National

କଟକ ସହର ରୂପାନ୍ତରୀକରଣ: ତାଳଦଣ୍ଡାର ଦୁଇ ପାର୍ଶ୍ବରେ ତିନି ଥାକିଆ ରାସ୍ତା ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଘାଟିତ

Published

on

କଟକ: ପ୍ରାଚୀନ ସହର କଟକର ରୂପାନ୍ତରୀକରଣ ପ୍ରକ୍ରିୟାର ପ୍ରଥମ ପାହାଚ ସ୍ବରୂପ ଆଜି ଶ୍ରୀରାମଚନ୍ଦ୍ରଭଂଜ ମେଡିକାଲ କଲେଜକୁ ସଂଯୋଗ କରୁଥିବା ରାସ୍ତା ଜୋବ୍ରାରୁ ରାଣୀହାଟ ପର୍ଯ୍ୟନ୍ତ ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ବରୁ ନିର୍ମିତ ତିନି ଥାକିଆ ରାସ୍ତାକୁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ରେକର୍ଡ ୭ ମାସ ସମୟ ମଧ୍ୟରେ ଶେଷ ହୋଇଥିବା ୧୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ନୂଆ ରାସ୍ତା ଦ୍ବାରା କଟକ ବାହାରୁ ଆସୁଥିବା ରୋଗୀମାନେ ବିନା ଟ୍ରାଫିକ ସମସ୍ୟାରେ ସିଧା କଟକ ବଡ ମେଡିକାଲରେ ପହଞ୍ଚିପାରିବେ ଏବଂ ତୁରନ୍ତ ଚିକିତ୍ସା ସୁବିଧା ପାଇପାରିବେ ।

ଏହି ନୂଆ ରାସ୍ତାକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଲେ ଯେ ହଜାର ବର୍ଷର ଏହି କଟକ ସହରର ମୁଖ୍ୟ ସମସ୍ୟା ହେଉଛି ଗହଳିପୂର୍ଣ୍ଣ ସଂକୀର୍ଣ୍ଣ ରାସ୍ତା ଯାହା କି ଯାତାୟତରେ ଆସୁବିଧା ସୃଷ୍ଟି କରିଥାଏ।ତେଣୁ ଏହାକୁ ଆଧୁନିକ ରୂପ ଦେବା ଉପରେ ରାଜ୍ୟ ସରକାର ପ୍ରାଥମିକତା ଦେଇ କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଜନସାଧାରଣଙ୍କ ମତାମତକୁ ଭିତ୍ତିକରି ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ବର ରାସ୍ତାକୁ ଆଗାମୀ ଦିନରେ ଆହୁରି ସଂପ୍ରସାରିତ କରାଯିବ ଏବଂ ଏଥିପାଇଁ ବିସ୍ତାପିତ ହେଉଥିବା ଲୋକମାନଙ୍କୁ ମାନବିକତା ଦୃଷ୍ଟିକୋଣରୁ ଉପଯୁକ୍ତ ଭାବରେ ଥଇଥାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶ୍ରୀରାମଚନ୍ଦ୍ରଭଂଜ ମେଡିକାଲ କଲେଜ ତାର ଉଚ୍ଚକୋଟୀର ସେବା ପାଇଁ କେବଳ ଓଡିଶା ନୁହେଁ, ଅନ୍ୟ ରାଜ୍ୟରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି ।ପ୍ରତିଦିନ ରାଜ୍ୟ ବାହାରୁ ଏଠାକୁ ଚିକିତ୍ସା ପାଇଁ ବହୁ ଲୋକ ଆସିଥାନ୍ତି। ତେଣୁ ଏହି ମହାନ ଅନୁଷ୍ଠାନକୁ ଏକ ବିଶ୍ବସ୍ତରୀୟ ଅନୁଷ୍ଠାନ ଭାବରେ ଗଢିତୋଳିବା ପାଇଁ ରାଜ୍ୟ ସରକାର ଦୃଢ ସଂକଳ୍ପ ନେଇଛନ୍ତି । ଏ ଦିଗରେ ତାଳଦଣ୍ଡାର କେନାଲର ନୂଆ ରାସ୍ତା ହେଉଛି ଶୁଭାରମ୍ଭ ବୋଲି ଶ୍ରୀ ପଟନାୟକ କହିଥିଲେ।

ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ସମୟରେ କଟକବାସୀ ଯେପରି ତ୍ୟାଗ ଓ ସହଯୋଗ କରିଛନ୍ତି, ସେଥିପାଇଁ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ଏବଂ କୋଭିଡ ସମୟରେ ମଧ୍ୟ ଦିନରାତି କାମ କରି ଏହି ରାସ୍ତା ପ୍ରକଳ୍ପକୁ ରେକର୍ଡ ସମୟରେ ଶେଷ କରିଥିବାରୁ ପୂର୍ତ୍ତ ବିଭାଗ ଓ କଟକ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଥିଲେ ।

