍ଯ୍ୟକ୍ରମରେ କୋରେଇ ବିଧାୟକ ତଥା ଅଭିନେତା ଶ୍ରୀ ଆକାଶ ଦାସ ନାୟକ, ଦିଗପହଣ୍ଡି ବିଧାୟକ ତଥା ଅଭିନେତା ଶ୍ରୀ ସିଦ୍ଧାନ୍ତ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଡକ୍ଟର ବିଜୟ କେତନ ଉପାଧ୍ୟାୟ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା ପ୍ରମୁଖ ଉପସ୍ଥିତ ଥିଲେ।

ସେହିପରି ସିନେ ଜଗତର ଲୋକପ୍ରିୟ କଳାକାର ଅନୁଭବ ମହାନ୍ତି, ଅନୁ ଚୌଧୁରୀ, ପୁଷ୍ପା ପଣ୍ଡା, ହରିହର ମହାପାତ୍ର, ପିଙ୍କି ପ୍ରଧାନ, ଚିତ୍ରନାଟ୍ୟ ଓ ସଂଳାପ ଲେଖକ ଡ଼ଃ ରଜନୀ ରଞ୍ଜନ, ବିପିଏଫଟି ର ନିର୍ଦେଶକ ହିମାଂଶୁ ଖଟୁଆ, ପ୍ରଯୋଜକ ସିଦ୍ଧାର୍ଥ ଅଗ୍ରୱାଲଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଓ ସିନେ ଟେକ୍ନିସିଆନମାନେ ଏହି ଆଲୋଚନାରେ ସାମିଲ ହୋଇଥିଲେ।

Continue Reading

Entertainment

ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ରମଲି ଓ ଗୀଥିକା

Published

on

ଭୁବନେଶ୍ୱର : ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ଧରିତ୍ରୀ ମା’ର ବନ୍ଦନା କରିଛନ୍ତି ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ରମଲି ଇବ୍ରାହିମ୍ ଏବଂ ଗୀଥିକା ଶ୍ରୀ।ଗୁରୁ ରମଲି ଇବ୍ରାହିମ୍‌ଙ୍କ “ମଙ୍ଗଳା ଚରଣ ହରିହର” ଆଜି ରବୀନ୍ଦ୍ର ମଣ୍ଡପରେ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିବା ସହ ଏକ ଭାବବିହ୍ଵଳ ପରିବେଶ ସୃଷ୍ଟି କରିଥିଲା। “ପାହାଡି ଓ ଦରବାରୀ” ରାଗ ଏବଂ “ଏକତାଳି” ତାଳରେ ଦର୍ଶକଙ୍କୁ ବିମୋହିତ କରିଥିଲେ ନୃତ୍ୟଶିଳ୍ପୀ ରମଲି ଓ ଗୀଥିକା।

“ମଙ୍ଗଳା ଚରଣ ହରିହର” ପରିବେଷଣରେ ଧରିତ୍ରୀମାତାକୁ ଭୂମି ପ୍ରଣାମ କରି ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ ନୃତ୍ୟଶିଳ୍ପୀ। ଏହାପରେ ପାଳନ କର୍ତ୍ତା ପ୍ରଭୁ ଶ୍ରୀ ବିଷ୍ଣୁ ଏବଂ ସଂହାର କର୍ତ୍ତା ମହାଦେବଙ୍କ ରୂପକୁ ଓଡ଼ିଶୀରେ ଉଜ୍ଜୀବିତ କରିଥିଲେ ଓଡ଼ିଶୀ ଗୁରୁ ପଦ୍ମଶ୍ରୀ ରମଲି ଓ ନୃତ୍ୟଶିଳ୍ପୀ ଗୀଥିକା। ଶେଷରେ ସଭା ପ୍ରଣାମ ସହ ନିଜର ନୃତ୍ୟକୁ ସମାପନ କରିଥିଲେ।

ପୂଜ୍ୟ ଧରିତ୍ରୀ ହେଉଛି ଆମର ମା’। ଆଜିର ପରିବେଷଣରେ ମଙ୍ଗଳାଚରଣରେ ଧରିତ୍ରୀ ମା’ଙ୍କ ବନ୍ଦନା କରିବା ସହ ପ୍ରଭୁ ବିଷ୍ଣୁ ଓ ମହାଦେବଙ୍କ ରୂପକୁ ଓଡ଼ିଶୀର ଭଙ୍ଗୀ ଓ ମୁଦ୍ରାରେ ସୁସଜ୍ଜିତ କରି ଦର୍ଶକଙ୍କ ସମ୍ମୁଖରେ ପରିବେଷଣ କରିବା ଆମର ସୌଭାଗ୍ୟ ବୋଲି କହିଛନ୍ତି ନୃତ୍ୟଶିଳ୍ପୀ ରମଲି ଇବ୍ରାହିମ୍ ଏବଂ ଗୀଥିକା ଶ୍ରୀ।

