Connect with us

ଭୁବନେଶ୍ୱର: ଆଜି ମୟୂରଭଞ୍ଜ ଜିଲ୍ଲାର ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର କେନାଲ ସିଷ୍ଟମରୁ ୧୫,୩୫୯ ହେକ୍ଟର ଚାଷ ଜମିକୁ ପାଣି ଛଡା ଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ଏହାଦ୍ଵାରା ମୟୂରଭଞ୍ଜ ଜିଲ୍ଲାର ବାରିପଦା, ବେତନଟୀ, ମୋରଡା, ଶୂଳିଆପଦା ଓ ରାସଗୋବିନ୍ଦପୁର ବ୍ଲକର ୯୪ଟି ଗ୍ରାମର ଚାଷ ଜମିକୁ ଜଳସେଚନର ସୁବିଧା ମିଳିଲା ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଆଜି ମୟୂରଭଞ୍ଜ ଜିଲ୍ଲା ଓ ସାରା ଓଡିଶା ପାଇଁ ଏକ ଆନନ୍ଦର ଦିନ । ଏହା ଦ୍ଵାରା ମୟୂରଭଞ୍ଜରେ ଜମିରେ ସୁନାର ଫସଲ ଫଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଦ୍ଵାରା ମୟୂରଭଞ୍ଜ ଓ ବାଲେଶ୍ଵରର ୧.୦୯ ଲକ୍ଷ ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୟୂରଭଞ୍ଜ ତାଙ୍କ ପାଇଁ ସ୍ଵତନ୍ତ୍ର ଗୁରୁତ୍ଵ ବହନ କରେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୟୂରଭଞ୍ଜରେ ସ୍ୱାସ୍ଥ୍ୟସେବାର ବିକାଶ ହେଉ ବା ମିଶନଶକ୍ତି କାର୍ଯ୍ୟର ସଫଳ ରୂପାୟନ ହେଉ ବା ଜନଜାତି ମାନଙ୍କର ବିକାଶ ସବୁ କ୍ଷେତ୍ରରେ ମୟୂରଭଞ୍ଜ ଆଜି ଉନ୍ନତି କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସବୁ ଘରକୁ ସବୁ ପରିବାରକୁ ପାଇପ ପାଣି ଯୋଗାଇବାରେ ଦେଶର ଅଳ୍ପ କେତେକ ଜିଲ୍ଲା ମଧ୍ୟରୁ ମୟୂରଭଞ୍ଜ ଦେଶର ପ୍ରଥମ ଜିଲ୍ଲା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୟୂରଭଞ୍ଜରେ ପାଇପ ପାଣି ପ୍ରକଳ୍ପ ପାଇଁ ୭୬୮ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ବୋଲି ସେ ସୂଚନା ଦେଇଥିଲେ ।