ଏହି ଅବସରରେ ଉଦ୍‌ବୋଧନ ଦେଇ ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ ଦାସ ରାଜ୍ୟରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏହି ନୂଆ ରାସ୍ତା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କହିଥିଲେ।

ନଗର ଉନ୍ନୟନ ଓ ଆଇନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ତାଙ୍କ ଭାଷଣରେ ଶ୍ରୀରାମଚନ୍ଦ୍ରଭଂଜ ମେଡିକାଲ କଲେଜକୁ ବିଶ୍ବସ୍ତରୀୟ କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟକୁ ସାକାର କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

ପୂର୍ତ୍ତ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଥିଲେ ଯେ ରାଜ୍ୟବାସୀଙ୍କ ଆବଶ୍ୟକତାକୁ ପ୍ରାଥମିକତା ଦେଇ ମୁଖ୍ୟମନ୍ତ୍ରୀ ସବୁବେଳେ କାର୍ଯ୍ୟ କରି ଆସିଛନ୍ତି । ଏହି ନୂଆ ରାସ୍ତା ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶୃତି ପୂରଣର ଜ୍ବଳନ୍ତ ଉଦାହରଣ ବୋଲି ସେ କହିଥିଲେ ।

କଟକ-ଚୌଦ୍ବାର ବିଧାୟକ ଶ୍ରୀ ସୌଭିକ ବିଶ୍ବାଳ ତାଙ୍କର ଭାଷଣରେ କଟକର ରୂପାନ୍ତୀକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମର ଉଚ୍ଚପ୍ରଶଂସା କରିଥିଲେ।

ଜଳସଂପଦ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ ତାଳଦେଣ୍ଡା କେନାଲର ଲାଇନିଂ କାମ ଖୁବ୍‌ ଶୀଘ୍ର ଆରମ୍ଭ କରାଯିବା ସହିତ ଏଥିରେ ବୋଟ ଓ କ୍ରୀଡା ବ୍ୟବସ୍ଥାର ବିକାଶ କରାଯିବ ବୋଲି ସୂଚନା ଦେଇଥିଲେ ।

କାର୍ଯ୍ୟକ୍ରମ ସଂଯୋଜନା କରି ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କଟକବାସୀ ପାଇଁ ଏହା ଏକ ଐତିହାସିକ ମୁହୂର୍ତ୍ତ ଭାବରେ ବର୍ଣ୍ଣନା କରିଥିଲେ ।

କଟକ ଜିଲ୍ଲାପାଳ ସ୍ବାଗତ ଭାଷଣ ଦେଇଥିଲେ ଏବଂ କଟକ ମହାନଗର ନିଗମର କମିଶନର ଧନ୍ୟବାଦ ଅର୍ପଣ କରିଥିଲେ ।

ଉଲ୍ଲେଖଯୋଗ୍ୟ ଯେ ଜୋବ୍ରା ରିଂଗ୍‌ ରୋଡ ଠାରୁ ରାଣୀହାଟକୁ ସଂଯୋଗ କରୁଥିବା ତାଳଦଣ୍ଡା କେନାଲ ଉଭୟ ପାର୍ଶ୍ବର ଏହି ତିନି ଥାକିଆ ରାସ୍ତାର ଲମ୍ବ ଦେଢ କିଲୋମିଟର ଏବଂ ୧୫ ମିଟର ଚଉଡା। ଏହି ପ୍ରକଳ୍ପ ପାଇଁ ବିସ୍ତାପିତ ହୋଇଥିବା ୬୦୦ ପରିବାରକୁ ଉପଯୁକ୍ତ ଭାବରେ ଥଇଥାନ କରାଯାଇଛି।

ଏଥିରେ ପାଦଚଲା ରାସ୍ତା ସହିତ ପାର୍କିଂ, ସୌନ୍ଦର୍ଯ୍ୟକରଣ ଏବଂ ଆଲୋକୀକରଣ ମଧ୍ୟ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଆର ବଳାକୃଷ୍ଣନ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରଦୀପ୍ତ ମହାପାତ୍ର, ପୂର୍ତ୍ତ ସଚିବ କ୍ରିଷନ କୁମାର ପ୍ରମୁଖ ଭୁବନେଶ୍ବରରେ ଏବଂ କଟକରେ ସହରର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Trending

Exit mobile version