ଭୁବନେଶ୍ୱର ୨୬/୧୨ : ବିଜେଡ଼ି ଆଜି ନିଜର ୨୧ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବା ବେଳେ ରାଜ୍ୟସରକାରଙ୍କ ବିକାଶ ସ୍ଲୋଗାନ ଉପରେ ପ୍ରଶ୍ନବାଚୀ ଆଣି କଂଗ୍ରେସ ପାଳନ କରିଛି କଳା ଦିବସ । କଂଗ୍ରେସ କର୍ମୀମାନେ ବ୍ଲକ୍ ଅଫିସ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୁହଁରେ କଳାପଟି ବାନ୍ଧି ବିକ୍ଷୋଭ କରିଛନ୍ତି । ଦଳ ଅଭିଯୋଗ କରିଛି ଯେ, ବିଜେଡ଼ି ସରକାରଙ୍କ ବିକାଶ କାର୍ଯ୍ୟକ୍ରମ କେବଳ ସ୍ଲୋଗାନରେ ସୀମିତ ରହିଛି । ବାସ୍ତବରେ ଲୋକମାନେ ରାଜ୍ୟ ସରକାରଙ୍କ ବିକାଶ ଯୋଜନା ଦ୍ୱାରା ଉପକୃତ ହୋଇପାରୁନାହାନ୍ତି । ଆମ ଗାଁ ଆମ ବିକାଶ ଯୋଜନା ହେଉ ବା ପିଠା ଯୋଜନା ! ସବୁ କ୍ଷେତ୍ରରେ ସରକାର ବିଫଳ ହୋଇଛନ୍ତି । ଏହାର ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଆଜି କଳା ଦିବସ ପାଳନ କରାଯାଇଛି ।
ଏହି ଅବସରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକାଶକୁ ନେଇ ଚିକ୍ରାର ଛାଡ଼ୁଛନ୍ତି ସତ, ହେଲେ ରାଜ୍ୟରେ ପ୍ରକୃତ ବିକାଶ ହେଉନାହିଁ । ରାଜ୍ୟ ଉପରେ ୯୩ ହଜାର କୋଟି ଟଙ୍କାର ଋଣ ବୋଝ କ’ଣ ବିକାଶର ସଫଳ ଚିତ୍ର ? ଏବେବି ରାଜ୍ୟରେ ୬୫% ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି । ଚାଷୀମାନେ ହନ୍ତସନ୍ତ ହୋଇ ପ୍ରାଣ ହରାଉଛନ୍ତି । ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ହୋଇପାରୁନାହିଁ । ୮୫ ଲକ୍ଷ ଯୁବକ-ଯୁବତୀ ବେକାର ଅଛନ୍ତି । ଏହା କି ପ୍ରକାର ବିକାଶ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।