କଟକ : କଟକର ଐତିହାସିକ ବାଲିଯାତ୍ରା ଆଜି ଉଦଘାଟିତ ହୋଇଛି। ମହାନଦୀର ଗଡ଼ଗଡ଼ିଆ ଘାଟ କୂଳରେ ଆୟୋଜିତ ହୋଇ ଆସୁଥିବା ଦେଶର ଏହି ସର୍ବବୃହତ୍ ମୁକ୍ତାକାଶ ବାଣିଜ୍ୟିକ ମେଳାକୁ ଶୁକ୍ରବାର ସଂଧ୍ୟାରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ମିଳିତ ଭାବେ ଉଦ୍ଘାଟନ କରିଛନ୍ତି। ଚଳିତବର୍ଷ ପ୍ରଥମଥର ପାଇଁ ଦଶ ଦିନ ବାଲିଯାତ୍ରା ଆୟୋଜନ ହେଉଥିବା ବେଳେ ୧୬୦୦ରୁ ଅଧିକ ସ୍ବୀକୃତିପ୍ରାପ୍ତ ସରକାରୀ ଷ୍ଟଲ୍, ଓରମାସ୍, ଭିନ୍ନକ୍ଷମ ଷ୍ଟଲ୍ ସମେତ ୪୩ ଦୋଳି ଏବଂ ସ୍ବତନ୍ତ୍ର ଖାଦ୍ୟ ଷ୍ଟଲ୍ ପଡ଼ିଛି। ପରିମଳ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ବାରୋପ କରାଯାଇ ଧୂଳି ନଉଡ଼ିବା ପାଇଁ କେମିକାଲ୍ ବ୍ୟବହାର କରାଯାଇଥିବା ବେଳେ ପଲିଥିନ୍କୁ ସଂପୂର୍ଣ୍ଣ ନିଷେଧ କରାଯାଇଛି।
ବୈଷ୍ଣବ ପାଣି ମଂଚରେ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ଅରବିନ୍ଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ଉଦ୍ଘାଟକ ଭାବେ ମନ୍ତ୍ରୀ ଶଶିଭୂଷଣ ବେହେରା, ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ମୁଖ୍ୟବକ୍ତା ଭାବେ ସାଂସଦ ଭର୍ତ୍ତୃହରି ମହତାବ ଯୋଗ ଦେଇ କଳିଙ୍ଗ ନୌବାଣିଜ୍ୟ ପରମ୍ପରା ଉପରେ ଆଲୋକପାତ କରିଥିଲେ।