ଭୁବନେଶ୍ୱର ୨୬/୪ : ଏଡ଼ିଆର ରିପୋର୍ଟ ଅନୁସାରେ ବିଧାନସଭାରେ ସବୁଠାରୁ ଅଧିକ ଧନୀ ପ୍ରାର୍ଥୀ ହେଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଭଣ୍ଡାରୀପୋଖରୀ ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢ଼ୁଥିବା ନିରଞ୍ଜନ ପଟ୍ଟନାୟକ ଏହି ତାଲିକାରେ ସର୍ବାଗ୍ରେ ଅଛନ୍ତି । ଜଗତସିଂହପୁରର କଂଗ୍ରେସ ବିଧାୟକ ପ୍ରାର୍ଥୀ ଚିରଞ୍ଜିବୀ ବିଶ୍ୱାଳ ଦ୍ୱିତୀୟ ଓ ବିଜେଡ଼ି ବିଧାୟକ ପ୍ରାର୍ଥୀ ପ୍ରଣବ ବଳବନ୍ତରାୟ ତୃତୀୟ ଧନୀ ପ୍ରାର୍ଥୀ ।
ରିପୋର୍ଟରେ ଥିବା ତଥ୍ୟ ଅନୁସାରେ ନିରଞ୍ଜନ ସମ୍ପତ୍ତି ୬୦ କୋଟିରୁ ଅଧିକ ବୋଲି ଜଣାପଡ଼ିଛି । ଅନ୍ୟପଟେ ଚିରଞ୍ଜିବୀ ବିଶ୍ୱାଳଙ୍କ ସମ୍ପତ୍ତି ୩୩ କୋଟିରୁ ଅଧିକ ପ୍ରଣବ ବଳବନ୍ତରାୟଙ୍କ ସମ୍ପତ୍ତି ୧୭ କୋଟିରୁ ଅଧିକ ବୋଲି ଏଡ଼ିଆର ରିପୋର୍ଟରୁ ଜଣାପଡ଼ିଛି । ୩୩୪ ଜଣ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ୮୧ ଜଣ ପ୍ରାର୍ଥୀ କୋଟିପତି ବୋଲି ଜଣାପଡ଼ିଛି । ବିଜେଡ଼ିରେ ସର୍ବାଧିକ ୨୭ ଜଣ, କଂଗ୍ରେସର ୨୩ ଜଣ ଓ ବିଜେପିର ୨୦ ଜଣ ପ୍ରାର୍ଥୀ କୋଟିପତି ।
ଏଡ଼ିଆର ରିପୋର୍ଟ ଅନୁସାରେ ବିଜେପିରେ ୪୦ରୁ ୨୪ ଜଣ ଅର୍ଥାତ୍ ୬୦ ପ୍ରତିଶତ ଦାଗୀ ନେତା ଅଛନ୍ତି । କଂଗ୍ରେସରେ ୩୯ ରୁ ୧୨ ଜଣ(୩୧ ପ୍ରତିଶତ) ଓ ବିଜେଡ଼ିରେ ୩୯ରୁ ୧୫ (୩୯ପ୍ରତିଶତ) ଜଣ ଦାଗୀ ନେତା ଅଛନ୍ତି । ଏଡ଼ିଆର ରିପୋର୍ଟ ଅନୁସାରେ ମୋଟ୍ ୩୩୪ ପ୍ରାର୍ଥୀଙ୍କ ମଧ୍ୟରୁ ୭୨ ପ୍ରତିଶତ ଦାଗୀ ନେତା ଅଛନ୍ତି ।