ରାଜ୍ୟ

କନ୍ଧମାଳ ସାହିତ୍ୟ ମହୋତ୍ସବ 2020 ଉଦଘାଟିତ:

Published

on

ଆଦିବାସୀଙ୍କୁ ଆଧୁନିକତାର ମାପକାଠିରେ ତଉଲିବା ଭୁଲ : ପଦ୍ମଶ୍ରୀ ପ୍ରତିଭା ରାୟ
Bhubaneswar: ଓଡ଼ିଶାର ଆଦିବାସୀ ସଂସ୍କୃତି ଅତ୍ୟନ୍ତ ଉଚ୍ଚ ଓ ସେମାନଙ୍କ ପରମ୍ପରାରେ ମହିଳାଙ୍କ ଗୁରୁତ୍ଵ ଅଧିକ। ତେବେ ସେମାନଙ୍କ ଭୌଗଳିକ, ପାରମ୍ପରିକ ପ୍ରଥା ବିଷୟରେ ନ ଜାଣି  ଆଧୁନିକତାର ମାପକାଠିରେ ସେମାନଙ୍କୁ ତଉଳିବା ଭୁଲ ବୋଲି କହିଛନ୍ତି ବିଶିଷ୍ଟ ଲେଖିକା ପଦ୍ମଶ୍ରୀ ପ୍ରତିଭା ରାୟ।
ରବିବାର ଅନଲାଇନରେ ଅନୁଷ୍ଠିତ କନ୍ଧମାଳ ସାହିତ୍ୟ ମହୋତ୍ସବରେ ମୁଖ୍ୟ ବକ୍ତାଭାବେ ଯୋଗଦେଇ ଶ୍ରୀମତୀ ରାୟ ଆଦିବାସୀ ସଂସ୍କୃତି ଓ କନ୍ଧମାଳର ଆଦିରୂପ ସମ୍ପର୍କରେ ଚର୍ଚ୍ଚା କରିଥିଲେ।
ନିଜର ଅଧ୍ୟାପିକା ଜୀବନରେ ଗବେଷଣାତ୍ମକ କାର୍ଯ୍ୟରେ ଆଦିବାସୀଙ୍କ ଗ୍ରାମରେ ସମୟ ଅତିବାହିତ କରି ସେମାନଙ୍କୁ ପାଖରୁ ପରଖିଥିବା ଓ ଅଭିଜ୍ଞତା ସାଉଁଟିଥୁବା ଶ୍ରୀମତୀ ରାୟ କହିଥିଲେ ଯେ ଆଦିବାସୀ ସଂସ୍କୃତି ଓ ପରମ୍ପରା, ସେଠାକାର ଭୌଗଳିକ ସ୍ଥିତି ଓ ସାମାଜିକ ପରିବେଶକୁ ନେଇ ଗଠିତ ଓ ଅତ୍ୟନ୍ତ ସୁସଙ୍ଗଠିତ।
ଏ ବିଷୟରେ ଅଧିକ ବର୍ଣ୍ଣନା କରି ସେ କହିଥିଲେ କୌଣସି ଜାତି ପ୍ରଥାରେ ବିଶ୍ଵାସ ରଖୁ ନ ଥିବା ଆଦିବାସୀଙ୍କୁ ଆଧୁନିକ ସମାଜର ଚଳଣି ଅନୁଯାୟୀ ମାପ କରି ଦେଖିବା ଆଧୁନିକ ସଭ୍ୟ ସମାଜର ଭୁଲ। ଏକଦା ଆଜିର ସଭ୍ୟ ମନୁଷ୍ୟ ମଧ୍ୟ ଆଦିବାସୀ ପରି ସମୟ ଅତିବାହିତ କରୁଥିଲା। ଏଣୁ ଆଦିମ ସଭ୍ୟତାର ମନୁଷ୍ୟଙ୍କୁ ଆଜିର ସମାଜ ଭିନ୍ନ ଦୃଷ୍ଟିରେ ଦେଖିବା ଏକ ଭୁଲ ବୋଲି ସେ କହିଥିଲେ।
ମହୋତ୍ସବର ଦ୍ଵିତୀୟ ଅନଲାଇନ ଅଧିବେଶନରେ ପୂର୍ବତନ ପ୍ରଶାସକ ତଥା ଲେଖକ ଅରବିନ୍ଦ ବେହେରା, କନ୍ଧମାଳର ପୂର୍ବତନ ଜିଲ୍ଲାପାଳ ତଥା ଓରମାସର ମୁଖ୍ୟ ଶ୍ରୀ ରାଜେଶ ପାଟିଲ, ଆଇଏଏସ ଓ ଆଦିବାସୀ ସଂସ୍କୃତି ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ବିଜୟ ପଟ୍ଟନାୟକଙ୍କୁ ନେଇ “କନ୍ଧମାଳ ଏକ ଉପଲବ୍ଧି : ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ” ନାମକ ଏକ ଅଧିବେଶନ ଅନୁଷ୍ଠିତ ହୋଇଥିଲା।