ଜଳସେଚସନ ରାଜ୍ୟ ସରକାରଙ୍କର ଏକ ପ୍ରଥମିକତା କ୍ଷେତ୍ର ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଗାମୀ ଖରିଫ ଋତୁ ରୁ ଦେଓ ଜଳସେଚନ ପ୍ରକଳ୍ପରୁ ୧୦ ହଜାର ହେକ୍ଟର ଜମିକୁ ପାଣି ଯୋଗାଇ ଦିଆଯିବ । ଆଗାମୀ ୨-୩ ବର୍ଷ ମଧ୍ୟରେ ପ୍ରାୟ ୧୫ ଟି ଜଳସେଚନ ପ୍ରକଳ୍ପ ସଂପୂର୍ଣ୍ଣ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଜଳ ଏକ ଅମୂଲ୍ୟ ସମ୍ପଦ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏହାକୁ ନଷ୍ଟ ନ କରି ଠିକ ଭାବେ ବିନିଯୋଗ କରିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ସରକାର ସବୁବେଳେ ଚାଷୀଙ୍କ ସାଥିରେ ଅଛି ଓ ସେମାନଙ୍କ ଉନ୍ନତି ପାଇଁ କାମ କରୁଛି । କାଳିଆ ଯୋଜନାରେ ୬୭ ଲକ୍ଷ ଚାଷୀ ପରିବାର ଉପକାର ପାଉଛନ୍ତି ବୋଲି ପ୍ରକାଶ କରି ସେ କହିଥିଲେ ଯେ ସରକାରଙ୍କ ବିଭିନ୍ନ କୃଷିକଲ୍ୟାଣ କାର୍ଯ୍ୟକ୍ରମ ଯୋଗୁ ଚାଷୀ ଆଜି ସମ୍ମାନର ସହ ବଞ୍ଚି ପାରୁଛି। ଚାଷୀକୁ ତାର ହକ ଦେବା ଆମର ଲକ୍ଷ ଏବଂ ଚାଷୀର ହକ ମିଳିଲା ପର୍ଯ୍ୟନ୍ତ ଆମର ଲଢେଇ ଜାରି ରହିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପଞ୍ଚାୟତିରାଜ ଓ ପାନୀୟ ଜଳ , ଆଇନ , ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା କହିଥିଲେ ଯେ ମୟୂରଭଞ୍ଜର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଅନେକ ପଦକ୍ଷେପ ନେଉଛନ୍ତି । ଆଜିର ପ୍ରକଳ୍ପ ଦ୍ଵାରା ୨୦୨୪ ଜାନୁଆରୀ ସୁଧା ଜିଲ୍ଲାର ୭୦ ହଜାର ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିପାରିବ ବୋଲି ସେ କହିଥିଲେ । ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ରାଜ୍ୟରେ ଜଳସେଚନ ପାଇଁ ବିଭାଗ ର ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ମୟୂରଭଞ୍ଜ ଜିଲ୍ଲାପାଳ ସ୍ଵାଗତ ଭାଷଣ ଦେଇଥିଲେ ଏବଂ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ମୁଖ୍ୟ ଯନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ ।

କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର , ଉନ୍ନୟନ କମିଶନର ପି କେ ଜେନା ଏବଂ ଜଳସଂପଦ ବିଭାଗ ପ୍ରମୁଖ ସଚିବ ଅନୁ ଗର୍ଗ ଉପସ୍ଥିତ ଥିଲେ ।

Continue Reading
Click to comment

Leave a Reply

Your email address will not be published. Required fields are marked *

ରାଜ୍ୟ

ହାପି ଆକ୍ସିସ ଫାଉଣ୍ଡେସନ ର ଆର୍ଟ କର୍ମଶାଳା

Published

on

ଭୁବନେଶ୍ୱର : ପବିତ୍ର ରଜ ସଂକ୍ରାନ୍ତି ଅବସରରେ ମାଟି, ଗଛ ଓ ପ୍ରକୃତି ସହ ମଣିଷର ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଅଜିତ ଆର୍ଟ ଆଣ୍ଡ କ୍ରାଫ୍ଟ ଏବଂ ହାପି ଆକ୍ସିସ ଫାଉଣ୍ଡେସନର ସହଯୋଗରେ‘ପ୍ଲାନଟିୟୋର୍ ଏ ପ୍ଲାନଟେ’ ଶୀର୍ଷକ ଏକ ସୃଜନଶୀଳ କର୍ମଶାଳା ଏଠାର ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାରେ ବିଭିନ୍ନ ବର୍ଗରୁ ୫୦ରୁ ଅଧିକ ଅଂଶଗ୍ରହଣକାରୀ ଯୋଗଦେଇ ମାଟିପାତ୍ର ଚିତ୍ରାଙ୍କନ ଏବଂସେଥିରେ ବୃକ୍ଷରୋପଣ କାର୍ଯ୍ୟରେ ସକ୍ରିୟ ଭାବେ ଭାଗ ନେଇଥିଲେ।

