ଭୁବନେଶ୍ୱର ୩୧/୩ : ଆନ୍ଦୋଳନକୁ ଓହ୍ଲାଇବେ ଚିଟଫଣ୍ଡ କ୍ଷତିଗ୍ରସ୍ତ । ରାଜ୍ୟ ସରକାର ଟଙ୍କା ଫେରସ୍ତ ଓ କେନ୍ଦ୍ର ସରକାର ସମସ୍ତ ତ୍ରୁଟିଯୁକ୍ତ ଆଇନର ସଂଶୋଧନର ପ୍ରତିଶ୍ରୁତି ଦେଇଥିଲେ ହେଁ ପାଳନ କରିବାରେ ବିଫଳ ହୋଇଛନ୍ତି। ଗତକାଲି ଆର୍ଥିକ ସଂସ୍ଥାମାନଙ୍କ ଦ୍ବାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ କେନ୍ଦ୍ର କମିଟି ବୈଠକରେ ରାଜ୍ୟର କ୍ଷତିଗ୍ରସ୍ତ ଜମାକାରୀମାନେ ୪ଟି ପର୍ୟ୍ୟାୟରେ ତହସିଲସ୍ତରରେ ଶାନ୍ତିପୂର୍ଣ୍ଣ ଗଣସତ୍ୟାଗ୍ରହ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।
ମଞ୍ଚ ପକ୍ଷରୁ ଜାରି ପ୍ରେସ୍ ବିବୃତିରେ କୁହାଯାଇଛି ଯେ ୨ ଏପ୍ରିଲ ମଧ୍ୟରେ ପ୍ରତ୍ୟେକ ଜିଲ୍ଲା ଓ ତହସିଲସ୍ତରୀୟ ତାରିଖ ଧାର୍ୟ୍ୟ କରି ମଞ୍ଚର ରାଜ୍ୟ କମିଟିକୁ ଜଣାଇବା ପାଇଁ ଆହ୍ବାନ କରାଯାଇଛି। ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଓ ମଧ୍ୟପ୍ରଦେଶର ଗତ ବିଧାନସଭା ନିର୍ବାଚନରେ ସଂପୃକ୍ତ ରାଜ୍ୟର କ୍ଷତିଗ୍ରସ୍ତ ଜମାକାରୀମାନେ କ୍ଷମତାସୀନ ଶାସକ ଗୋଷ୍ଠୀଙ୍କୁ ଉଚିତ୍ ଶିକ୍ଷା ଦେଇଛନ୍ତି। ତେଣୁ ସମୁଦାୟ ୪ଟି ପର୍ୟ୍ୟାୟରେ ଏହି ଶାନ୍ତିପୂର୍ଣ୍ଣ ଧାରଣା ଅନୁଷ୍ଠିତ ହେବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି।