ଭବାନୀପାଟଣା, ୧୬।୨ : କଳାହାଣ୍ଡି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ କୋଟି ଟଙ୍କାର ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଭବାନୀପାଟଣା, କେଶିଙ୍ଗା, ନର୍ଲା ଓ ଲାଞ୍ଜିଗଡ଼ ବ୍ଲକ୍ର ୭୯ଟି ଗ୍ରାମର ୮ ହଜାର ୫୦୦ ହେକଫର ଚାଷ ଜମିକୁ ଜଳସେଚନ ସୁବିଧା ପାଇଁ ୭୬୮.୪୬ କୋଟି ଟଙ୍କାରେ ନିର୍ମିତ ରେତ ମଧ୍ୟମ ଜଳସେଚନ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ । ଏଥିସହିତ ୧୩୪୬ କୋଟି ଟଙ୍କାର ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ସେ ଉଦ୍ଘାଟନ ଓ ଭିତ୍ତି ସ୍ଥାପନ କରିଛନ୍ତି । ଭବାନୀପାଟଣାଠାରେ ଆୟୋଜିତ ଉଦ୍ଘାଟନୀ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ୯୧୦.୫୭ କୋଟି ଟଙ୍କା ମୂଲ୍ୟର ୨୩ଟି ପ୍ରକଳ୍ପର ଶୁଭ ଦେଇଛନ୍ତି । ଏହା ମଧ୍ୟରେ ରହିଛି, ନର୍ଲା, ଧର୍ମଗଡ଼ ଓ ଭବାନୀପାଟଣା ବ୍ଲକ୍ର ୬ଟି ସଡ଼କ ପ୍ରକଳ୍ପ, ଧର୍ମଗଡ଼ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର, କେଶିଙ୍ଗା ବ୍ଲକ୍ ପଲମ ଏବଂ ହାତୀ ଖୋଜ ଠାରେ ଦୁଇଟି ମେଗା ଉଠା ଜଳସେଚନ ପ୍ରକଳ୍ପ ଓ କେଶିଙ୍ଗା ଏବଂ ଏମ୍ରାମପୁର ବ୍ଲକ୍ରେ ୩ଟି ୧୦୦ ସିଟ୍ ବିଶିଷ୍ଟ ଅନୁସୂଚିତ ଜନଜାତି ଓ ଜାତି ହଷ୍ଟେଲ ଏବଂ ଦୁଇଟି ୧୦୦ ସିଟ୍ ବିଶିଷ୍ଟ ଅନୁସୂଚିତ ଜନଜାତି ଛାତ୍ରୀ ନିବାସ ।
ସେହିପରି ମୁଖ୍ୟମନ୍ତ୍ରୀ ଏହି ଗସ୍ତ ଅବସରରେ ୪୩୫.୨୮ କୋଟି ମୂଲ୍ୟର ୧୫ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଲାଞ୍ଜିଗଡ଼, ନର୍ଲା, ଭବାନୀପାଟଣା ଏବଂ ଧର୍ମଗଡ଼ ବ୍ଲକ୍ରେ ୧୬ଟି ରାସ୍ତା ଉନ୍ନତିକରଣ ପ୍ରକଳ୍ପ, ଗୋଲାମୁଣ୍ଡା ଠାରେ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ କେଶିଙ୍ଗା ବ୍ଲକ୍ ପାସ୍ତିକୁଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବର୍ହି ବିଭାଗ ପାଇଁ ଭିତ୍ତି ସ୍ଥାପନ କରାଯାଇଛି । ଏହାଛଡ଼ା କଳାହାଣ୍ଡି ଜିଲ୍ଲାରେ ୬୨ଟି ନୂତନ ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଧର୍ଢ଼ଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ୩୦ ଶଯ୍ୟା ବିଶିଷ୍ଟ ମାତୃଓ ଶିଶୁ ଚିକିତ୍ସା କେନ୍ଦ୍ର ଏବଂ ବର୍ହି ବିଭାଗ ଓ ଅନ୍ତ ବିଭାଗ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି । କଳାହାଣ୍ଡି ମହାସମାବେଶରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୧୧ ହଜାର ୧୨୨ ମହିଳା ସ୍ୱୟଂସହାୟତ ଗୋଷ୍ଠୀକୁ ୧୫ ହଜାର ଟଙ୍କା ଲେଖାଏଁ ସିଡ଼୍ ମନି ସହାୟତା ପ୍ରଦାନ କରିଛନ୍ତି । ଏଥିସହିତ ୧୪ଟି ବ୍ଲକ୍ସ୍ତରୀୟ ମହାସଂଘକୁ ୨୫ ହଜାର ଲେଖାଏଁ ଆର୍ଥିକ ସହାୟତା ଓ ଡିଜିଟାଲ ସଶକ୍ତିକରଣ ନିମନ୍ତେ ୯ ହଜାର ୮୩୬ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୩ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।