ନୂଆଦିଲ୍ଲୀ ୨୫/୩ : ଜେଟ୍ ଏୟାରଓ୍ଵେଜର ବୋର୍ଡରୁ ଏୟାରଲାଇନର ସଂସ୍ଥାପକ ତଥା ପ୍ରୋମୋଟର ନରେଶ ଗୋୟଲ ଇସ୍ତଫା ଦେଇଛନ୍ତି। କମ୍ପାନୀ ନରେଶ ଗୋୟଲଙ୍କ ଇସ୍ତଫା ବିଷୟରେ ଆନୁଷ୍ଠାନିକ ଘୋଷଣା କରିଛି। ଆଜି ଜେଟର ମହତ୍ଵପୂର୍ଣ୍ଣ ବୋର୍ଡ ବୈଠକ ବସିଥିଲା। ଅନ୍ୟ ପଟେ ନରେଶଙ୍କ ପତ୍ନୀ ଅନିତା ଗୋୟଲ ମଧ୍ୟ ବୋର୍ଡରୁ ନିଜକୁ ଦୂରେଇ ନେଇଛନ୍ତି। ଏବେ ଜେଟ ଏୟାରଓ୍ଵେଜକୁ ବ୍ୟାଙ୍କ ତତ୍କାଳ ୧୫୦୦ କୋଟି ଟଙ୍କା ପର୍ୟ୍ୟନ୍ତ ଆର୍ଥିକ ସହାୟତା ମିଳିବ। ଜେଟ୍ ଏୟାରଓ୍ଵେଜର ନିର୍ଦ୍ଦେଶକ ମଣ୍ଡଳରେ ବ୍ୟାଙ୍କର ଦୁଇ ସଦସ୍ୟଙ୍କୁ ନାମିତ କରିବ ଏବଂ ଏୟାରଲାଇନର ଦୈନିକ ପରିଚାଳନା ପାଇଁ ଅନ୍ତରୀଣ ପ୍ରବନ୍ଧନ ସମିତି ଗଠନ କରାଯିବ।
ଜେଟ୍ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ବୟାନରେ କହିଛି ଯେ, ଭାରତୀୟ ଷ୍ଟେ ବ୍ୟାଙ୍କ(ଏସବିଆଇ) ନେତୃତ୍ଵରେ ଜେଟର ଋଣଦାତା ଡେଟ୍ ଡକ୍ୟୁମେଣ୍ଟ ଜରିଆରେ କମ୍ପାନୀରେ ୧୫୦୦ କୋଟି ଟଙ୍କା ଜମା କରିବ। ଜେଟ୍ ଏହା ମଧ୍ୟ କହିଛି ଯେ, ଋଣଦାତାଙ୍କ ନେତୃତ୍ଵରେ ଏକ ଅନ୍ତରୀଣ ମ୍ୟାନେଜମେଣ୍ଟ କମିଟିର ଗଠନ କରାଯିବ, ଯାହା କମ୍ପାନୀର ନିତିଦିନ କାମ ଓ ଆର୍ଥିକ କାରବାର ବୁଝିବ।
ଜେଟ୍ ଏୟାରଓ୍ଵେଜର ନିୟନ୍ତ୍ରଣ ଏ ପର୍ୟ୍ୟନ୍ତ ନରେଶ ଗୋୟଲଙ୍କ ପାଖରେ ଥିଲା, ଯାହାଙ୍କ ପାଖରେ କମ୍ପାନୀର ୫୧ ପ୍ରତିଶତ ଭାଗିଦାରୀ ରହିଛି। ଆବୁଧାବି ସ୍ଥିତ ଏତିହାଦ ଏୟାରଓ୍ଵେଜ ପାଖରେ ୨୪ ପ୍ରତିଶତ ଭାଗିଦାରୀ ରହିଛି। ଉଲ୍ଲେଖଯୋଗ୍ୟ, ଅର୍ଥାଭାବ କାରଣରୁ ଗତ କିଛି ଦିନ ହେବ ଜେଟ୍ ଏୟାରଓ୍ଵେଜ ନିଜର ୪୦ରୁ ଅଧିକ ବିମାନର ଚଳାଚଳ ବନ୍ଦ କରି ଦେଇଛି। ଜେଟ୍ ଏୟାରଓ୍ଵେଜ୍ ଉପରେ ୮,୨୦୦ କୋଟି ଟଙ୍କାର ଋଣ ବୋଝଭାର ରହିଛି। ମାର୍ଚ୍ଚ ଶେଷ ସୁଦ୍ଧା କମ୍ପାନୀକୁ ୧୭୦୦ କୋଟି ଟଙ୍କା ପରିଶୋଧ କରିବାକୁ ପଡ଼ିବ।