National

କଳାହାଣ୍ଡି ରେ ତିନିଟି ଶକ୍ତି ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published

on


 ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କଳାହାଣ୍ଡି ଜିଲ୍ଲାର ଜୟପାଟଣା ଅଞ୍ଚଳର ବାନେର୍‌ ଠାରେ ଏକ ୨୨୦/୧୩୨/୩୩ କେଭି ଗ୍ରୀଡ ସବ୍‌ଷ୍ଟେସନକୁ ଉଦ୍‌ଘାଟନ କରିଛନ୍ତି। ଏହାସହିତ ଗ୍ରୀଡରୁ ବାହାରିଥିବା ଦୁଇଟି ୩୩ କେଭି   ଫିଡର ଲାଇନ ମଧ୍ୟ ଲୋକାର୍ପିତ କରିଛନ୍ତି। 

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ୩ଟି ଶକ୍ତି ପ୍ରକଳ୍ପ ଦ୍ବାରା କଳାହାଣ୍ଡି ଜିଲ୍ଲାର ଜୟପାଟଣା, କୋକସରା ଓ କଲମପୁର ଅଞ୍ଚଳର ୩୦ ହଜାର ଲୋକ ଉପକୃତ ହେବେ। ଲୋକଙ୍କୁ ଉନ୍ନତ ମାନର ବିଶ୍ବସନୀୟ ଓ ନିରବଚ୍ଛିନ ବିଦ୍ୟୁତ ସେବା ମିଳିବ। ବିଦ୍ୟୁତ କାଟ ସମସ୍ୟା ଦୂର ହେବ ଏବଂ ଚାଷୀ, ମହିଳା ଓ ଛାତ୍ରଛାତ୍ରୀ ସମସ୍ତେ ଉପକୃତ ହେବେ ।  ଆଗାମୀ ଦିନରେ ଜିଲ୍ଲାର ଅନ୍ୟ ଅଞ୍ଚଳକୁ ବିଦ୍ୟୁତ ସେବାର ସଂପ୍ରସାରଣ କରାଯିବ ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ ଯେ ଏହି ୨୨୦ କେଭି ଜୟପାଟଣା ଗ୍ରୀଡ ପାଇଁ ୮୨ କୋଟି ଟଙ୍କା ବ୍ୟୟ କରାଯାଇଛି । ଏହି ଗ୍ରୀଡ ଦ୍ବାରା କଳାହାଣ୍ଡିର ଜନସାଧାରଣ ପ୍ରଥମ ଥର ପାଇଁ ଇନ୍ଦ୍ରାବତୀ ପ୍ରକଳ୍ପରୁ ସିଧାସଳଖ ବିଜୁଳି ଶକ୍ତି ପାଇପାରିବେ। ଆଗାମୀ ଦିନରେ ୪୭ କିଲୋମିଟର ଦୀର୍ଘ ଆଉ ଏକ ୧୩୨ କେଭି ଡବଲ ସର୍କିଟ ଲାଇନ ଜୁନାଗଡକୁ ସଂଯୁକ୍ତ କରାଯିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଗାମୀ ଦିନରେ କଳାହାଣ୍ଡି ଜିଲ୍ଲା ବିକାଶର ନୂଆ ପରିଚୟ ସୃଷ୍ଟି କରିବ । ବର୍ତ୍ତମାନ ଏହା ଏକ ତ୍ବରିତ ବିକାଶଶୀଳ ଜିଲ୍ଲା ଭାବରେ ପରିଚୟ ସୃଷ୍ଟି କରିପାରିଛି । କୃଷି କ୍ଷେତ୍ରରେ ଜିଲ୍ଲାର ଦ୍ରୁତ ଉନ୍ନତି ହୋଇଛି। ଜଳସେଚନର ସୁବିଧା ପାଇଁ ରେତ ଜଳସେଚନ ପ୍ରକଳ୍ପ ସହିତ ଆହୁରି ଅନେକ ମେଗା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି। ସରକାରୀ ମେଡିକାଲ କଲେଜର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି । ଭବାନୀପାଟଣା ସ୍ବୟଂଶାସିତ ମହାବିଦ୍ୟାଳୟକୁ କଳାହାଣ୍ଡି ବିଶ୍ବ ବିଦ୍ୟାଳୟରେ ପରିଣତ କରାଯାଇଛି। ବିଜୁ ଏକ୍‌ସପ୍ରେସ ୱେ ପଶ୍ଚିମ ଓଡିଶାର ଅର୍ଥନୈତିକ ଜୀବନଧାରା ହେବାକୁ ଯାଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଯେ କଳାହାଣ୍ଡି ଜିଲ୍ଲାର ଅର୍ଥନୈତିକ ବିକାଶକୁ ମଧ୍ୟ ଏହା ତ୍ବରାନ୍ବିତ କରିବ ।

