ପୁରୀ ୯/୫ : ଆଜି ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଲା ୧୪ ହାତିଆ ବାନା । ଭୟଙ୍କର ସାମୁଦ୍ରିକ ଝଡ ‘ଫୋନି’କୁ ଦୃଷ୍ଟିରେ ରଖି ଗତ ମେ ମାସ ୧ ତାରିଖ ଦିନ ନୀଳଚକ୍ରରେ ୫ ହାତିଆ ବାନା ଲଗାଯାଇଥିଲା । ଆଜି ବାନା ବଦଳାଇ ୧୪ ହାତିଆ ବାନା ଲଗାଇଛନ୍ତି ଚୁନାରା ସେବାୟତ । ଯାହାଦ୍ୱାରା ଶ୍ରୀମନ୍ଦିରର ଶୋଭା ଆହୁରି ବଢିଯାଇଛି । ଗତ ମେ ମାସ ୩ ତାରିଖରେ ବାତ୍ୟା ଫୋନି ସ୍ଥଳଭାଗ ଛୁଇଁବା ପରେ ରଚିଥିଲା ତାଣ୍ଡବ । ପ୍ରକୃତିର କରାଳ ରୂପରେ ଛାରଖାର ହୋଇଯାଇଥିଲା ସବୁକିଛି । ଶ୍ରୀହୀନ ହୋଇପଡିଥିଲା ଶ୍ରୀକ୍ଷେତ୍ର । ବାତ୍ୟାକୁ ୭ ଦିନ ପାଖାପାଖି ବିତିଯାଇଥିଲେ ମଧ୍ୟ, ଫୋନି ଯେଉଁ ଚିହ୍ନ ଛାଡିଦେଇ ଯାଇଛି, ତାହା କେବେ ଯେ, ଲିଭିବ ତାର ଆକଳନ କରିବା ମଧ୍ୟ ମୁସ୍କିଲ ।