National

କଳାହାଣ୍ଡିର ଦୁଲେ ରାପରଙ୍କୁ ଓଡ଼ିଆ ସିନେମାରେ ସୁଯୋଗ ଦେଲେ ପ୍ରେମ ଆନନ୍ଦ

Published

on

ଭୁବନେଶ୍ୱର: ୟୁଟ୍ୟୁବ ସେନ୍ସେସନ ତଥା ଖପର ଘରର ରାପର ଭାବେ ପରିଚିତ କଳାହାଣ୍ଡିର ଦୁଲେଶ୍ଵର ତାଣ୍ଡି ଓରଫ ଦୁଲେ ରାପରଙ୍କୁ ଓଡ଼ିଆ ଚଳଚ୍ଚିତ୍ରର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ତାଙ୍କ ଆଗାମୀ ଚଳଚ୍ଚିତ୍ର ପାଇଁ ଗୀତ ଗାଇବାର ସୁଯୋଗ ଦେଇଛନ୍ତି | ଦୁଲେ ରାପରଙ୍କ ସହିତ ସୁନ୍ଦରଗଡ଼ର ଝିଅ ସ୍ଵର୍ଣ୍ଣରେଖା ଏବଂ ଲୋକପ୍ରିୟ କଣ୍ଠଶିଳ୍ପୀ ଆଶୁତୋଷ ମଧ୍ୟ ଏହି ଗୀତରେ କଣ୍ଠଦାନ କରିଛନ୍ତି |

‘ଜିଓ ଵାଲା ଆଣ୍ଟି ‘ ଶୀର୍ଷକ ଏହି କମର୍ସିଆଲ ଗୀତଟିକୁ ଗୀତିକାର ସୁବ୍ରତ ସ୍ୱାଇଁ ରଚନା କରିଛନ୍ତି | ବୁଧବାର ଦିନ ଟଙ୍କପାଣି ରୋଡ଼ ସ୍ଥିତ ସ୍ମୃତି ଷ୍ଟଡିଓରେ ଦୁଲେ ରାପରଙ୍କ କଣ୍ଠରେ ଏହାକୁ ରେକର୍ଡ କରାଯାଇଛି | ଏହାକୁ ପ୍ରଯୋଜନା କରିଛନ୍ତି ସୁଶାନ୍ତ କୁମାର | ମ୍ୟୁଜିକ ମସ୍ତି ବ୍ୟାନରରେ ନିର୍ମିତ ନାମକରଣ ହୋଇନଥିବା ଆଗାମୀ ଚଳଚ୍ଚିତ୍ରରେ ଏହା ସ୍ଥାନ ପାଇବ |


ପୂର୍ବରୁ ‘ସୁନୋ ସର୍କାର’ ରାପ ଗାଇ ସୋସିଆଲ ମିଡିଆରେ ରାତାରାତି ଚର୍ଚ୍ଚିତ ହୋଇଥିଲେ ଦୁଲେ ରାପର | ଭାଇରାଲ ହୋଇଥିବା ଏହି ଗୀତ ପାଇଁ ବଲିଉଡ଼ର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଵିଶାଲ ଦଦଲାନିଙ୍କଠୁ ଆରମ୍ଭ କରି ସ୍ଵରା ଭାସ୍କର, ସୋନା ମହାପାତ୍ର ଓ ବରିଷ୍ଠ ସାମ୍ବାଦିକ ବର୍ଖା ଦତ୍ତଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କର ପ୍ରଶଂସା କରିଥିଲେ | ଵିଶାଲ ତାଙ୍କୁ ବଲିଉଡରେ ଗାଇବାର ଅଫର ଦେଇଥିଲେ ବି ଦୁଲେ ଓଡ଼ିଆ ସିନେମାରେ ଗୀତ ଗାଇବାକୁ ଇଚ୍ଛା ରଖିଥିଲେ | ଆଉ ତାଙ୍କର ଇଚ୍ଛା ପୂରଣ ହୋଇଛି | ମ୍ୟୁଜିକ ମେକର ପ୍ରେମ ଆନନ୍ଦ ତାଙ୍କର ଏହି ଇଛା ପୂରଣ କରିଛନ୍ତି | ନୂତନ ପ୍ରତିଭାଙ୍କୁ ସୁଯୋଗ ଦେଇ ଆସିଥିବା ପ୍ରେମ ଆନନ୍ଦ କିଛି ଦିନ ତଳେ କୋରାପୁଟ ଝିଅ ନମିତା ମେଲେକାଙ୍କୁ ସୁଯୋଗ ଦେଇ ପ୍ରଶଂସିତ ହୋଇଥିଲେ |

Leave a Reply

Your email address will not be published. Required fields are marked *

Trending

Exit mobile version