ଭୁବନେଶ୍ୱର ୨୫/୨ : ଆସୁଛି କାଳବୈଶାଖୀ । ୨୧ ଜିଲ୍ଲାରେ ବର୍ଷା ଆଶଙ୍କା ଥିବା ବେଳେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷିବ। ବଜ୍ରପାତ ସହ ଘଡ଼ଘଡ଼ିର ବି ସମ୍ଭାବନା ରହିଛି। ଠାଏ ଠାଏ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଛି। ୨୭ ତାରିଖ ପର୍ୟ୍ୟନ୍ତ ଓଡ଼ିଶା ପାଇଁ ଏଭଳି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ବିଭାଗ ପକ୍ଷରୁ କୁହାଯାଇଛି ଯେ ଆଭ୍ୟନ୍ତରୀଣ ଓଡ଼ିଶାରୁ ଛତିଶଗଡ଼, ତେଲେଙ୍ଗାନା ଓ ଉତ୍ତର ଆଭ୍ୟନ୍ତରୀଣ କର୍ଣ୍ଣାଟକ ପର୍ୟ୍ୟନ୍ତ ଏକ ଟ୍ରପଲାଇନ୍ ସୃଷ୍ଟି ହୋଇଥିବାରୁ ଏହାର ପ୍ରଭାବରେ କାଳବୈଶାଖୀ ବର୍ଷା ହେବ। ପରିସ୍ଥିତିକୁ ଦୃଷ୍ଟିରେ ରଖି ସତର୍କ ସୂଚନା ବି ଜାରି କରାଯାଇଛି। ୨୫ ତାରିଖ ପାଇଁ ୨୧ ଜିଲ୍ଲାରେ ସ୍ଥିତି ବିଗିଡ଼ିବ। ୨୬ ଓ ୨୭ ତାରିଖରେ ଘଣ୍ଟାପ୍ରତି ୫୦ କିମି ବେଗରେ ପବନ ସହ ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ ହୋଇଛି। ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ବି କୁହାଯାଇଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି ୨୫ ତାରିଖ ସକାଳ ପର୍ୟ୍ୟନ୍ତ ପଶ୍ଚିମ, ଉତ୍ତର ଓ କେନ୍ଦ୍ରୀୟ ଓଡ଼ିଶାର ୧୪ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଆଶଙ୍କା ରହିଛି। ବଜ୍ରପାତ ସହ ପବନ ହୋଇପାରେ। ୨୫ ତାରିଖ ପୂର୍ବାହ୍ନରୁ ୨୬ ତାରିଖ ସକାଳ ପର୍ୟ୍ୟନ୍ତ ସ୍ଥିତି ସାଙ୍ଘାତିକ ହେବ। ୨୧ ଜିଲ୍ଲାରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିବ। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, କଟକ, ଅନୁଗୁଳ, କନ୍ଧମାଳ ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ରହିବ। ଏହି ସମୟରେ ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, ନୟାଗଡ଼, ଖୋର୍ଧା, ପୁରୀ, ଜଗତ୍ସିଂହପୁର, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ହାଲକା ବର୍ଷା ସହ ପବନ ହେବ। ବଜ୍ରପାତର ବି ଆଶଙ୍କା ରହିଛି। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଗୋଟିଏ ଗୋଟିଏ ସ୍ଥାନରେ ୬୦ ମିମିରୁ ଅଧିକ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।