କଟକ ୫/୧୨ : ରାଜ୍ୟର ଦ୍ରୁତ ବିକାଶ ପାଇଁ ବିଜେଡ଼ି ସରକାର ଦୃଢ଼ ପରିକର ଓ ରାଜ୍ୟବାସୀଙ୍କ ଜୀବନଧାରଣ ମାନରେ ଉନ୍ନତି ପାଇଁ କ୍ରମାଗତ ପ୍ରୟାସ କରିଚାଲିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ବୁଧବାର କଟକର ସିଡିଏରେ ଏକ ଅତ୍ୟାଧୁନିକ ସିୱେଜ୍ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟର ଉଦ୍ଘାଟନ କରିବା ଅବସରରେ ସେ କହିଛନ୍ତି ଯେ, ଗ୍ରାମାଞ୍ଚଳ ସହ ସହରାଞ୍ଚଳର ବାସିନ୍ଦାମାନଙ୍କୁ ସବୁ ପ୍ରକାର ସୁଖ-ସ୍ୱାଛନ୍ଦ୍ୟ ଯୋଗାଇ ଦେବାପାଇଁ ଅନେକ ଯୋଜନା ଓ ପ୍ରକଳ୍ପ ହାତକୁ ନେଇଛନ୍ତି । ସେ ଏ ଦିଗରେ ସାହାଯ୍ୟ କରିବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ ।
କଟକରେ ଆଜି ତାଙ୍କ ଦ୍ୱାରା ଉଦ୍ଘାଟିତ ସିୱେଜ୍ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟର ଦୈନିକ ବିଶୋଧନା କ୍ଷମତା ହେଲା ୩ କୋଟି ୬୦ ଲିଟର । ଏଥିରେ ୧୧୦ କୋଟି ଟଙ୍କା ବ୍ୟୟ କରାଯାଇଛି । ଶ୍ରୀ ପଟ୍ଟନାୟକ ମଧ୍ୟ ସିଡିଏ ସେକ୍ଟର-୧୩ରେ ମୋ÷ଲାନା ଆଜାଦ୍ ଜାତୀୟ ଉର୍ଦ୍ଦୁ ବିଶ୍ୱବିଦ୍ୟାଳୟ କଟକ କ୍ୟାମ୍ପସର ଶୀଳାନ୍ୟାସ କରିଛନ୍ତି । ସେ ଖ୍ରୀଷ୍ଟ କଲେଜରେ ଦୁଇଟି ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ଓ ଛାତ୍ରୀ ନିବାସର ମଧ୍ୟ ଶୀଳାନ୍ୟାସ କରିଛନ୍ତି । ଗୋପାଳପୁର ଠାରେ ପଛୁଆବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ୫୦୦ ଶଯ୍ୟା ବିଶିଷ୍ଟ ଏକ ଛାତ୍ରାବାସ ଓ ଏକ ଛାତ୍ରୀ ନିବାସର ମଧ୍ୟ ସେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।