ରାଜ୍ୟ

ଓଡିଶା ମୁଖ୍ୟମନ୍ତ୍ରୀ ୨୬ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ଦେଲେ ୩୮୫ କୋଟି କୋଭିଡ ସହାୟତା

Published

on

ଭୁବନେଶ୍ବର: “ଗରିବ ଲୋକଙ୍କୁ ତାଙ୍କ ଅଧିକାରରୁ କେହି ବି ବଞ୍ଚିତ କରିପାରିବେ ନାହିଁ। ଗରିବ ଲୋକଙ୍କର ସମ୍ମାନର ସହ ବଞ୍ଚିବାର ସମସ୍ତ ଅଧିକାର ରହିଛି।”

ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୬ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ୩୮୫ କୋଟି ଟଙ୍କାର କୋଭିଡ ପ୍ରଦାନ କରିବା ଅବସରରେ ଏହା କହିଛନ୍ତି । ଏହି ପ୍ୟାକେଜରେ ପ୍ରତି ପଞ୍ଜୀକୃତ ନିର୍ମାଣ ଶ୍ରମିକ ୧୫୦୦ ଟଙ୍କା ଲେଖାଏ ପାଇଲେ। ଗତ ବର୍ଷ ମଧ୍ୟ କୋଭିଡର ପ୍ରଥମ ଲହର ସମୟରେ ନିର୍ମାଣ ଶ୍ରମିକ ମାନଙ୍କୁ ୧୫୦୦ ଟଙ୍କା ଲେଖାଏ ଦିଆଯାଇଥିଲା ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ ସମୟରେ ଏହି ସହାୟତା ନିର୍ମାଣ ଶ୍ରମିକଙ୍କ ଅସୁବିଧାକୁ ହ୍ରାସ କରିବାରେ ସହାୟକ ହେବ। ଅର୍ଥନୀତିରେ ଶ୍ରମିକ ମାନଙ୍କ ଗୁରୁତ୍ବ ବିଷୟରେ ଉଲ୍ଲେଖକରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶ୍ରମିକ ମାନଙ୍କ କଲ୍ୟାଣ ବିନା ଅର୍ଥନୀତି କେବେ ବି ସମୃଦ୍ଧ ହୋଇପାରିବ ନାହିଁ ।

ନିର୍ମାଣ ଶ୍ରମିକ ମାନଙ୍କୁ ଜଣେ ଜଣେ ବିଶ୍ବକର୍ମା ଭାବରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅନ୍ୟର ସୁବିଧା ପାଇଁ ସେମାନେ ନିଜ ସୁଖକୁ ଭୁଲିଯାନ୍ତି । ଖରାକୁ ପିଠି ଦେଖାଇ ବଡ ବଡ କୋଠା ତିଆରି କରନ୍ତି । ନିଜେ ଜଳି ଅନ୍ୟକୁ ଆଲୋକ ଦେଖାନ୍ତି । ନିଜେ ଅସୁବିଧାରେ ରହି ଅନ୍ୟ ପାଇଁ ଭଲ ଘର ତିଆରି କରନ୍ତି । ରାସ୍ତା, ସେତୁ ଆଦି କରନ୍ତି । ବିକାଶର ପ୍ରତିଟି ପୃଷ୍ଠାରେ ରହିଛି ଆମର ନିର୍ମାଣ ଶ୍ରମିକ ମାନଙ୍କର ତ୍ୟାଗ ଓ ପରିଶ୍ରମର କାହାଣୀ । ଗରିବ ଲୋକର ତ୍ୟାଗକୁ ସମ୍ମାନ ଦ୍ବାରା ହିଁ ଆମେ ବିକାଶ ସହ ସମସ୍ତଙ୍କ ଯୋଡି ପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି ସହାୟତା ପାଇଥିବାରୁ ନିର୍ମାଣ ଶ୍ରମିକ ମାନେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ଆନ୍ତରିକ କୃତଜ୍ଞତା ଜଣାଇଥିଲେ । ଗଞ୍ଜାମର ରବୀନ୍ଦ୍ର ପ୍ରଧାନ, କଟକର ନବଘନ ପରିଡା, ବରଗଡର କେଶବ ପ୍ରଧାନ, ସୁନ୍ଦରଗଡର ରେଣୁ ମିଞ୍ଜ — ସମସ୍ତଙ୍କ ମୁହଁରେ ଗୋଟିଏ ଭାଷା ଥିଲା – ଧନ୍ୟବାଦ ମୁଖ୍ୟମନ୍ତ୍ରୀ ଆଜ୍ଞା। ଆପଣଙ୍କ ସହାୟତା ଆମକୁ ଏ ବିପଦ ସମୟରେ ବଞ୍ଚିବର ରାହା ଦେଇଛି । ଗତ ବର୍ଷ ୧୫୦୦ ଟଙ୍କା ପାଇଥିଲୁ, ଏ ବର୍ଷ ମଧ୍ୟ ପାଇଲୁ । ତାସହିତ ପିଲାଙ୍କ ପାଠପଢା, ସାଇକେଲ, ଝିଅ ବାହାଘର – ସବୁ ସମୟରେ ଆମେ ସହାୟତା ପାଉଛୁ ବୋଲି ଖୁସିରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ମଧ୍ୟ ସେମାନଙ୍କୁ କେତେ ଟଙ୍କା ପାଇଛ ବୋଲି ପଚାରି ବୁଝିଥିଲେ ।

କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରମ ଓ ଇ.ଏସ୍‌.ଆଇ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ନିର୍ମାଣ ଶ୍ରମିକଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ, ଶ୍ରମ ଆଇନର କାର୍ଯ୍ୟକାରୀତା ଓ ନାଗରିକ କେନ୍ଦ୍ରୀକ ଯୋଜନା ଉପରେ ଆଲୋକପାତ କରିଥିଲେ ।

ଓଡିଶା କୋଠାବାଡି ଓ ଅନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ କହିଥିଲେ ଯେ ବୋର୍ଡ ଅଧୀନରେ ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ୩୨ଟି ଯୋଜନା କାର୍ଯ୍ୟକାରୀ କରାଯାଉଛି ଏବଂ ଏହିସବୁ ସେବାକୁ ୫-ଟି ଜରିଆରେ ଦକ୍ଷତାର ସହ ତୁରନ୍ତ ଯୋଗାଇ ଦିଆଯାଉଛି।

ଏହି କାର୍ଯ୍ୟକ୍ରମରେ ବ୍ରଜରାଜନଗରର ବିଧାୟକ କିଶୋର ମହାନ୍ତି ଓ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ପ୍ରମୁଖ ସେମାନଙ୍କର ମତାମତ ରଖି ଏହି ଗରିବ ଓ ଶ୍ରମିକ କଲ୍ୟାଣ ଯୋଜନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବର ଉଚ୍ଚପ୍ରଶଂସା କରିଥିଲେ ।

ଶ୍ରମ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ବିଭାଗୀୟ ସଚିବ ଚିତ୍ରା ଅର୍‌ମୁଗମ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଶ୍ରମ କମିଶନର ଧନ୍ୟବାଦ ଅର୍ପଣ କରିଥିଲେ।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପି.କେ.ଜେନା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ସାରା ରାଜ୍ୟର 314ବ୍ଲକ ର ନିର୍ମାଣ ଶ୍ରମିକ ମାନେ ଭିଡ଼ିଓ କନ୍ ଫରେନସ ଜରିଆରେ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version