ଶ୍ରୀନଗର ୨୨/୧୨ : ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲା ଅନ୍ତର୍ଗତ ଅବନ୍ତିପୁରା ତ୍ରାଲ ଅଂଚଳରେ ନିରାପତ୍ତା ବାହିନୀ ସହ ସଂଘର୍ଷରେ ୬ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ସେହି ଅଂଚଳର ଏକ ତୋଟା ମଧ୍ୟରେ ସନ୍ତ୍ରାସବାଦୀ ଲୁଚିଥିବା ଖବରପାଇ ସେନା, ଏସଓଜି ଓ ସିଆରପିଏଫ୍ ଯବାନମାନେ ତାହାକୁ ଘେରି ଯାଇଥିଲେ । ସେମାନଙ୍କୁ ସତର୍କ କରିବା ପାଇଁ ନିରାପତ୍ତାବାହିନୀ ଫାଙ୍କା ଗୁଳି ଚାଳନା କରିଥିଲେ ହେଁ ସେମାନେ ଆତ୍ମସମର୍ପଣ ନ କରି ଗୁଳି ଚଳାଇଥିଲେ । ଫଳରେ ନିରାପତ୍ତାବାହିନୀ ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା । ଏହି ସଂଘର୍ଷରେ ୬ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା । ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଜାକିର ମୁଷା ସହ ଏହି ଆତଙ୍କବାଦୀଙ୍କ ସମ୍ପର୍କ ଥିଲା ବୋଲି ଜଣେ ସେନା ଅଧିକାରୀ ସୂଚନା ଦେଇଛନ୍ତି ।