ଭୁବନେଶ୍ୱର: ଓଡିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ରଘୁବୀର ଦାସଙ୍କୁ ଓଡିଶା ମାନବ ଅଧିକାର କମିଶନର ସଦସ୍ୟ ଭାବେ ମନୋନୀତ କରା ଯାଇଛି । ଜଷ୍ଟିସ ଦାସ କମିଶନରେ ଯୋଗ ଦେବାପରେ ଏହା କାର୍ଯ୍ୟକ୍ଷମ ହେବ । ବର୍ତମାନ କମିଶନରେ କେହି ସଦସ୍ୟ ନଥିବାରୁ ଏହା ବସ୍ତୁତଃ ଅଚଳ ହୋଇ ପଡିଥିଲା । ମାନବ ଅଧିକାର ସଂପ୍ୃକ୍ତ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ ମାମଲା ବର୍ତମାନ କମିଶନରେ ବିଚାର ପାଇଁ ରହିଛି ।
ଗତ ଡିସେମ୍ବର ୨୦ ତାରିଖରେ ରାଜ୍ୟ ସରକାର କମିଶନର ଅଧ୍ୟକ୍ଷ ଓ ଅନ୍ୟାନ୍ୟ ସଭ୍ୟ ନିଯୁକ୍ତି ନିମନ୍ତେ ରାଜ୍ୟପାଳ ଗଣେସୀ ଲାଲଙ୍କୁ ନାମ ସୁପାରିଶ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କମିଟିରେ ବାଚସ୍ପତି ପ୍ରଦୀପ ଅମାତ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଉପସ୍ଥିତ ରହି ନାମଗୁଡିକ ଚୟନ କରିଥିଲେ । କମିଶନ ଗଠନ ହେବାପରେ ଜଷ୍ଟିସ ଦାସ ଏହାର ଅଧ୍ୟକ୍ଷ ରହିବେ । ଜଷ୍ଟିସ ଦାସ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣା ର ବିଚାର ବିଭାଗୀୟ ତଦନ୍ତ କରୁଥିଲେ । ସେ ତାଙ୍କର ରିର୍ପୋଟ ରାଜ୍ୟ ସରକାରଙ୍କୁ ଦେଇ ସାରିଛନ୍ତି ।