ଶ୍ରୀହରିକୋଟା ୧୯/୧୨ : ଶ୍ରୀହରିକୋଟାର ସତୀଶଧାୱନ ମହାକାଶ କେନ୍ଦ୍ରରୁ ଆଜି ଅପରାହ୍ନ ୪.୧୦ ମିନିଟ୍ରେ ଭାରତର ଯୋଗାଯୋଗ ଉପଗ୍ରହ ଜିସାଟ୍-୭ଏର ସଫଳ ଉତ୍କ୍ଷେପଣ କରାଯାଇଛି । ପ୍ରକ୍ଷେପଣର ୧୯ ମିନିଟ୍ ମଧ୍ୟରେ ଏହା ଅନାୟସରେ କକ୍ଷପଥରେ ସ୍ଥାପିତ ହୋଇପାରିଛି । ଗତ ମାସକ ମଧ୍ୟରେ ଏହା ହେଉଛି ଇସ୍ରୋ ପକ୍ଷରୁ ମହାକାଶକୁ ପଠାଯାଇଥିବା ତୃତୀୟ ଉପଗ୍ରହ ।
ଜିସାଟ୍-୭ଏ ମାଧ୍ୟମରେ ଭାରତୀୟ ସାମରିକ ବାହିନୀର ଯୋଗାଯୋଗ ବ୍ୟବସ୍ଥା ଅତ୍ୟନ୍ତ ସୁଦୃଢ଼ ହୋଇପାରିବ । ଜିସାଟ୍-୭ଏ ହେଉଛି ପ୍ରତିରକ୍ଷା ବିଭାଗ ପାଇଁ ଉଦ୍ଦିଷ୍ଟ ଦ୍ୱିତୀୟ ଉପଗ୍ରହ । ଏହାଦ୍ୱାରା ଚାଳକବିହୀନ ବିମାନଗୁଡ଼ିକର ଯୋଗାଯୋଗ ଓ ନିୟନ୍ତ୍ରଣ ବ୍ୟବସ୍ଥା ଅଧିକ ପ୍ରଭାବଶାଳୀ ହୋଇପାରିବ । ଏହାର ଓଜନ ୨ ହଜାର ୨ଶହ ୫୦ କିଲୋ ଏବଂ ଏହା ହେଉଛି ଭାରତର ୩୫ତମ ଯୋଗାଯୋଗ ଉପଗ୍ରହ ।