ଭୁବନେଶ୍ୱର : ଓଡ଼ିଶାର ଶିଳ୍ପ ଓ କଳକାରଖାନାଗୁଡ଼ିକ କୋଇଲା ଅଭାବରୁ ବନ୍ଦ ହୋଇ ଯାଉଥିବା ଘଟଣାରେ ବରିଷ୍ଠ କଂଗ୍ରେସ ନେତା ନବ କିଶୋର ଦାସ କ୍ଷୋଭ ପ୍ରକାଶ କରିଛନ୍ତି ।
ରାଜ୍ୟରେ ମହାନଦୀ କୋଇଲା କମ୍ପାନୀ ବାର୍ଷିକ ୧୪୪ ନିୟୁତ ଟନ୍ କୋଇଲାତ୍ତଉତ୍ପାଦନ କରୁଛି । ରାଜ୍ୟରେ ଥିବା ବିଦ୍ୟୁତ୍ ପ୍ରକଳ୍ପ ଓ ଅନ୍ୟାନ୍ୟ କଳକାରଖାନା ୭୬ ନିୟୁତ ଟନ୍ କୋଇଲା ବାର୍ଷିକ ଆବଶ୍ୟକ କରୁଥିବାବେଳେ ତାହା ତାଙ୍କୁ ମିଳୁନାହିଁ । ବେଦାନ୍ତ, ହିଣ୍ଡାଲ କୋ, ନାଲ୍କୋ, ଜିନ୍ଦଲ ଷ୍ଟିଲ୍, ଜିନ୍ଦଲ ଷ୍ଟେନଲେସ୍ ଷ୍ଟିଲ୍, ରାଉରକେଲା ଇସ୍ପାତ କାରଖାନା, ଟାଟା ଷ୍ଟିଲ୍, ଭୁଷଣ ଷ୍ଟିଲ୍ ଏବଂ ଅନ୍ୟାନ୍ୟ ସିମେଂଟ କାରଖାନାଗୁଡ଼ିକ ବାର୍ଷିକ ୪୦ ନିୟୁତ ଟନ୍ କୋଇଲା ଆବଶ୍ୟକ କରୁଥିବାବେଳେ ସେମାନଙ୍କୁ ମାତ୍ର ୧୦ ନିୟୁତ ଟନ୍ ଯୋଗାଇ ଦିଆଯାଉଛି । ସେହିଭଳି ତାଳଚେର ସୁତାର ଥର୍ମାଲ, ତାଳଚେର ଏନ୍ଟିପିସି, ବେଦାନ୍ତ, ଜିଏସ୍ଆର୍, ଏନ୍ଟିପିସି-ସେଲ୍, ଇବ୍-ଏଏନ୍ଜିସି, ଜେଆଇଟିପିଏଲ୍ ଆଦି ବିଦ୍ୟୁତ୍ ଉତ୍ପାଦନକାରୀ କାରଖାନାଗୁଡ଼ିକର କୋଇଲା ଆବଶ୍ୟକତା ୩୬ ନିୟୁତ ଟନ୍ ଥିବାବେଳେ ମାତ୍ର ୩୦ ନିୟୁତ ଟନ୍ ଯୋଗାଇ ଦିଆଯାଉଛି ।
ତେବେ ରାଜ୍ୟର କଳ କାରଖାନାଗୁଡ଼ିକର ବାର୍ଷିକ କୋଇଲା ଆବଶ୍ୟକତା ୭୬ ନିୟୁତଟନ୍ ଥିବାବେଳେ, ମହାନଦୀ କୋଇଲା କମ୍ପାନୀ ମାତ୍ର ୪୦ ନିୟୁତ ଟନ୍ କୋଇଲା ଯୋଗାଇ ଦେଉଛି । ଅବଶିଷ୍ଟ ୧୦୪ ନିୟୁତ ଟନ୍ ଓଡ଼ିଶା ବାହାରକୁ ଚାଲାଣ କରୁଛି ବୋଲି ଝାରସୁଗୁଡ଼ା ବିଧାୟକ ଶ୍ରୀ ଦାସ ଅଭିଯୋଗ କରିଛନ୍ତି । ମହାନଦୀ କୋଇଲା କମ୍ପାନୀର ଉତ୍ପାଦିତ କୋଇଲାର ୫୨.୭୭% ରାଜ୍ୟରେ ଆବଶ୍ୟକତା ଥିବାବେଳେ ବର୍ତମାନ ମାତ୍ର ୨୭.୭୭ ପ୍ରତିଶତ ମିଳୁଛି ବୋଲି ସେ ଉଲ୍ଲେଖ କରିଛନ୍ତି ।
ମହାନଦୀ କୋଇଲା କମ୍ପାନୀ ତାର ଉତ୍ପାଦନ ବୃଦ୍ଧି କରିବା ସଙ୍ଗେ ସଙ୍ଗେ ଓଡ଼ିଶାରେ ଥିବା ବିଦ୍ୟୁତ୍ କେନ୍ଦ୍ର ଓ କଳକାରଖାନାଗୁଡ଼ିକ ଚାହିଦା ଅଗ୍ରାଧିକାର ଭିତିରେ ମେଂଟାଉ ବୋଲି ଶ୍ରୀ ଦାସ ଦାବି କରିଛନ୍ତି । ଶ୍ରୀ ଦାସ କହିଛନ୍ତି ଯେ, ସୋମବାର ଏହି ଦାବି ନେଇ ଭୁବନେଶ୍ୱରରେ ଏକ ବିଶାଳ ଗଣ ବିକ୍ଷୋଭ ହେବ । ବିସ୍ଥାପନ ସଚେତନ ସମିତି ପକ୍ଷରୁ ଏହି ବିକ୍ଷୋଭ କରାଯାଉଛି ବୋଲି ସେ କହିଛନ୍ତି ।