ଭୁବନେଶ୍ୱର ୧୩/୧୨ : ଓଡ଼ିଶାରେ ଆର୍ବିଏଲ୍ ବ୍ୟାଙ୍କର ପ୍ରଥମ ଶାଖାକୁ ଗୁରୁବାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ଶ୍ରୀ ପାଢ଼ୀ ବ୍ୟାଙ୍କ ଶାଖା ନଥିବା ଅଧିକରୁ ଅଧିକ ଗ୍ରାମାଂଚଳରେ ଅର୍ବିଏଲ୍ ଶାଖା ଖୋଲିବା ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ । ଗ୍ରାମାଂଚଳରେ ଶାଖା ଖୋଲିଲେ ବ୍ୟାଙ୍କ ବାସ୍ତବରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶରେ ସହାୟକ ହୋଇପାରିବ ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ ।
ଏହି ଅବସରରେ ଆର୍ବିଏଲ୍ ବ୍ୟାଙ୍କର ଆର୍ଥିକ ଅନୁଷ୍ଠାନ ମୁଖ୍ୟ ଦୀପକ ଗଢ଼ାୟାନ୍ କହିଥିଲେ ଯେ, ଆର୍ବିଏଲ୍ ଭାରତର ଏକ ଦ୍ରୁତ ବିକାଶଶୀଳ ବ୍ୟାଙ୍କ । ଦେଶର ବିଭନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ବର୍ତ୍ତମାନ ବ୍ୟାଙ୍କର ୨୬୯ଟି ଶାଖା କାମ କରୁଛି । ନିକଟ ଭବିଷ୍ୟତରେ ଓଡ଼ିଶାର ଯାଜପୁର ଏବଂ ପାରାଦ୍ୱୀପଠାରେ ଆଉ ୨ଟି ଶାଖା ଖୋଲିବ । ଆରବିଏଲ୍ର ଓଡ଼ିଶା ମୁଖ୍ୟ ଇଶନ ସାମନ୍ତରାୟ କହିଥିଲେ ଯେ, ଆର୍ବିଏଲ୍ ବ୍ୟାଙ୍କ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଅନେକ ପ୍ରତିଷ୍ଠା ଓ ସ୍ୱୀକୃତି ପାଇଛି । ଏହି ବ୍ୟାଙ୍କ ଉଭୟ ଏନ୍ଏସ୍ଇ ଏବଂ ବିଏସ୍ଇ ବ୍ୟବସ୍ଥାର ମଧ୍ୟ ତାଲିକାଭୁକ୍ତ ବୋଲି ଶ୍ରୀ ସାମନ୍ତରାୟ କହିଥିଲେ ।
ଏହି ଉଦ୍ଘାଟନୀ ଉତ୍ସବରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ମନୋଜ କୁମାର ମିଶ୍ର, ଆନୁଷ୍ଠାନିକ ଆର୍ଥିକ ବ୍ୟବସ୍ଥାର ନିର୍ଦ୍ଦେଶକ ପ୍ରଦୀପ କୁମାର ବିଶ୍ୱାଳ, ପୋଲିସ ହାଉସିଂ କର୍ପୋରେସନ୍ର ପରିଚାଳନା ନିର୍ଦ୍ଦେଶକ ଲଳିତ ଦାସଙ୍କ ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଘରୋଇ ବ୍ୟବସାୟିକ ପ୍ରତିଷ୍ଠାନ ଓ ବ୍ୟବସାୟିକ ସଂସ୍ଥାର ପ୍ରତିନିଧିମାନେ ଯୋଗ ଦେଇଥିଲେ । ସ୍ଥାନୀୟ ଜୟଦେବବିହାର ଠାରେ ଏହି ବ୍ୟାଙ୍କର ପ୍ରଥମ ଶାଖା ଉଦ୍ଘାଟି ହୋଇଛି ।