କଲୋମ୍ବୋ ୨୨/୪ : ସୋମବାର କଲୋମ୍ବୋରେ ଏକ ଚର୍ଚ୍ଚ ପାଖରେ ଏକ ଭ୍ୟାନରେ ଜୋରଦାର ବିସ୍ଫୋରଣ ଘଟିଛି। କୁହାଯାଉଛି ଯେ, ଏହି ବିସ୍ଫୋରଣ ସେହି ସମୟରେ ହୋଇଛି, ଯେବେ ବମ ନିରୋଧକ ଦଳର ଅଧିକାରୀ ଏହାକୁ ନିଷ୍କ୍ରିୟ କରୁଥିଲେ। ବିସ୍ଫୋରଣ ପରର ଛବି ସାମ୍ନାକୁ ଆସିଛି। କେବଳ ଏତିକି ନୁହେଁ ସୋମବାର କଲୋମ୍ବୋର ଏକ ବସ ଷ୍ଟପ ପାଖରେ ୮୭ ବୋମା ଡେଟୋନେଟର ମଧ୍ୟ ଜବତ କରାଯାଇଛି। ଏଥିରୁ ସ୍ପଷ୍ଟ ଯେ, ଏହି ବିସ୍ଫୋରଣ ପଛରେ ବଡ଼ ଷଡ଼ଯନ୍ତ୍ର ରଚାଯାଇଥିଲା। ପୋଲିସ ଏବେ ଗତକାଲିର ବିସ୍ଫୋରଣ ଏବଂ ଆଜିର ବିସ୍ଫୋରଣ ମଧ୍ୟରେ କଣ ଲିଙ୍କ୍ ରହିଛି ତାର ଯାଞ୍ଚ ଆରମ୍ଭ କରି ଦେଇଛି।
ପୋଲିସ କହିଛି ଯେ, ପେଟ୍ଟା ଇଲାକାରେ ସେଣ୍ଟ୍ରାଲ କଲୋମ୍ବୋ ବସ ଷ୍ଟାଣ୍ଡରେ ବମ ଡେଟୋନେଟର ମିଳିଛି। ପ୍ରାରମ୍ଭରେ ୧୨ ବମ ଡେଟୋନେଟର ମିଳିଥିଲା ମାତ୍ର ଅଧିକ ଛାନବିନ କରିବା ପରେ ୭୫ ଓ ଡେଟୋନେଟର ଜବତ କରାଯାଇଛି। ଏହି ସଦ୍ୟତମ ବିସ୍ଫୋରଣ ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ସଞ୍ଚାର ହୋଇଛି। ଉଲ୍ଲେଖଯୋଗ୍ୟ, ରବିବାର ଇଷ୍ଟର ଅବସରରେ ଚର୍ଚ୍ଚ ଓ ଲଗଜରୀ ହୋଟେଲ ସାମ୍ନାରେ ଭିନ୍ନ ଭିନ୍ନ ସ୍ଥାନରେ ଆଠଟି ବୋମା ବିସ୍ଫୋରଣ ଘଟିଥିଲା, ଏଥିରେ ୨୯୦ ଜଣଙ୍କ ମୃତ୍ୟୁ ଘଟିଛି। ଶ୍ରୀଲଙ୍କାରେ ସବୁଠୁ ଭୟାନକ ବିସ୍ଫୋରଣ କଲୋମ୍ବୋର ସେଣ୍ଟ ଏନ୍ଥନୀ ଚର୍ଚ୍ଚ, ନେଗୋମ୍ବୋରେ ସେଣ୍ଟ ସେବେଷ୍ଟିୟନ ଚର୍ଚ୍ଚ ଓ ବଟ୍ଟିକାଲୋଆରେ ଜିଓନ ଚର୍ଚ୍ଚକୁ ଟାର୍ଗେଟ୍ କରାଯାଇଥିଲା। କଲୋମ୍ବୋରେ ତିନୋଟି ପଞ୍ଚତାରକା ହୋଟେଲରେ ମଧ୍ୟ ବିସ୍ଫୋରଣ ଘଟିଥିଲା।
ରାଷ୍ଟ୍ରପତି ମୈତ୍ରିପାଲ ସିରିସେନା ଆଜି ମଧ୍ୟ ରାତ୍ରରୁ ଦେଶରେ ଜରୁରୀକାଳୀନ ଲାଗୁ କରିବାକୁ ଘୋଷଣା କରିଛନ୍ତି। ଏହା ମଧ୍ୟରେ ଶ୍ରୀଲଙ୍କା ସରକାର ପ୍ରଥମ ଥର ଏହି ହମଲାରେ ଦାୟୀ ସଂଗଠନର ନାମ କହିଛନ୍ତି। ସରକାରର ମୁଖପାତ୍ର ରାଜୀଥ ସେନାରତ୍ନେ ସିରିୟଲ ବ୍ଲାଷ୍ଟ ପାଇଁ ସ୍ଥାନୀୟ ଇସଲାମୀ ଚରମପନ୍ଥୀ ସଂଗଠନ ନ୍ୟାସନାଲ ତୌହୀଦ ଜମାତ(ଏନଟିଜେ)କୁ ଦାୟୀ କରିଛନ୍ତି।