ଭୁବନେଶ୍ୱର ୧୮/୧୨ : ରାଜ୍ୟ ବାହାରେ ଓଡ଼ିଆ ଦାଦନ ଶ୍ରମିକଙ୍କୁ ବର୍ବରୋଚିତ ନିର୍ଯାତନାର ଆଉଏକ ଘଟଣା ସାମ୍ନାକୁ ଆସିଛି । ଏଭଳି ଏକ ଅମାନବୀୟ କାଣ୍ଡ ଘଟାଇଛନ୍ତି ବିଜୟନଗରମ୍ର ଜଣେ ଇଟାଭାଟି ମାଲିକ । ଇଟାଭାଟିରେ କାମ କରୁଥିବା ସୁନ୍ଦରଗଡ଼ ଅଂଚଳର କିଛି ଶ୍ରମିକ ଦରମା ମାଗିବାରୁ ମାଲିକ ଜଣକ ଜଣେ ଶ୍ରମିକଙ୍କ ଉପରେ ଏସିଡ଼୍ ଢ଼ାଳିବା ସହ ଅନ୍ୟ ଜଣଙ୍କର ଆଙ୍ଗୁଠି କାଟି ଦେଇଥିଲେ । ତେବେ ସୁଯୋଗ ପାଇ ୪ ଜଣ ଶ୍ରମିକ ଏସିଡ୍ ମାଡରେ ଆହତ ନିଜ ସହଯୋଗୀଙ୍କୁ ଧରି ସେଠାରୁ ଘରକୁ ଫେରି ଆସିଛନ୍ତି । ଏସିଡ୍ ମାଡ଼ରେ ଗୁରୁତର ହୋଇପଡ଼ିଥିବା ଶ୍ରମିକଜଣକୁ ବୁର୍ଲ୍ଲା ମେଡିକାଲରେ ଭତ୍ତି କରାଯାଇଛି । ବିଜୟନଗର ଯାଇଥିବା ହେମଗିରିର ମୋଟ ୧୨ ଜଣ ଶ୍ରମିକଙ୍କ ମଧ୍ୟରୁ ୫ ଜଣ ଚାଲିଆସିଥିବା ବେଳେ ଅନ୍ୟ ୭ ଜଣ ଏବେ ବି ସେଠାରେ ଅଟକ ଅଛନ୍ତି ।