ଭୁବନେଶ୍ୱର ୩୧/୧ : ଆମ ଦେଶ ଗରିବ ନୁହେଁ, ଲୋକେ ଗରିବ । ଗରିବି ହଟାଇବାରେ ଦେଶର ପ୍ରମୁଖ ଦଳଗୁଡ଼ିକ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଆମ ଆଦମୀ ପାର୍ଟିର ସଭାପତି ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଆଜି ଭୁବନେଶ୍ୱରଠାରେ ସାମାଜିକ ନ୍ୟାୟ ଅଭିଯାନ ସମାବେଶରେ ଉଦବୋଧନ ଦେଇ ସେ କହିଛନ୍ତି ଯେ, ଗତ ୭୦ ବର୍ଷ ମଧ୍ୟରେ କଂଗ୍ରେସ ଓ ବିଜେପି ଦେଶକୁ ଲୁଟି ଆସିଛନ୍ତି । ଫଳରେ ଦେଶ ଆଗେଇ ପାରିନାହିଁ ।
ଓଡ଼ିଶା ସମ୍ପର୍କରେ ମତାମତ ଦେଇ ସେ କହିଛନ୍ତି ଯେ, ଏଠାରେ ଖଣି ମାଫିଆଙ୍କ ରାଜ ଚାଲିଛି । ଓଡ଼ିଶା ବିଦ୍ୟୁତ ଉତ୍ପାଦନରେ ଅଗ୍ରଣୀ ରାଜ୍ୟ ହୋଇଥିଲେ ହେଁ, ଏଠି ବିଦ୍ୟୁତ ଦର ଅଧିକ । ଓଡ଼ିଶାରେ ବିଜେଡ଼ି ନୁହେଁ ମେଣ୍ଟ ସରକାରର ଶାସନ ଚାଲିଛି ବୋଲି ଶ୍ରୀ କେଜରିୱାଲ କହିଛନ୍ତି । ଏହି ସଭାରେ ନିକଟରେ କଂଗ୍ରେସରୁ ବହିଷ୍କୃତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ମଧ୍ୟ ଉଦବୋଧନ ଦେଇଥିଲେ ।