ଏଥିରେ କନ୍ଧମାଳ ଜିଲ୍ଲାର ବନ୍ୟ ଅର୍ଥନୀତି ଓ ପ୍ରାକୃତିକ ସମ୍ପଦର ବିକାଶ ଉପରେ ଆଲୋଚନା ହୋଇଥିଲା। ଆଲୋଚନାରେ ଭାଗ ନେଇ ଶ୍ରୀ ରାଜେଶ ପାଟିଲ କହିଥିଲେ ଯେ କନ୍ଧମାଳରେ ଅଦା ଓ ହଳଦୀ ଏକ ମୁଖ୍ୟ ଅର୍ଥକାରୀ ଫସଲ ହୋଇଥିବା ସତ୍ତ୍ୱେ ଏହା ଜାତୀୟ ସ୍ତରରେ ଅନ୍ୟ ରାଜ୍ୟର ହଳଦୀ ସହିତ ପ୍ରତିଯୋଗିତା କରିପାରୁ ନାହିଁ।
ଏଥିପାଇଁ ସରକାରୀ ସ୍ତରରେ ପ୍ରୋତ୍ସାହନ ରହିଥିଲେ ମଧ୍ୟ ପ୍ରକ୍ରିୟାକରଣରେ ଘରୋଇ ନିବେଶ ଆବଶ୍ୟକ ବୋଲି ସେ ମତ ପ୍ରଦାନ କରିଥିଲେ।
କନ୍ଧମାଳ ଏକ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବାରୁ ବନ୍ୟ ଅର୍ଥନୀତିର ସୁରକ୍ଷା ଓ ତଥା ସେଠାକାର ଉନ୍ନତି ନିମନ୍ତେ ସ୍ଥାନୀୟ ପ୍ରଚଳିତ ଭାଷାରେ ଯୋଗାଯୋଗ ଓ ସ୍ଥାନୀୟ ସାହିତ୍ୟର ବିକାଶ ହିଁ ସେଠାକାର ଉନ୍ନତି ଦିଗରେ ବାଟ କଢ଼ାଇବ ବକଳି ମତ ପ୍ରକାଶ କରିଥିଲେ ପୂର୍ବତନ ପ୍ରଶାସକ ଓ ଲେଖକ  ଅରବିନ୍ଦ ବେହେରା।
ଏହି ଅବସରରେ ପୂର୍ବଦିନ ତୁଳନାରେ ଆଦିବାସୀମାନେ ସେମାନଙ୍କ ଅଧିକାର ସମ୍ପର୍କରେ ଯଥେଷ୍ଟ ସଚେତନ ହେଲେଣି ବୋଲି ମତ ପ୍ରକାଶ କରିଥିଲେ ଆଦିବାସୀ ସଂସ୍କୃତି ସୁରକ୍ଷା କର୍ମୀ ବିଜୟ ପଟ୍ଟନାୟକ।
ଓଡିଶାରେ ପ୍ରଥମ
ବର୍ତମାନର ଅଭାବିତ ସଙ୍ଗରୋଧ ସମୟ ଯୋଗୁଁ ଏପରି ଅନଲାଇନ୍ ସାହିତ୍ୟ ମହୋତ୍ସବର ଆୟୋଜନ କରାଯାଉଛି, ଯାହା ଓଡ଼ିଶାରେ ପ୍ରଥମ ।ଏହି ମହୋତ୍ସବର ସମସ୍ତ ଚାରୋଟି ଅଧିବେଶନ ଅନଲାଇନରେ ଅନୁଷ୍ଠିତ ହୋଇଥିଲା ।
ଉଦଘାଟନୀ  ଅଧିବେଶନ ଓ ମୁଖ୍ୟ ଅଧିବେଶନ ପରେ ଯେଉଁ ଅନ୍ୟ ଦୁଇଗୋଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା ସେଗୁଡିକ ହେଉଛି “ଓଡ଼ିଶାର ସାହିତ୍ୟ: କନ୍ଧମାଳ ଦେଇଛି କେତେ? ପାଇଛି କେତେ?” ଏବଂ  “ସାହିତ୍ୟର ମର୍ମ: ପ୍ରକୃତି ଓ ସଂସ୍କୃତିର ସମ୍ମିଶ୍ରଣ” ।
ଏହା ଓଡିଶାର ଜନଜାତିର କଥା,ଭାଷା,ସାହିତ୍ୟ, ସଂସ୍କୃତି, ସ୍ୱଦେଶୀପଣ,ପ୍ରକୃତି ଆଦିକୁ ପ୍ରୋତ୍ସାହିତ କରିବ ଏବଂ ନୂତନ ପିଢ଼ିକୁ ଆମର ଐତିହ୍ୟ ଓ ବିଶାଳ ପରମ୍ପରା ସହ ପରିଚିତ କରାଇବାରେ ସହାୟକ ହେବ ବୋଲି କହିଛନ୍ତି କଳିଙ୍ଗ ସାହିତ୍ୟ ମହୋତ୍ସବ ତଥା କନ୍ଧମାଳ ସାହିତ୍ୟ ମହୋତ୍ସବର ପ୍ରତିଷ୍ଠାତା ଶ୍ରୀ ରଶ୍ମି ରଞ୍ଜନ ପରିଡା।

Leave a Reply

Your email address will not be published. Required fields are marked *

Trending

Exit mobile version