ଭୁବନେଶ୍ୱର ୭/୪ : କଂଗ୍ରେସ ଲୋକଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ପ୍ରୟାସ କରିଛି । ଦଳ ସମସ୍ତ ବର୍ଗଙ୍କୁ ତାର ନିର୍ବାଚନୀ ଇସ୍ତାହାର ମାଧ୍ୟମରେ ଖୁସି କରିବାକୁ ଚେଷ୍ଟା କରିଛି । ଯୁବକଙ୍କଠାରୁ ଆରମ୍ଭ କରି ବୃଦ୍ଧ, ମହିଳା ଏବଂ ବେକାରୀଙ୍କ ଠାରୁ ଆରମ୍ଭ କରି ଚାଷୀଙ୍କ ପାଇଁ ହାତ ଖୋଲି ଦେଇଛି କଂଗ୍ରେସ । ସରକାରକୁ ଆସିଲେ ମହିଳାଙ୍କୁ ମାସିକ ୬୦୦୦ ଟଙ୍କା, କୃଷି ଋଣ ଛାଡ଼, ଭୂମିହୀନଙ୍କୁ ଜମି ଓ ବେକାରୀ ଭତ୍ତା ପ୍ରଦାନ କରିବ ଦଳ । ରବିବାର ଦଳୀୟ କାର୍ୟ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।
କଂଗ୍ରେସ ଶାସନକୁ ଆସିଲେ କୃଷି ଋଣ ଛାଡ଼ କରିବାକୁ ପ୍ରତିଶ୍ରୁତି ଦେଇଛି । ଖାଲି ସେତିକି ନୁହେଁ ଯିଏ ଋଣ ପରିଶୋଧ କରିଥିବେ ସେମାନଙ୍କ ଟଙ୍କାକୁ ଫେରସ୍ତ କରାଯିବ । ସେହିପରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୬୦୦ଟଙ୍କା କରାଯିବ । ସୋଲାର ପମ୍ପ ଯୋଗାଇ ଦେବା ସହ ଚାଷ ପାଇଁ ବିଦ୍ୟୁତ ଶୁଳ୍କ ଛାଡ଼ କରାଯିବ । ଚାଷୀଙ୍କୁ ୩ ବର୍ଷ ଯାଏଁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ଦେବ ।
ସେହିପରି ଗରିବ ମହିଳାଙ୍କୁ ମାସିକ ୬୦୦୦ଟଙ୍କା ଦେବ କଂଗ୍ରେସ ସରକାର । ମହିଳାକୁ ଦ୍ୱାଦଶ ଶ୍ରେଣୀ ଯାଏଁ ମାଗଣା ଶିକ୍ଷା ଦିଆଯିବ । ଲୋକସଭା ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ କଥା ବିଜେଡ଼ି କହୁଥିବାବେଳେ କଂଗ୍ରେସ ଟିକେ ଓଲଟା ବାଟ ଆପଣାଇଛି । ସେ ଚାକିରି କ୍ଷେତ୍ରରେ ଏହି ନିୟମକୁ ଲାଗୁ କରିବ । ଏହା ସହ ଗରିବ ପରିବାରର ଝିଅଙ୍କ ବିବାହ ପାଇଁ ସହାୟତା ରାଶି ମଧ୍ୟ ଦିଆଯିବ । ଏମିତିକି ମହିଳାଙ୍କ ନାଁରେ ଥିବା ସମସ୍ତ ମାମଲାକୁ ପ୍ରତ୍ୟାହାର କରାଯିବ ।
ସେପଟେ ବେକାରୀ ଯୁବକଙ୍କୁ ଲଲିପପ୍ ଦେବାକୁ ଚେଷ୍ଟା କରିଛି ଦଳ । ସମସ୍ତ ଯୁବକଙ୍କୁ ସରକାରୀ ଓ ବେସରକାରୀ ଚାକିରି ମିଳିବ । ଯେ ପର୍ୟ୍ୟନ୍ତ ଯୁବକଙ୍କୁ ନିଯୁକ୍ତି ମିଳିନି ସେ ଯାଏଁ ମାସିକ ୩୦୦୦ ଟଙ୍କା ଦେବ । ସରକାରୀ ଓ ବେସରକାରୀ କ୍ଷେତ୍ରରେ ବୟସ ସୀମା ବୃଦ୍ଧି କରାଯିବ । ଏହା ସହିତ ସବୁ କ୍ଷେତ୍ରରେ କଣ୍ଟ୍ରାକଚୁଆଲ୍ ବ୍ୟବସ୍ଥାକୁ ଉଠାଇ ସବୁ ଚାକିରିକୁ ନିୟମିତ କରାଯିବ । ଶିକ୍ଷକମାନଙ୍କୁ ସେଣ୍ଟ୍ରାଲ ପେ ସ୍କେଲରେ ଦରମା ଦିଆଯିବ ।
ସେହିପରି ବୁଢ଼ା ବଢ଼ୀଙ୍କୁ ଦଳ ଖୁସି କରିବାକୁ ଚେଷ୍ଟା କରିଛି । କଂଗ୍ରେସ ସରକାର ବାର୍ଦ୍ଧକ୍ୟ ଭତ୍ତା ୧୫୦୦ ଟଙ୍କା ଦେବ । ଯାହା ଏବେ ୫୦୦ ଟଙ୍କା ଦିଆଯାଉଛି ।