ପୁରୀ ୧୫/୫ : ଆଜିଠୁ ପୁରୀ କୁ ପର୍ଯ୍ୟାୟକ୍ରମେ ବିଜୁଳି ଯୋଗାଣ ଆରମ୍ଭ । ପ୍ରଥମେ ଆଜି ବଡଦାଣ୍ଡକୁ ବିଜୁଳି ଆସିପାରେ । ୧୨ ତାରିଖ ସୁଦ୍ଧା ଶ୍ରୀମନ୍ଦିର ଓ ବଡଦାଣ୍ଡକୁ ବିଜୁଳି ସଂଯୋଗ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଥିଲା । କିନ୍ତୁ ଏହା କାର୍ୟ୍ୟକାରୀ ହୋଇପାରିଲା ନାହିଁ । ପୁରୀ ସହରକୁ ବିଜୁଳି ଯୋଗାଣ ପରେ ଜିଲ୍ଲାର ଅନ୍ୟ ଅଂଚଳକୁ ପର୍ୟ୍ୟାୟକ୍ରମେ ବିଜୁଳି ଦିଆଯିବ ।
ବର୍ତମାନ ପୁରୀକୁ ଫୋକସରେ ରଖାଯାଇଛି । ୨୯ ଲକ୍ଷ ଉପଭୋକ୍ତାଙ୍କୁ ବିଜୁଳି ଯୋଗାଇବାକୁ ୫୨୪ ଗ୍ୟାଙ୍ଗ ନିୟୋଜିତ ହୋଇଛନ୍ତି । ଫୋନିରେ ପୁରୀକୁ ଯାଇଥିବା ୨୨୦ କେଭିର ୭୫ଟି ଟାୱାର କ୍ଷତିଗ୍ରସ୍ତ ହୋଇଛି । ଏହାକୁ ପୁନଃ-କାର୍ୟ୍ୟକ୍ଷମ କରିବାକୁ ପିଜିସିଆଇକୁ ଦାୟିତ୍ୱ ଦିଆଯାଇଛି । ଆଜି ପ୍ରଥମ ପର୍ୟ୍ୟାୟରେ ପୁରୀ ବଡଦାଣ୍ଡ ଓ ଭିଆଇପି ରୋଡ କଡରେ ଥିବା ବିଦ୍ୟୁତ ଉପଭୋକ୍ତାମାନେ ପାଇପାରନ୍ତି ବିଜୁଳି ସଂଯୋଗ ।
ଫୋନିରେ ପୁରୀ ଡିଭିଜନର କ୍ଷତି ପ୍ରାୟ ୧ ହଜାର କୋଟି ଟଙ୍କାରୁ ଅଧିକ ହୋଇଛି । ପୁରୀ ଡିଭିଜନ ଅନ୍ତର୍ଗତ ବିଭିନ୍ନ ଅଂଚଳରେ ୯୦ ହଜାର ବିଦ୍ୟୁତ ଖୁଂଟ ନଷ୍ଟ ହୋଇଛି । ପୁରୀରେ ବିଦ୍ୟୁତ ଯୋଗାଣକୁ ସ୍ୱାଭାବିକ କରିବାକୁ ୪ ହଜାର ଲୋକ ନିୟୋଜିତ ହୋଇଛନ୍ତି । ପଡୋଶୀ ଆନ୍ଧ୍ରପ୍ରଦେଶରୁ ମଧ୍ୟ ବିଦ୍ୟୁତ କର୍ମଚାରୀଙ୍କୁ ଅଣାଯାଇଛି ।