ଭୁବନେଶ୍ୱର ୧୫/୧୨ : ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେବାକୁ ଯାଉଛି । ପେଥାଇ ନାମରେ ପରିଚିତ ଏହି ବାତ୍ୟା ଆନ୍ଧ୍ର ମୁହାଁ ହୋଇଛି । ଆଉ କେତେ ଘଂଟା ପରେ ଏହା ମଛଲିପଟ୍ଟନମ୍ରେ ପହଂଚିବ । ଓଙ୍ଗଲ ଓ କାକିନାଡ଼ା ମଧ୍ୟ ଦେଇ ୧୭ ତାରିଖରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହାର ପ୍ରଭାବରେ ଶନିବାର ରାତିରୁ ୧୭ ତାରିଖ ପର୍ଯ୍ୟନ୍ତ ବଙ୍ଗୋପସାଗର ଅଶାନ୍ତ ରହିବ । ସେଥିପାଇଁ ସମୁଦ୍ର ଭିତରକୁ ନ ଯିବା ପାଇଁ ମତ୍ସଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି ।
‘ପେଥାଇ’ର ପ୍ରଭାବରେ ଓଡ଼ିଶାର ରାୟଗଡା, କୋରାପୁଟ, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବାତ୍ୟାକୁ ଦୃଷ୍ଟିରେ ରଖି ଅମଳ ହୋଇଥିବା ଫସଲର ସୁରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାର ପ୍ରଭାବରେ ରବିବାର ଓ ସୋମବାର ଦକ୍ଷିଣ ଓ ଆଭ୍ୟନ୍ତରିଣ ଓଡ଼ିଶାରେ ବର୍ଷା ହେବ ଏବଂ ବର୍ତ୍ତମାନଠାରୁ କୋହଲା ପାଗ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।