କର୍ମଶାଳାରେ ପ୍ରତ୍ୟେକ ଅଂଶଗ୍ରହଣକାରୀଙ୍କୁ ଏକ ମାଟିପାତ୍ର ଓ ଏକ ଚାରା ଗଛ ପ୍ରଦାନ କରାଯାଇଥିଲା। ସେମାନେ ନିଜ କଳ୍ପନା ଓ ସୃଜନଶୀଳତାର ରଙ୍ଗରେ ମାଟିପାତ୍ରକୁ ସଜାଇବା ସହିତ ସେଥିରେ ଚାରା ରୋପଣ କରି ଘରକୁ ନେଇଯାଇଥିଲେ। ଏହା ପ୍ରକୃତି ପ୍ରତି ସଚେତନତା, ମାନସିକ ପ୍ରଶାନ୍ତି ଏବଂ ସୃଜନଶୀଳତାର ଏକ ସୁନ୍ଦର ସମନ୍ୱୟ ଥିଲା।

କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ କଳାକାରମାନଙ୍କୁ ପ୍ରୋତ୍ସାହନ ଦେବା ସହ କଟକ କୁମ୍ଭାର ସାହିର କାରିଗରମାନଙ୍କ ନିର୍ମିତ ମାଟିପାତ୍ର ବ୍ୟବହାର କରାଯାଇଥିଲା। ଏହା ସହ ଚାରାଗୁଡ଼ିକୁ ଅଜିତ ଆର୍ଟ ଆଣ୍ଡ କ୍ରାଫ୍ଟ ଟିମ୍ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା। ଆୟୋଜକମାନଙ୍କ ମତାନୁସାରେ, ମାଟିର ସ୍ପର୍ଶ ଓ ପ୍ରକୃତି ସହ ସଂଯୋଗ ମାନସିକ ଚାପ ହ୍ରାସ କରିବାରେ ସହାୟକ ହୋଇଥାଏ ଏବଂ ଏପରି କାର୍ଯ୍ୟକ୍ରମ ଲୋକଙ୍କୁ ସକାରାତ୍ମକ ଅନୁଭୂତି ପ୍ରଦାନ କରେ।

ହାପି ଆକ୍ସିସ ଫାଉଣ୍ଡେସନର ସହଯୋଗରେ ଆୟୋଜିତ ଏହି କର୍ମଶାଳା ଅଜିତ ଆର୍ଟ ଆଣ୍ଡ କ୍ରାଫ୍ଟର ଏକ ନିଆରା ପ୍ରୟାସ ଭାବେ ସମସ୍ତଙ୍କ ପ୍ରଶଂସା ସାଉଁଟିଥିଲା। ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ଯେ, ଆଗାମୀ ରଥଯାତ୍ରା ଅବସରରେ ଏକ ଭିନ୍ନ ଶୈଳୀରେ ଜଗନ୍ନାଥ ପେଣ୍ଟିଂକୁ ନେଇ ଆଉ ଏକ ସ୍ୱତନ୍ତ୍ର କର୍ମଶାଳା ଆୟୋଜନ କରାଯିବ। ଏହି କର୍ମଶାଳା ମାଧ୍ୟମରେ ଓଡ଼ିଶାର ପାରମ୍ପରିକ କଳା ଓ ସଂସ୍କୃତିକୁ ନୂତନ ପିଢ଼ୀ ସହ ଯୋଡ଼ିବାକୁ ଉଦ୍ୟମ କରାଯିବ।

 

 

Continue Reading

ରାଜ୍ୟ

ଭୁବନେଶ୍ୱର ଇନ୍ଦିରା ଗାନ୍ଧୀ ପାର୍କ ଅବ୍ୟବସ୍ଥା ଦେଖି ରାଗିଲେ ସହରୀ ମନ୍ତ୍ରୀ କୃଷ୍ଣ ମହାପାତ୍ର

Published

on

ଭୁବନେଶ୍ୱର: ଓଡିଶା ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ଆଜି ଆଇଜି ପାର୍କ (ଇନ୍ଦିରା ଗାନ୍ଧୀ ପାର୍କ) ଅଚାନକ ପରିଦର୍ଶନ କରିବା ସମୟରେ ସେଠାକାର ଅବ୍ୟବସ୍ଥା ଦେଖି ବିରକ୍ତି ପ୍ରକାଶ କଲେ ।

