ଭୁବନେଶ୍ୱର ୭/୧୨ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ନେଇ ଏବେ କଂଗ୍ରେସରେ କନ୍ଦଳ ବଢ଼ିବାରେ ଲାଗିଛି । ତାଙ୍କୁ ଦଳରୁ ଅପସାରଣ କରିବା ପାଇଁ କଂଗ୍ରେସର କିଛି ନେତା ପ୍ରୟାସ ଆରମ୍ଭ କରିଦେଇଥିବାବେଳେ ଏହାର ଠୋସ୍ ଜବାବ ଦେବାକୁ ପଛାଇ ନାହାନ୍ତି ଶ୍ରୀକାନ୍ତ । ଗତକାଲି ରାଜ୍ୟ କଂଗ୍ରେସ ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ଶ୍ରୀ ଜେନାଙ୍କୁ ହଟାଯିବା ପରେ ଦଳରେ ଏ ପ୍ରକାର ହଟଚମଟ ସୃଷ୍ଟି ହୋଇଛି ।
ରାଜ୍ୟ କଂଗ୍ରେସ ଶୃଙ୍ଖଳା କମିଟି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଶ୍ରୀ ଜେନାଙ୍କୁ ଅଧିକ ବିଶୃଙ୍ଖଳା ସୃଷ୍ଟି ନ କରିବା ପାଇଁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, ଦଳରେ ବିଶୃଙ୍ଖଳାକୁ ଆଦୋ÷ ବରଦାସ୍ତ କରାଯିବ ନାହିଁ । ଅଧିକ ବିଶୃଙ୍ଖଳିତ ହେଲେ ତାଙ୍କୁ ଦଣ୍ଡ ଭୋଗିବାକୁ ପଡ଼ିପାରେ । ବିଶୃଙ୍ଖଳା ପାଇଁ କାରଣ ଦର୍ଶାଅ ନୋଟିସ୍, ନିଲମ୍ବନ ଓ ବହିଷ୍କାର ଭଳି ଅନେକ ଦଣ୍ଡ ରହିଛି । ତେଣେ ଦଳର ବରିଷ୍ଠ ନେତା ତାରା ବାହିନୀପତି କହିଛନ୍ତି ଯେ, ଯିଏ ଦଳ ବିରୁଦ୍ଧରେ କାର୍ଯ୍ୟ କରୁଛନ୍ତି ସିଏ ଦଳରୁ ବିଦା ହେବା ଦରକାର । ଶ୍ରୀକାନ୍ତ ଜେନାଙ୍କୁ ଚକ୍ରାନ୍ତ ଜେନା ବୋଲି କୁହାଯାଇଥାଏ ବୋଲି ମଧ୍ୟ କହିବାକୁ ଶ୍ରୀ ବାହିନୀପତି ପଛାଇନାହାନ୍ତି ।
ତେଣେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଦଳରେ ବିଶୃଙ୍ଖଳାର ସ୍ଥାନ ନାହିଁ । ଯେଉଁମାନେ ଦଳ ବିରୋଧୀ ମନ୍ତବ୍ୟ ଦେଉଛନ୍ତି, ସେମାନଙ୍କ ମନ୍ତବ୍ୟ ସମ୍ପର୍କରେ ଯାଞ୍ଚ କରାଯିବ । ଯଦି ଅଭିଯୋଗର ସତ୍ୟତା ସମ୍ପର୍କରେ ପ୍ରମାଣ ମିଳିବ ତେବେ କାର୍ଯ୍ୟାନୁଷ୍ଠାନ ଲାଗି ସୁପାରିଶ କରାଯିବ ।
ଅପରପକ୍ଷରେ ଶ୍ରୀକାନ୍ତ ଜେନା ଏହାର ମୁହଁ ତୋଡ ଜବାବ ଦେଇଛନ୍ତି । ସେ କହିଛନ୍ତି ଯେ, ଦଳୀୟ ବ୍ୟବସ୍ଥାରେ ସଂସ୍କାର ପାଇଁ କହିବାରୁ ମୁଁ ସମସ୍ତଙ୍କ ଶତ୍ରୁ ହୋଇଛି । କଂଗ୍ରେସ ଇସ୍ତାହାର କମିଟିର ଅଧ୍ୟକ୍ଷ ହେବାପରେ ସେ ଏକ ମୁଖବନ୍ଧ ଲେଖିଥିଲେ, ସେଥିରେ ଦଳରେ ଥିବା ଖଣିମାଫିଆଙ୍କୁ ହଟାଯିବା ସହ କଂଗ୍ରେସ କ୍ଷମତାକୁ ଆସିଲେ ପଛୁଆବର୍ଗର ଜଣେ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପସ୍ତାବ ଦେଇଥିଲେ । କେବଳ ସେତିକି ନୁହେଁ ଅନୁସୂଚିତ ଜାତି ଓ ଉପଜାତି ବର୍ଗର ନେତାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦେବାକୁ କହିଥିଲେ । ତେବେ ଏକଥା ବାହାରେ ନ କହିବା ପାଇଁ ଓଡ଼ିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ ତାଙ୍କୁ ପରାମର୍ଶ ଦେଇଥିଲେ । ରାଜ୍ୟରେ କଂଗ୍ରେସ ଶାସନର ୯୪% ଦୁଇଟି ପରିବାରର ଲୋକଙ୍କ ମଧ୍ୟରେ ସୀମିତ ରହିଥିବାରୁ ସେ ଏହାର ପ୍ରତିବାଦ କରିଥିଲେ । ସତ କଥା କହିଥିବାରୁ ତାଙ୍କୁ ଅଧ୍ୟକ୍ଷ ପଦରୁ କଢ଼ାଯାଇଛି । ସେ ଏହା ବିରୁଦ୍ଧରେ ଗାଁ ଗାଁ ବୁଲି ଜନମତ ଲୋଡ଼ିବେ ବୋଲି ଶ୍ରୀ ଜେନା ଚେତାବନୀ ଦେଇଛନ୍ତି ।