ନୂଆଦିଲ୍ଲୀ ୨୫/୩ :୨୦୧୯ରେ ଦିଲ୍ଲୀ ଗାଦି ଅକ୍ତିଆର କରିବା ପାଇଁ ଆରମ୍ଭ ହୋଇଯାଇଛି ମହାସମର । ସମସ୍ତ ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ନିର୍ବାଚନୀ ମଇଦାନକୁ ଓଲହାଇବା ପାଇଁ ସିପାହୀ ପ୍ରସ୍ତୁତ କରିସାରିଛନ୍ତି । ଲୋକଙ୍କ ନିକଟତର ହେବାପାଇଁ ଏବେ ପ୍ରତିଶ୍ରୁତିର ସୁଅ ଛୁଟିବାରେ ଲାଗିଛି ।
ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ଖେଳିଲେ ଗରିବି କାର୍ଡ଼ । ଦେଶର ୨୫ ଲକ୍ଷ ଭୋଟରଙ୍କୁ ସାଧିବା ପାଇଁ ଗୋଟିଚାଳନା କରିଛନ୍ତି ରାହୁଲ ଗାନ୍ଧୀ । କଂଗ୍ରେସ କ୍ଷମତାକୁ ଆସିଲେ ପ୍ରତ୍ୟେକ ବର୍ଷ ଗରିବ ପରିବାରଙ୍କୁ ୭୨ ହଜାର ଟଙ୍କା ଦେବ ବୋଲି କହିଛନ୍ତି ରାହୁଲ । କଂଗ୍ରେସ ସରକାର ଗଠନ ହେଲେ ଦେଶର ୨୦ ପ୍ରତିଶତ ଗରିବ ପରିବାରଙ୍କୁ ପ୍ରତ୍ୟେକ ବର୍ଷ ୭୨ ହଜାର ଟଙ୍କା ଦିଆଯିବ । ନିଜର ଜେଜେ ମା ଇନ୍ଦିରା ଗାନ୍ଧୀଙ୍କ ଗରିବୀ ହଟାଓ ନାରା ଆଧାରରେ ରାହୁଲ ଦେଶରୁ ଗରିବୀ ହଟାଇବେ ବୋଲି କହିଛନ୍ତି । ସେ କହିଛନ୍ତି ଯେ ସର୍ବନିମ୍ନ ଆୟର ଏହି ଯୋଜନାକୁ ପର୍ୟ୍ୟାୟକ୍ରମେ ଲାଗୁ କରାଯିବ ଏବଂ ଗରିବୀଙ୍କ ବ୍ୟାଙ୍କ ଆକାଉଂଟକୁ ସିଧାସଳଖ ଏହି ଟଙ୍କା ଯିବ ।
କଂଗ୍ରେସର ଏହି ଯୋଜନାକୁ ମନେରଗା ପାର୍ଟ-୨ କୁହାଯାଉଛି । ଯେଉଁ ପରିବାରର ମାସିକ ଆୟ ୧୨ ହଜାରରୁ କମ ସେହି ପରିବାରର ବ୍ୟାଙ୍କ ଖାତାକୁ ୭୨ ହଜାର ଟଙ୍କା ଯିବ । ଦେଶର ୫ କୋଟି ପରିବାର ଓ ୨୫ କୋଟି ଲୋକଙ୍କୁ ଏହି ଯୋଜନାର ଫାଇଦା ସିଧା ମିଳିବ ବୋଲି କହିଛନ୍ତି ରାହୁଲ ।ସର୍ବନିମ୍ନ ଆୟ ଯୋଜନା ଆରମ୍ଭ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ । କଂଗ୍ରେସ ଏହି ଯୋଜନାର ନାମ ରଖିଛି ‘ଘଣଇଣ’ । ତେବେ ଏବେ ଦେଖିବା ପାଇଁ ବାକି ରହିଲା ରାହୁଲ ଗାନ୍ଧୀ ଏହି ଯୋଜନା ଆଳରେ ଲୋକଙ୍କୁ ଆକର୍ଷିତ କରିପାରୁଛନ୍ତି ନା ନାହିଁ ।
କଂଗ୍ରେସ କୃଷକଙ୍କୁ ଋଣ ଛାଡ଼ ପ୍ରତିଶ୍ରୁତି ଦେଇ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ବିଧାନସଭା ନିର୍ବାଚନ ଜିତିବାରେ ସଫଳ ହୋଇଥିଲା । ୨୦୧୯ ନିର୍ବାଚନ ପୂର୍ବରୁ ଆଉ ଏକ ବଡ଼ ଗୋଟିଚାଳନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ । ଦେଶରେ ଗରିବଙ୍କୁ ସର୍ବନିମ୍ନ ଆୟର ଗ୍ୟାରେଣ୍ଟି ପ୍ରଦାନ ଉପରେ ଗୁରୁତ୍ୱ ଦେଇଛନ୍ତି ରାହୁଲ ଗାନ୍ଧୀ । ଗରିବଙ୍କ ଜମାଖାତାରେ ଏହି ଟଙ୍କା ସିଧାସଳଖ ଜମା କରାଯିବ ବୋଲି ରାହୁଲ କହିଛନ୍ତି ।