ଆଜି କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ଗଣେଶ କଳା ବିକାଶ କେନ୍ଦ୍ରର ଶିଳ୍ପୀମାନେ “କଳାବତୀ ପଲ୍ଲବୀ” ପରିବେଷଣ କରିଥିଲେ। ଏହାପରେ ସୁନୀଲ ମହାଲିକଙ୍କ ଦ୍ୱାରା “ସ୍ଥାୟୀନୃତ୍ୟ”, ମୋନାଲିସା ଦାସଙ୍କ ଦ୍ୱାରା “ଆରଭୀ ପଲ୍ଲବୀ”, ଅଭିଷିକ୍ତା ଘୋଷ ଓ ସମନ୍ଵିତା ବିଶ୍ଵାସଙ୍କ ଦ୍ଵାରା ଅଭିନୟ “ମଙ୍ଗଳାଚରଣ”, ଇପ୍ସିତା ମହାନ୍ତିଙ୍କ ଦ୍ୱାରା “ଆରଭୀ ପଲ୍ଲବୀ”, ଅନୁଷ୍କା ଦାସଙ୍କ ଦ୍ଵାରା ଅଭିନୟ “ବାଜୁଛି ସାହି ବଜାରେ”, ସ୍ଵୟଂପ୍ରଭା ମଙ୍ଗରାଜ ଓ ସିକୃତି ପଣ୍ଡାଙ୍କ ଦ୍ଵାରା “ଶଙ୍କରାଭରଣ ପଲ୍ଲବୀ”, ଆଦିତି ବୋଷଙ୍କ ଦ୍ଵାରା ଅଭିନୟ “ମଲ୍ଲିମାଳ ଶ୍ୟାମକୁ ଦେବି”, ଆକାଂକ୍ଷା ରାଉତରାୟଙ୍କ ଦ୍ଵାରା ଅଭିନୟ “କିଏ ଲୋ ସଜନୀ କେଳି କଦମ୍ବ ମୂଳେ” ଏବଂ ଶେଷରେ କଳାକଳ୍ପ ସାଂସ୍କୃତିକ ସଂସ୍ଥାନ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଦଳଗତ ନୃତ୍ୟାଭିନୟ “ଜୟ ଜୟ ହେ ଗଜ ନାୟକ” ପରିବେଷିତ ହୋଇଥିଲା ।

ଅପରାହ୍ନ ଅଧିବେଶନରେ ନାଟ୍ୟ ଶାସ୍ତ୍ର ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଅଭିନୟ “ସୁପର୍ଣ ରେଖା-ମାରିଚ”, କାମନ୍ୟା ଦାସଙ୍କ ଦ୍ୱାରା ଅଭିନୟ “ଶିବପଞ୍ଚକ”, ଶ୍ରେୟା ମିଶ୍ର ଏବଂ ସାଇ ପାର୍ଥନା ରାଉତଙ୍କ ଦ୍ୱାରା “ଶଙ୍କରାଭରଣ ପଲ୍ଲବୀ”, କଲ୍ୟାଣୀ ମହାପାତ୍ରଙ୍କ ଦ୍ୱାରା ଅଭିନୟ “ପ୍ରାଣ ସଜନୀରେ ବୁଡି ଗଲି ମୁଁ ଲାଜରେ”, ଚିନ୍ତାମଣି ଲୁହା ଓ ସ୍ଵନନ୍ଦା ବିଶ୍ଵାଳଙ୍କ ଦ୍ଵାରା ଅଭିନୟ “କୋଣାର୍କ କାନ୍ତି” ଏବଂ ଶେଷରେ ଜ୍ୟୋତି କଳା ମନ୍ଦିର ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା “ମା ହରଚଣ୍ଡୀ” ପରିବେଷିତ ହୋଇଥିଲା।

ସନ୍ଧ୍ୟା ଅଧିବେଶନରେ ମାନସ ରଂଜନ ସାହୁଙ୍କ ଦ୍ୱାରା “ଦେବଗାନ୍ଧାରୀ ପଲ୍ଲବୀ”, କକଲି ବୋଷ ଏବଂ ଆରକୋପାଳ ବୋଷଙ୍କ ଦ୍ୱାରା “ଆରବୀ ପଲ୍ଲବୀ”, ପୂଜା ଜେନାଙ୍କ ଦ୍ୱାରା “ଅଷ୍ଟପଦୀ”, ସ୍ଵର୍ଣ୍ଣମୟୀ ବେହେରାଙ୍କ ଦ୍ୱାରା “ରସ ବିରହ” ପରିବେଷିତ ହୋଇଥିଲା। ନୃତ୍ୟଶିଳ୍ପୀ ଶମ୍ଭାବୀ ମହାପାତ୍ର ଏବଂ ଚିନ୍ମୟ କୁମାର ଦାସ ଦ୍ୱୈତ ଓଡ଼ିଶୀ ଏବଂ ଶ୍ରୀପୁଣ୍ୟ ମହାନ୍ତି, ସୋଫୟା କୁଖରେନୋକ ଏକକ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଆଜିର ସନ୍ଧ୍ୟାର ଶେଷରେ ଓଡିଶୀ ନୃତ୍ୟ ମଣ୍ଡଳ ଓ ସୂତ୍ର ଫାଉଣ୍ଡେସନର ନୃତ୍ୟଶିଳ୍ପୀମାନେ ଦଳଗତ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।

ଆଜିର କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ, ସୁକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଡ଼ି ପ୍ରଶାନ୍ତ କୁମାର ରେଡ୍ଡୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡ଼ା. ବିଜୟ କେତନ ଉପାଧ୍ୟାୟ, ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଗୁରୁ ସୁଜାତା ମହାପାତ୍ର, ଗୁରୁ ମୀରା ଦାସ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ଦେବ ପ୍ରସାଦ ଦାଶ ଓ ଗୁରୁ କେଲୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଶୁଚିସ୍ମିତା ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions