ଲକ୍ଷନୌ: ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥ ସରକାର ବିରୋଧରେ ତେଜୁଛି ସରକାରୀ ଅସନ୍ତୋଷ।
କୋଭିଡ ମହାମାରୀର ପରିଚାଳନାରେ ସରକାରଙ୍କ ବିଫଳତାରେ ବ୍ୟଥିତ ହୋଇ ଦଳର ସାଂସଦ ଓ ବିଧାୟକମାନେ ଅସନ୍ତୋଷ ପ୍ରକାଶ କରିବା ପରେ ବର୍ତ୍ତମାନ ସରକାରୀ କର୍ମଚାରୀମାନେ ସେମାନଙ୍କ ସଙ୍ଗେ ଯୋଡି ହୋଇଗଲେଣି।
ଗତ ପଂଚାୟତ ନିର୍ବାଚନ କାର୍ଯ୍ୟରେ ସାମିଲ ହୋଇଥିବା ଶହ ଶହ ସ୍କୁଲ ଶିକ୍ଷକ କୋଭିଡ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିବା ଘଟଣାରେ ରାଜ୍ୟ ଶିକ୍ଷକ ସଂଘ ସହାୟତା ରାଶି ଦାବୀ କରିବା ପରେ ଏହି ଘଟଣା ହାଇକୋର୍ଟକୁ ଯାଇଥିଲା। ହାଇକୋର୍ଟ ମୃତ ଶିକ୍ଷକମାନଙ୍କ ପରିବାରକୁ ସହାୟତା ରାଶି ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ତେବେ ଯୋଗୀ ସରକାର ବର୍ତ୍ତମାନ ମାତ୍ର ୩ଜଣ ମୃତ ଶିକ୍ଷକଙ୍କ ଯେଉଁ ତାଲିକା ଦେଉଛନ୍ତି ତାହାକୁ ଶିକ୍ଷକ ସଂଘ ମାନିବାକୁ ନାରାଜ। ଏହାକୁ ନେଇ ଚର୍ଚ୍ଚା ତୀବ୍ର ହେଉଥିବା ବେଳେ ବର୍ତମାନ ରାଜ୍ୟର ଜୁଡିସିଆଲ ଅଫିସରସ ଆସୋସିଏସନବିଚାର ସଙ୍ଘର ଅସନ୍ତୋଷ ପ୍ରକାଶ କରିବାକୁ ସଜବାଜ ହେଉଛି। ସଙ୍ଘର ବର୍ତମାନ ସୁଦ୍ଧା ୧୨ ଜଣ କୋଭିଡରେ ମୃତ୍ୟୁବରଣ କରି ସାରିଲେଣି। କୋଭିଡ ସ୍ୱାସ୍ଥ୍ୟ ସେବା ଓ ମୃତ ସାଥି ଅଧିକାରୀମାନଙ୍କ ପାଇଁ ସହାୟତା ରାଶି ଦାବୀ ସଙ୍ଘ କୋର୍ଟକୁ ଯିବାର ସମ୍ଭାବନା ଦେଖା ଦେଇଛି।
ବିଚାର ବିଭାଗୀୟ ଅଧିକାରୀମାନଙ୍କ ଭିତରେ ଦେଖାଦେଇଥିବା ଏହି ଅସନ୍ତୋଷକୁ ଉପଲବ୍ଧି କରି ରାଜ୍ୟ ସରକାର ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରୁଛି।
ରାଜ୍ୟ ଆଇନ ମନ୍ତ୍ରୀ ବ୍ରଜେଶ ପାଠକ ରାଜ୍ୟ ଜୁଡିସିଆଲ ଅଫିସରସ ଆସୋସିଏସନର କର୍ମକର୍ତ୍ତାମାନଙ୍କୁ ଭେଟି ସେମାନଙ୍କୁ ଆଶ୍ୱାସନା ଦେଇଛନ୍ତି। ସଙ୍ଘର ସଭ୍ୟମାନଙ୍କୁ କୋଭିଡ ସ୍ୱାସ୍ଥ୍ୟ ଯତ୍ନ ଏବଂ ଡାକ୍ତରଖାନାରେ ଭର୍ତ୍ତି କରିବାର ସମସ୍ତ ସୁବିଧା ଯୋଗାଇ ଦିଆଯିବ। ସେମାନଙ୍କର ପରିବାରର ଦାଇତ୍ୱ ରାଜ୍ୟ ସରକାର ନେବେ। ସରକାର ଏକ ସ୍ୱତନ୍ତ୍ର ହ୍ଵାଟସଅପ ମାଧ୍ୟମରେ ସେମାନଙ୍କର ଖବର ନେବ ବୋଲି ଆଇନ ମନ୍ତ୍ରୀ ସଙ୍ଘର ପଦାଧିକାରୀମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।