ସ୍ପେଶାଲ ରିପୋର୍ଟ

ଇମ୍ଫା ପାଚେରୀ ଭାଙ୍ଗିଲା, ଅଳ୍ପକେ ବର୍ତ୍ତିଲେ ପରିବାର, ଘର ଓ ଟାଟା ମ୍ୟାଜିକ ଭାଙ୍ଗିଲା

Published

on

ଟାଙ୍ଗୀ-ଚୌଦ୍ୱାର: ଚୌଦ୍ୱାରସ୍ଥିତ ଇମ୍ଫା କର୍ତ୍ତୃପକ୍ଷଙ୍କ ବେପରବାୟ ମନୋଭାବ ଯୋଗୁଁ ଗୋଟିଏ ପରିବାର ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି । କପାଳେଶ୍ୱର ତାରିଣୀ କଲୋନୀକୁ ଲାଗିକରି ରହିଛି ଇମ୍ଫା କାରଖାନାର ପାଚେରୀ । ଏହି ପାଚେରୀର କାରଖାନା ପଟକୁ ଏକ ଡ୍ରେନ ନିର୍ମାଣ ପାଇଁ ଇମ୍ଫା କର୍ତ୍ତୃପକ୍ଷ ଜେସିବି ସାହାଯ୍ୟରେ ଗାତ ଖୋଳିଥିଲେ । ପାଚେରୀ କଡରେ ଥିବା ଏକ ବଡ •ଖୁଣ୍ଡା ଗଛ ମୂଳକୁ ଜେସିବି ସାହାଯ୍ୟରେ ଖୋଳାଯାଉଥିଲେ ମଧ୍ୟ ଗଛଟିକୁ ଉପୁଡା ଯାଇନଥିଲା । ଗଛଟି ବିପଦଜନକ ଅବସ୍ଥାରେ ରହିଥିଲା । ଏହାଦେଖି କଲୋନୀ ଲୋକେ କାରଖାନା କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ସେମାନେ କୌଣସି ପଦକ୍ଷେପ ନେଇନଥିଲେ ।
ଗୁରୁବାର ଲଗାତାର ବର୍ଷା ଓ ପାବନ ହେବାରୁ ଗଛଟି ଉପୁଡି ପଡିଥିଲା । ଗଛଟି ପାଚେରୀ ଉପରେ ପଡିବାରୁ ପାଚେରୀଟି ଲିଜାରାଣୀ ଦାସଙ୍କ ଗୁହାଳଘର ଉପରେ ଭୁଷୁଡିପଡିବାରୁ ଗୁହାଳରେ ଥିବା ଗୋଟିଏ ବାଛୁରୀ ଓ ଗାଈ ଆହତ ହୋଇଥିଲେ । ଏଥିସହ ଗଛଟି ଲିଜାଙ୍କ ଘରଉପରେ ପଡିବାରୁ ତାଙ୍କ ଛାତର କିଛି ଅଂଶ ଭାଙ୍ଗି ଯାଇଥିଲା । ଶବ୍ଦ ଶୁଣି ଘରଭିତରେ ଥିବା ଲିଜା ଓ ତାଙ୍କ ୨ଟି ଛୋଟ ପୁଅଝିଅ ଏବଂ ୨ଜଣ ଝିଆରୀ ଦୌଡି ପଦାକୁ ପଳାଇଆସିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ।
ଏଥିସହ ଗଛଟି ଲିଜାଙ୍କର ଘର ପାଖରେ ଥୁଆହୋଇଥିବା ତାଙ୍କ ଟାଟା ମ୍ୟାଜିକ୍ ଗାଡି ଉପରେ ପଡିଯିବାରୁ ତାହା ସଂପୂର୍ଣ୍ଣ ଭାଙ୍ଗି ଯାଇଛି । ଏଠାରେ ସୂଚନା ଯୋଗ୍ୟ ଗତ ଅଗଷ୍ଟ ମାସରେ ଏହି କଲୋନୀ ନିକଟରେ ଥିବା ଇମ୍ଫାର କେମିକାଲ ପଣ୍ଡ ଭୁଷୁଡି ପଡିବାର ପାଚେରୀ ଭାଙ୍ଗି ବିଷାକ୍ତ ପାଣି ସମସ୍ତଙ୍କ ଘରେ ପଶି ଅନେକ ଆସବାପତ୍ର ନଷ୍ଟ କରିବା ସହିତ ପାନୀୟ ଜଳ ବ୍ୟବସ୍ଥାକୁ ନଷ୍ଟ କରିଦେଇଥିଲା । ବାରମ୍ବାର ଇମ୍ଫା କର୍ତ୍ତୃପକ୍ଷଙ୍କ ଏଭଳି ବେପରବାୟ ମନୋଭାବ ଓ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷର କାରଣ ବନିଛି । ଏ ପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ହୋଇଥିବା ଲିଜାରାଣୀଙ୍କୁ କୌଣସି ପ୍ରକାର ସହାୟତା କାରଖାନା ପକ୍ଷରୁ କରାଯାଇନାହିଁ ।

Leave a Reply

Your email address will not be published. Required fields are marked *

Trending

Exit mobile version