ପୁରୀ ୨୩/୨ : ଆମିକସ୍ କ୍ୟୁରୀ ପ୍ରଥମ ଦିନରେ ଗଜପତି ମହାରାଜ ଦିବ୍ୟ ସିଂହ ଦେବଙ୍କ ସହିତ ଆଲୋଚନା କରିଛନ୍ତି । ଶ୍ରୀମନ୍ଦିରରେ ମୁଖ୍ୟତଃ ତିନୋଟି କ୍ଷେତ୍ରରେ ସମସ୍ୟା ରହିଛି । ପ୍ରଶାସନିକ, ସେବକ ଓ ଧାର୍ମିକ କ୍ଷେତ୍ରରେ ସମସ୍ୟା ରହିଛି । ଏ ନେଇ ଆମିକସ୍ କ୍ୟୁରୀଙ୍କୁ ଜଣାଯାଇଛି ବୋଲି ଆଲୋଚନା ପରେ ଗଜପତି ମହାରାଜ ସୂଚନା ଦେଇଛନ୍ତି ।ପୁରୀ ଗସ୍ତରେ ଥିବା ଆମିକସ୍ କ୍ୟୁରୀ ପ୍ରଥମ ଦିନରେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଗଜପତି ମହାରାଜଙ୍କୁ ଭେଟିଥିଲେ । ଶ୍ରୀମନ୍ଦିର ସଂସ୍କାର ନେଇ ବିଭିନ୍ନ ପ୍ରସଙ୍ଗରେ ଉପରେ ଆଲୋଚନା କରାଯାଇଥିଲା । ଶ୍ରୀମନ୍ଦିରରେ ମୁଖ୍ୟତଃ ତିନୋଟି ସମସ୍ୟା ରହିଛି । ପ୍ରଶାସନିକ, ସେବକ ଓ ଧାର୍ମିକ ସଂସ୍କାର ଆବଶ୍ୟକତା ରହିଛି । ତିନୋଟି କ୍ଷେତ୍ରରେ ମୂଳତଃ ସଂସ୍କାର ଜରୁରୀ ବୋଲି ଗଜପତି ଆମିକସ୍ କ୍ୟୁରୀଙ୍କୁ କହିଛନ୍ତି । ସେହିପରି ଗଜପତି କହିଛନ୍ତି ଯେ ୧୯୬୦ ମସିହାରୁ ଶ୍ରୀମନ୍ଦିର ଦାୟିତ୍ୱ ଗଜପତିଙ୍କ ହାତରୁ କାଢ଼ି ନେଇ ନିଜେ ଦାୟିତ୍ୱ ନେଇଥିଲେ ରାଜ୍ୟ ସରକାର । ଆଶା କରାଯାଉଥିଲା ମନ୍ଦିରରେ କିଛି ଉନ୍ନତି ଆସିବ । କିନ୍ତୁ ସରକାର ସେଭଳି କିଛି ବିଶେଷ ଧ୍ୟାନ ଦେଇ ନାହାଁନ୍ତି । ଅନ୍ୟ ରାଜ୍ୟ ଗୁଡ଼ିକରେ ଥିବା ଧାର୍ମିକ କ୍ଷେତ୍ରକୁ ସ୍ଥାନୀୟ ସରକାର ନିଜ ହାତକୁ ନେବା ପରେ ଅନେକ କିଛି ସଂସ୍କାର ଓ ଉନ୍ନତି ହୋଇଛି । କିନ୍ତୁ ଆମର ସେମିତି କିଛି ହୋଇ ନାହିଁ ବୋଲି ଗଜପତି କହିଛନ୍ତି । ବୈଠକରେ ଆମିକସ କ୍ୟୁରି ଓ ଗଜପତି ମହାରାଜଙ୍କ ବ୍ୟତୀତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଲୋକସମ୍ପର୍କ ଅଧିକାରୀ, ଆଇନ ବିଭାଗ ଏବଂ ପ୍ରଶାସନିକ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।