ବାନେର୍‌ ଠାରେ ଶକ୍ତି ମନ୍ତ୍ରୀ ଦିବ୍ୟଶଂକର ମିଶ୍ର କହିଲେ ଯେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ କଳାହାଣ୍ଡିରେ କୃଷି, ଜଳସେଚନ, ସଡକ ପରିବହନ, ଶିକ୍ଷା, ସ୍ବାସ୍ଥ୍ୟ ସବୁ କ୍ଷେତ୍ରରେ ଉନ୍ନତି ଆସିଛି । ବିଶେଷକରି ଉଚ୍ଚଶିକ୍ଷା କ୍ଷେତ୍ରରେ ବ୍ୟାପକ ବିକାଶ ହୋଇଛି । ବିଜୁ ଏକ୍‌ସପ୍ରେସ ୱେ ଦ୍ବାରା କଳାହାଣ୍ଡିରେ ଶିଳ୍ପ ବିକାଶ ହେବ ବୋଲି ସେ କହିଥିଲେ। ଆଜିର ବିଦ୍ୟୁତ ପ୍ରକଳ୍ପ ପାଇଁ ସେ କଳାହାଣ୍ଡି ଜିଲ୍ଲାବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ପ୍ରକାଶ କରିଥିଲେ।

ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ଯେ ଇନ୍ଦ୍ରାବତୀ ପ୍ରକଳ୍ପ ପରେ କଳାହାଣ୍ଡିରେ ବିକାଶ ଆସିଛି।  ବାମ କେନାଲ ତିଆରି ହେବା ପରେ କଳାହାଣ୍ଡି ଜିଲ୍ଲା ଏବେ ଧାନ ଉତ୍ପାଦନରେ ସୁନାମ ଅର୍ଜନ କରିଛି । ଦକ୍ଷିଣ କେନାଲର ନିର୍ମାଣ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଆଜିର ବିଦ୍ୟୁତ ପ୍ରକଳ୍ପ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ।

ଏହି ଅବସରରେ କଳାହାଣ୍ଡିର କେତେକ ଜନସାଧାରଣ କାର୍ଯ୍ୟକ୍ରମରେ ଭାଗ ନେଇ ବିଦ୍ୟୁତ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ଓପିଟିସିଲର ଅଧ୍ୟକ୍ଷ ସୌରଭ ଗର୍ଗ ବିଦ୍ୟୁତ ଭିତ୍ତିଭୂମିର ବିକାଶ ଉପରେ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ନରଲା ବିଧାୟକ ଭୂପିନ୍ଦିର ସିଂ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ। ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳ ସ୍ବାଗତ ଭାଷଣ ଦେଇଥିଲେ ଏବଂ କଳାହାଣ୍ଡି ଜିଲ୍ଲାପାଳ ଡାକ୍ତର ଦାଭାଲି ପରାଗ ହର୍ଷଦ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି କେ ପାଣ୍ଡିୟନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *

Trending

Exit mobile version