ଭୁବନେଶ୍ୱର ୨/୨ : ଭୁବନେଶ୍ୱର ସ୍ଥାନୀୟ ଆପୋଲୋ ହସ୍ପିଟାଲରେ ଆଜି ଅଗ୍ନିକାଣ୍ଡ ଘଟିଛି । ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି । ପଂଚମ ମହଲାରେ ଥିବା ନିରୋଲୋଜି ବିଭାଗର ଆଇସିୟୁରେ ହଠାତ ନିଆଁ ଲାଗିଯିବା ଫଳରେ ଧୂଆଁ ହସ୍ପିଟାଲର ଅଧିକାଂଶ ଅଂଚଳକୁ ବ୍ୟାପି ଯାଇଥିଲା । ନିଆଁ ଲାଗିବା ପରେ ପଂଚମ ମହଲାରେ ଥିବା ରୋଗୀମାନଙ୍କୁ ତଳକୁ ଅଣାଯାଇଥିଲା । ସେଥିମଧ୍ୟରୁ କେତେକ ଗୁରୁତର ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅଗ୍ନିଶମ ବିଭାଗର ୩ଟି ଗାଡ଼ି ନିଆଁକୁ ଆୟତ୍ତ କରିଥିବାରୁ ବିଶେଷ କିଛି କ୍ଷୟକ୍ଷତି ଘଟିନାହିଁ । ଏହି ପରିପ୍ରେକ୍ଷୀରେ ଅଗ୍ନିଶମ ଡିଜିଙ୍କ ପକ୍ଷରୁ ଏହି ହସ୍ପିଟାଲର ଅଗ୍ନି ନିରାପତ୍ତା ବ୍ୟବସ୍ଥା ସମ୍ପର୍କରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।
ଆଜି ମଧ୍ୟ ଭୁବନେଶ୍ୱରର ୟୁନିଟ-୮ ଅଂଚଳରେ ଥିବା ଏନଏଚଏମ ଅଫିସରେ ଅଗ୍ନିକାଣ୍ଡ ଘଟିଛି । ଅଫିସର ଦ୍ୱିତୀୟ ମହଲାରେ ନିଆଁ ଲାଗିଯାଇଥିଲା ।