ଭୁବନେଶ୍ୱର ୧୭/୧୨ : ଆନ୍ଧ୍ରପ୍ରଦେଶର କାଟ୍ରେନିକୋଣା ନିକଟରେ ସାମୂଦ୍ରିକ ଝଡ଼ ପେଥାଇ ଲ୍ୟାଣ୍ଡଫଲ୍ କରିଛି । ଲ୍ୟାଣ୍ଡଫଲ୍ କରିବା ପରେ ଏହା ତୀବ୍ର ଅବପାତର ରୂପ ନେଇ ଘଣ୍ଟାକୁ ପ୍ରାୟ ୧୫ କିଲୋମିଟର ବେଗରେ ଆଗକୁ ଆଗକୁ ଗତି କରିବାରେ ଲାଗିଛି । ଏହାର ପ୍ରଭାବରେ ସମୂଦ୍ର ଅଶାନ୍ତ ହେବା ସହ ଉପକୂଳ ଅଂଚଳରେ ଘଣ୍ଟାକୁ ୪୦ ରୁ ୮୦ କିଲୋମିଟର ବେଗରେ ପବନ ବହିବା ଆରମ୍ଭ ହୋଇଛି । ଏହି ଅବସରରେ ଉପକୂଳବର୍ତ୍ତୀ ୩୫୦ଟି ଗ୍ରାମର ଲୋକମାନଙ୍କୁ ଆନ୍ଧ୍ର ସରକାର ନିରାପଦ ସ୍ଥାନକୁ ନେଇ ଆଶ୍ରୟ ଦେଇଛନ୍ତି । ୧୨ଟି ଏନ୍ଡିଆରଏଫ୍ ଟିମକୁ ପ୍ରସ୍ତୁତ ରଖାଯାଇଛି । ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶର ଅନେକ ସ୍ଥାନରେ ବଡ଼ ଧରଣର ବର୍ଷା ଆରମ୍ଭ ହୋଇଛି । ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହେଲାଣି । ଗଞ୍ଜାମ, ଗଜପତି, କୋରାପୁଟ ଓ ରାୟଗଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ବଡ଼ ଧରଣର ବର୍ଷାର ଆରମ୍ଭ ହୋଇଯାଇଥିବାବେଳେ ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶାରେ ଝିପିଝିପି ବର୍ଷ ଲାଗି ରହିଛି ।
ଏହି ଅବସରରେ ରେଳବାଇ କର୍ତ୍ତୃପକ୍ଷ ଟ୍ରେନ୍ ଚଳାଚଳ ବ୍ୟବସ୍ଥାକୁ କିଛି ଅଂଶରେ ପରିବର୍ତ୍ତନ କରିଛନ୍ତି । ହାୱଡ଼ା-ଚେନ୍ନାଇ ମେଲ୍, ସାଲିମାର-ତ୍ରିଭେନ୍ଦ୍ରମ୍ ଏକ୍ସପ୍ରେସ, ହାୱାଡା-ୟଶମନ୍ତପୁର ଏକ୍ସପ୍ରେସ ଗନ୍ତବ୍ୟସ୍ଥଳକୁ ନଯାଇ ତାହା ପୂର୍ବରୁ କେତେକ ନିର୍ଦ୍ଦିଷ୍ଟ ଷ୍ଟେସନରେ ରହିଯିବ । ପୁରୀ-ତିରୁପତି ଏକ୍ସପ୍ରେସ୍ ଆଜି ୧.୧୫ ମିନିଟ୍ ପରିବର୍ତ୍ତ ୫.୧୫ ମିନିଟ୍ରେ ପୁରୀ ଛାଡିବ ବୋଲି ସୂଚନା ମିଳିଛି ।