ପାର୍କର ଅବ୍ୟବସ୍ଥା, ବିଶେଷ କରି ଶୌଚାଳୟ ଏବଂ ପରିସ୍ରାଗାରର ଶୋଚନୀୟ ଅବସ୍ଥା ଦେଖି ଡକ୍ଟର ମହାପାତ୍ର ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିରେ ତୁରନ୍ତ ସୁଧାର ଆଣିବା ସହ ଉପଯୁକ୍ତ ପରିମଳ, ନିୟମିତ ରକ୍ଷଣାବେକ୍ଷଣ ଏବଂ ସେବା ମାନରେ ଉନ୍ନତି ଆଣିବାକୁ ସେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଯଦି ଏହି ଅବହେଳା ଜାରି ରହେ, ତେବେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଚେତାବନୀ ଦେଇଛନ୍ତି।

ଭୁବନେଶ୍ୱର ସହରର ଏକ ପ୍ରମୁଖ ସ୍ଥାନରେ ଅବସ୍ଥିତ ଏହି ପାର୍କକୁ ପ୍ରତିଦିନ ବହୁ ସଂଖ୍ୟାରେ ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା ଆସୁଥିବାରୁ ଏହାର ଯତ୍ନ ଏବଂ ପରିମଳ ବ୍ୟବସ୍ଥା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ଆବଶ୍ୟକ। ପରିଦର୍ଶନ ସମୟରେ ମନ୍ତ୍ରୀ ସେଠାକୁ ଆସିଥିବା ପର୍ଯ୍ୟଟକମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ମିଳୁଥିବା ସୁବିଧା ସୁଯୋଗ ସମ୍ପର୍କରେ ପଚାରି ବୁଝିଥିଲେ।

ମନ୍ତ୍ରୀଙ୍କ ଏହି ପରିଦର୍ଶନ ସମୟରେ ଭୁବନେଶ୍ୱର ମହାନଗର ନିଗମର ଡେପୁଟି କମିଶନର  ଏନ୍. ଗଣେଶ ବାବୁ ଉପସ୍ଥିତ ଥିଲେ। ପାର୍କକୁ ସବୁବେଳେ ସ୍ୱଚ୍ଛ, ନିରାପଦ ଏବଂ ପରିଦର୍ଶକ-ଅନୁକୂଳ କରିବା ପାଇଁ ଅଧିକାରୀ ଓ ରକ୍ଷଣାବେକ୍ଷଣ କର୍ମଚାରୀମାନଙ୍କୁ ନିରୀକ୍ଷଣ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Continue Reading

ରାଜ୍ୟ

ଗ୍ରାମରକ୍ଷୀଙ୍କ ମାସିକ ଭତ୍ତା ୧,୮୦୦ ଶହରୁ ୨,୫୦୦ ଟଙ୍କାକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

Published

on

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଗ୍ରାମାଞ୍ଚଳରେ କାର୍ଯ୍ୟରତ ଗ୍ରାମରକ୍ଷୀ ମାନଙ୍କ ପାଇଁ ପୂର୍ବରୁ ପ୍ରଚଳିତ ଥିବା ମାସିକ ଭତ୍ତାକୁ ବୃଦ୍ଧି କରିଛନ୍ତି। ଏଣିକି ଗ୍ରାମରକ୍ଷୀ ମାନେ ୧,୮୦୦ ଟଙ୍କା ବଦଳରେ ୨,୫୦୦ ଟଙ୍କା ମାସିକ ଭତ୍ତା ପାଇବେ।

ଏଥି ସହିତ ସପ୍ତାହକୁ ଥରେ ସେମାନେ ଯେଉଁ ଥାନା ଅଧୀନରେ କାମ କରୁଥିବେ, ସେଠାକୁ ଯାଇ ସେମାନଙ୍କ ଉପସ୍ଥାନ ଦେବାର ବ୍ୟବସ୍ଥା କରାଯାଇଛି।

ସୂଚନାଯୋଗ୍ୟ ଯେ, ଗ୍ରାମାଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା ଏବଂ ଅପରାଧୀ ଚିହ୍ନଟ ପ୍ରକ୍ରିୟାରେ ଗ୍ରାମରକ୍ଷୀ ମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥାଏ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions