ଭୁବନେଶ୍ୱର: ଇଂସୁରାନ୍ସ ରେଗୁଲେଟୋରୀ ଆଣ୍ଡ ଡେଭଲପମେଣ୍ଟ ଅଥରିଟି ଅଫ ଇଣ୍ଡିଆ (ଆଇଆରଡିଏ ଆଇ)ର ଅଧ୍ୟକ୍ଷ ପଦ ଦୌଡ଼ରେ ଦୁଇ ବରିଷ୍ଠ ଓଡ଼ିଆ ଆଇଏଏସ ଅଫିସର ଏବଂ ଜଣେ ଓଡିଶା କ୍ୟାଡ଼ର ଆଇଏଏସ ଅଫିସର ଆଗରେ ଅଛନ୍ତି।
ଓଡ଼ିଆ ଆଇଏଏସ ଅଫିସର ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟ ଶାସନ ସଚିବ ସୁବାସ ଚନ୍ଦ୍ର ଖୁଣ୍ଟିଆ ଆଇଆରଡିଏ ଆଇ ଅଧ୍ୟକ୍ଷ ପଦରୁ ଗତ ମେ ୬ ତାରିଖରେ କାର୍ଯ୍ୟକାଳ ଶେଷ କରି ଅବ୍ୟାହତ ନେବାପରେ ଏହି ପଦବୀ ଖାଲି ପଡିଛି। ପଦବୀ ପୂରଣ ପାଇଁ ଜୁନ ୨୯ ତାରିଖ ସୁଦ୍ଧା ଆବେଦନ କରିବାକୁ ଆହ୍ୱାନ କରାଯାଇଛି।
ଓଡ଼ିଆ ଅଫିସର ଛବିନ୍ଦ୍ର ରାଉଳ ଓ ମନୋଜ ପରିଡା ଏବଂ ଓଡିଶା କ୍ୟାଡ଼ର ଆଇଏଏସ ଅଫିସର ଇଂଜେଟି ଶ୍ରୀନିବାସ ଏହି ପଦବୀ ପାଇଁ ଆଗ୍ରହୀ ଥିବା ଜଣା ଯାଇଛି। ପଞ୍ଜାବର ୧୯୮୫ ବ୍ୟଚ ଆଇଏଏସ ଅଫିସର ରାଉଳ କେନ୍ଦ୍ରରେ ରସାୟନ ଓ ସାର ସଚିବ ଥିଲେ। ୟୁନିୟନ ଟେରିଟୋରୀ କ୍ୟାଡ଼ର ୧୯୮୬ ବ୍ୟାଚର ଆଇଏଏସ ଅଫିସର ମନୋଜ ପରିଡାଙ୍କୁ କେନ୍ଦ୍ର ସରକାର ନିକଟରେ ନ୍ୟାସନାଲ ଅଥରିଟି ଅଫ କେମିକାଲ ଉଇପନସ କନଭେନସନର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଆଇ ଶ୍ରୀନିବାସନ ଇଣ୍ଟରନ୍ୟାସନଲ ଫାଇନାନସିଆଲ ସର୍ଭିସ ସେଣ୍ଟରସ ଅଥରିଟି ର ଅଧ୍ୟକ୍ଷ ଅଛନ୍ତି।